Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକତା ପରେ ସଫଳ ଗୋ-ପାଳକ ବସୁଦେବ ଦୈନିକ ଉତ୍ପାଦନ କରୁଛନ୍ତି ୧୫୦ ଲିଟର ଦୁଗ୍ଧ

ଝାରସୁଗୁଡା:ଶିକ୍ଷକତାରୁ ଅବସର ଗ୍ରହଣ ପରେ ଶ୍ରମ ଓ ସମର୍ପଣର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ଅଞ୍ଚଳ ୧୯ ଖଣ୍ଡ ମୌଜା ରେମତା ଗ୍ରାମ ପଞ୍ଚାୟତ କିରିତମାଲ ଗାଁର ୮୦ ବର୍ଷୀୟ ବସୁଦେବ ପଧାନ । ବର୍ତ୍ତମାନ ସେ ଦୈନିକ ୧୫୦ ଲିଟର ଦୁଗ୍ଧ ଉତ୍ପାଦନ କରି ଲଖନପୁର ବ୍ଲକ ଅଞ୍ଚଳରେ ଜଣେ ସଫଳ ଗୋ ପାଳକ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ।
ଅବସରପ୍ରାପ୍ତ ଶିକ୍ଷକ ତଥା ଗୋ ପାଳକ ଶ୍ରୀ ପଧାନ ତାଙ୍କ ମୁଖରେ ଯାହା କହନ୍ତି, ୬ ଜାନୁଆରୀ ୧୯୬୦ ରେ ମାସିକ ମାତ୍ର ୪୦ ଟଙ୍କା ଦରମାରେ ଶିକ୍ଷକତା ଆରମ୍ଭ କରି ୩୧ ମାର୍ଚ୍ଚ ୨୦୦୪ ରେ ସେ ଚାକିରୀ କ୍ଷେତ୍ରରୁ ଅବସର ଗ୍ରହଣ କରିଥିଲେ। ଚାକିରୀ ଛାଡ଼ିବା ପରେ ଅବସର ଜୀବନକୁ ନ କରି, ସେ ଗୋ ପାଳନକୁ ନିଜ ନୂଆ ପେଶା ଭାବେ ଗ୍ରହଣ କରିଥିଲେ ।
ପ୍ରଥମେ ସେ ୬ଟି ଦେଶୀ ଗାଈ ରଖି ମାତ୍ର ୧୦ ଲିଟର ଦୁଗ୍ଧ ଉତ୍ପାଦନ କରୁଥିଲେ। କିନ୍ତୁ ସେ ପରବର୍ତ୍ତୀ ସମୟରେ ଶଙ୍କର ଜାତୀୟ ଗାଈ କିଣି ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିଲେ । ସରକାରଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏକ ଡାଏରୀ ଫାର୍ମ କରିବା ପାଇଁ ଆବେଦନ କରିଥିଲେ । ଏହା ରାଜ୍ୟ ସରକାରଙ୍କ ଦ୍ଵାରା ମଞ୍ଜୁରୀ ପ୍ରାପ୍ତ ହୋଇ ଉନ୍ନତ ମାନର ଗାଈ କିଣିବା, ଗୁହାଳ ତିଆରି କରିବା,ଘାସ ଚାଷ କରିବା ଆଦି ବିଭିନ୍ନ ପ୍ରକଳ୍ପ ନିର୍ମାଣ ନିମନ୍ତେ ୩୭ ଲକ୍ଷ ୪୮ ହଜାର ଟଙ୍କା,ଆର୍ଥିକ ସହାୟତାରେ ଯୋଗାଇ ଦିଆ ଯାଇଛି । ଏହି ଅର୍ଥରେ ୩୦ ଟି ଗାଈ ରଖି ସେମାନଙ୍କ ସେବାଯତ୍ନ ପାଇଁ ୫ ଜଣ ହହ କର୍ମଚାରୀ ନିୟୋଜିତ କରି ପ୍ରତିଦିନ ପ୍ରାୟ ୧୫୦ ଲିଟର ଦୁଗ୍ଧ ଉତ୍ପାଦନ କରୁଛ ନ୍ତି । ଉକ୍ତ ଉତ୍ପାଦିତ ଦୁଗ୍ଧକୁ ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଭୁକ୍ତା ସ୍ଥିତ ‘ମିଲ୍କ ମନ୍ତ୍ର’ କେନ୍ଦ୍ରରେ ବିକ୍ରି କରି ସେ ବେଶ ଭଲ ରୋଜଗାର କରୁଥିବା ଶ୍ରୀ ପଧାନ ପ୍ରକାଶ କରିଛନ୍ତି ।
ଉକ୍ତ ଡାଏରୀ ଫାର୍ମକୁ ସେ ନିଜ ସ୍ତ୍ରୀଙ୍କ ନାମରେ “ଶକୁନ୍ତଳା ଡାଏରୀ ଫାର୍ମ” ନାମରେ ନାମିତ କରିଛନ୍ତି । ଏଥିସହ ଖରିଫ ଋତୁରେ ଧାନ ଚାଷ,ରବି ଋତୁରେ ପନିପରିବା, ସୋରିଷ, ଚିନାବାଦାମ, ମୁଗ, ବିରି,ରାଶି ଭଳି ବିଭିନ୍ନ କିସମର ମିଶ୍ରିତ ଚାଷ କରିବା ସହିତ ନିଜ ବାଡ଼ିପଟେ ଏକ ଛୋଟିଆ ଗାଡ଼ିଆ ତିଆରି କରି ସେଥିରେ ମାଛ ଚାଷ ମଧ୍ୟ କରିଛନ୍ତି । ତାଙ୍କୁ ଏ ସମସ୍ତ କାର୍ଯ୍ୟରେ ସ୍ତ୍ରୀ ଶକୁନ୍ତଳା ଓ ବଡ଼ପୁଅ ଆନନ୍ଦ ପଧାନ ବିଶେଷ ଭାବେ ସାହାଯ୍ୟ ସହଯୋଗ କରୁଛନ୍ତି । ଦୀର୍ଘ ଛଅ ଦଶନ୍ଧି ଧରି ଶିକ୍ଷାର ଆଲୋକ ବିଛୁରୀତ କରିବା ପରେ ବର୍ତ୍ତମାନ ଶ୍ୱେତ ବିପ୍ଳବର ଅନନ୍ୟ ବାର୍ତ୍ତା ଦେଇ ଅଞ୍ଚଳରେ ପ୍ରସଂଶାର ପାତ୍ର ହୋଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ ବସୁଦେବ ପଧାନ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ