ଓଡ଼ିଆ ଫିଲ୍ମ ‘ଲଢ଼େଇ’ ନିର୍ମାତା ଓ ଅଭିନେତା ଲୋହିତାକ୍ଷଙ୍କୁ ଝଟକା
ଭୁବନେଶ୍ୱର: ମୁକ୍ତିଲାଭ କରିବାକୁ ଥିବା ଓଡିଆ ଚଳଚ୍ଚିତ୍ର “ଲଢ଼େଇ” ରିଲିଜ ହେବା ପୂର୍ବରୁ ଲାଗିଲା ସେନ୍ସରର ରୋକ୍। ସ୍ଥାନୀୟ ସେନ୍ସର ବୋର୍ଡ ‘ଏ’ ସାର୍ଟିଫିକେଟ ମଧ୍ୟ ନ ଦେଇ ଫିଲ୍ମକୁ ମୁମ୍ବାଇ ପଠାଇଲା। ଯାହାକୁ ନେଇ ନିର୍ମାତା ଏବଂ ଅଭିନେତା ଲୋହିତାକ୍ଷଙ୍କ ସହ ଓଡ଼ିଆ ଫିଲ୍ମ ଜଗତ ଆଶ୍ଚର୍ଯ୍ୟରେ।
ନିର୍ମାତା ଏବଂ ଅଭିନେତାଙ୍କୁ କରିଛି ଆଶ୍ଚର୍ଯ୍ୟ। ଚଳଚ୍ଚିତ୍ରରେ ଲାଗିଛି ସେନ୍ସର ବୋର୍ଡର କଟକଣା। ମୁକ୍ତିଲାଭ ସମୟ ନିର୍ଦ୍ଧାରିତ ହୋଇସାରିଥିଲା। ପ୍ରଚାରପ୍ରସାର ଜୋରସୋରରେ ଚାଲିଥିଲା ଏବଂ ସମସ୍ତ ହଲ ବୁକିଂ ମଧ୍ୟ ସରିଥିଲା। କିନ୍ତୁ ମୁକ୍ତିଲାଭର ଦିନକ ପୂର୍ବରୁ ବାଜିଲା ସେନ୍ସର୍ ଛାଟ। ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଲୋହିତାକ୍ଷ ପଟ୍ଟନାୟକ ଅଭିନୟ କରିଥିବା ସମୟରେ ଅଭିଲିପ୍ସା ଅଭିନେତ୍ରୀ ଭୂମିକାରେ ଅଛନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିଥିବା କଳାକାରମାନେ ଚିନ୍ତାରେ ଅଛନ୍ତି ଫିଲ୍ମର ରିଳିଜକୁ ନେଇ।
ସିନେ ପ୍ରଯୋଜକ, ନିର୍ଦ୍ଦେଶକ ଓ ସମସ୍ତ ଚଳଚ୍ଚିତ୍ରପ୍ରେମୀଙ୍କୁ ସେନ୍ସର୍ ବୋର୍ଡ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଆଶ୍ଚର୍ଯ୍ୟ କରିଛି। ରାଜ୍ୟ ସେନ୍ସର ବୋର୍ଡ କାହିଁକି ଫିଲ୍ମଟିକୁ ସାର୍ଟିଫିକେଟ୍ ନଦେଇ ମୁମ୍ବାଇ କାର୍ଯ୍ୟାଳୟକୁ ସମୀକ୍ଷା ପାଇଁ ପଠାଇଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ତେବେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ କହିବା କଥା, ସିନେମାରେ ମାତ୍ରାଧିକ ହିଂସାତ୍ମକ ଦୃଶ୍ୟ ଥିବା ଦର୍ଶାଇ ସ୍ଥାନୀୟ ସେନସର ବୋର୍ଡ ଏହାକୁ ‘ଏ’ ସାର୍ଟିଫିକେଟ ମଧ୍ୟ ଦେଲେ ନାହିଁ ଏବଂ ସମୀକ୍ଷା ପାଇଁ ସିଧାସଳଖ ‘ମୁମ୍ବାଇ’ ପଠେଇ ଦେଇଛନ୍ତି।
ସୂଚନା ଅନୁସାରେ, ନିକଟ ଅତୀତରେ ୨୦୨୩ରେ ‘ଆନିମଲ’ ପରି ଅନେକ ହିନ୍ଦୀ ଏବଂ ଅନ୍ୟ ଭାଷାରେ ନିର୍ମିତ ଚଳଚ୍ଚିତ୍ର ଓଡ଼ିଶାରେ ପ୍ରଦର୍ଶିତ ହୋଇଛି। ଯେଉଁଥିରେ ହିଂସାତ୍ମକ ଓ ରକ୍ତରଞ୍ଜିତ ସିନ୍ ଅତ୍ୟଧିକ ମାତ୍ରାରେ ରହିଛି। ‘ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍’ କେନ୍ଦ୍ର ସରକାରଙ୍କ ଅଧୀନ ଏକ ସଂସ୍ଥା। ହିନ୍ଦୀ, ତେଲୁଗୁ, କନ୍ନଡ଼ ଚଳଚ୍ଚିତ୍ର ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ୍ ଦ୍ୱାରା ଅନ୍ୟ ରାଜ୍ୟରୁ ସାର୍ଟିଫିକେଟ୍ ପାଇ ଅତ୍ୟଧିକ ହିଂସା ଦୃଶ୍ୟ ଥିବା ସତ୍ତ୍ବେ ଆମ ରାଜ୍ୟରେ ଆମ ଦର୍ଶକମାନଙ୍କ ପାଇଁ ପ୍ରଦର୍ଶିତ କରାଇ ବେଶ୍ ଆୟ କରୁଛନ୍ତି।
ଓଡ଼ିଆ ସିନେମାରେ ସାମାନ୍ୟ ହିଂସା ଦୃଶ୍ୟ ପାଇଁ ‘ଲଢେଇ’ ସିନେମାକୁ ‘ଏ’ ସାର୍ଟିଫିକେଟ ମଧ୍ୟ ନ ଦେଇ ମୁମ୍ବାଇ ରିଭ୍ୟୁ କମିଟିକୁ ପଠାଇଦେବା ପ୍ରସଙ୍ଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ‘ଲଢ଼େଇ’ ଦୀପାବଳିରେ ମୁକ୍ତିଲାଭ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ‘ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍’ର ଏହି ନିଷ୍ପତ୍ତି ପ୍ରଯୋଜକ ଦେବାଶିଷ ପଟ୍ଟନାୟକଙ୍କୁ ନିରାଶ କରିଥିବା ପ୍ରକାଶ କରିଛନ୍ତି।

