ଦୀପାବଳି ଉପଲକ୍ଷେ ଆସନ୍ତା ୨୦ ଓ ୨୧କୁ ଛୁଟି ଘୋଷଣା

ଭୁବନେଶ୍ୱର: ଦୀପାବଳି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।ଆସନ୍ତା ୨୦ ଓ ୨୧ ତାରିଖ ପାଇଁ ମଂଜୁର ହେଲା ସରକାରୀ ଛୁଟି।ଏନେଇ ଓଡ଼ିଶା ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ପୂର୍ବରୁ ୨୧ ତାରିଖକୁ ଛୁଟି ଘୋଷଣା କରାଯାଇଥିଲା। ଏବେ ସରକାର ୨୦ ତାରିଖକୁ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି । ତେଣୁ ଏଥର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଛୁଟି ଦୁଇଦିନ ମିଳିବ।
୨୦ ତାରିଖ ଅତିରିକ୍ତ ଛୁଟି ନୂଆପଡ଼ା ଜିଲ୍ଲାକୁ ବାଦ୍ ଦେଇ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜେଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ବନ୍ଦ ରହିବ। ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ୨୧ ତାରିଖରେ ଖୋଲା ରହିବ। ସେହିପରି ୨୫ ତାରିଖକୁ ଚତୁର୍ଥ ଶନିବାର କାର୍ଯ୍ୟ ଦିବସ ଘୋଷଣା କରାଯାଇଛି। ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଥିବାରୁ ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ୨୦ ତାରିଖରେ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ଦୀପାବଳି ଅମାବାସ୍ୟାର ଦ୍ୱନ୍ଦ୍ୱ ଦୂରୀକରଣ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର ଏବଂ ସମ୍ପାଦକ ପ୍ରଫୁଲ ମିଶ୍ର ଓ ଅନେକ ଜ୍ୟୋତିର୍ବିଦ ସୂଚନା ଦେଇଛନ୍ତି ଯେ, ୨୦ ତାରିଖରେ ହିଁ ଦିଆଯିବ ପୟାଶ୍ରାଦ୍ଧ। ସେହିଦିନ ସରକାରୀ ଛୁଟି ଘୋଷଣା ପାଇଁ ମୁକ୍ତିମଣ୍ଡପ ଦାବି କରିଛି। ଅପରପକ୍ଷରେ ୨୧ ତାରିଖରେ ଦୀପାବଳି ପାଳନ ପାଇଁ କହୁଛନ୍ତି ଜ୍ୟୋତିର୍ବିଦ ପଣ୍ଡିତ ହରିଶଙ୍କର ମିଶ୍ର।