Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇତିହାସ ପାଲଟିବ ନକ୍ସଲବାଦ ସମସ୍ୟା: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ଅକ୍ଟୋବର ୨୧କୁ ସାରା ଦେଶରେ ‘ପୁଲିସ୍ ସ୍ମାରକୀ ଦିବସ’ ଭାବେ ପାଳନ କରାଯାଏ। ଆଜି ଦେଶର ବିଭିନ୍ନ କୋଣରେ ଏହି ଦିନକୁ ପାଳନ କରାଯାଉଥିବା ବେଳେ ଦେଶ ପାଇଁ ବଳିଦାନ ଦେଇଥିବା ପୁଲିସମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି।

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ଜାତୀୟ ପୁଲିସ ସ୍ମାରକୀରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀ ପୁଲିସମାନଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଥିଲେ।

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ପୋଲିସ ଏବଂ ସୁରକ୍ଷା ବାହିନୀର ଅକ୍ଳାନ୍ତ ପ୍ରୟାସ ଯୋଗୁଁ ଭାରତରେ ବାମପନ୍ଥୀ ଉଗ୍ରବାଦ (LWE) ସମସ୍ୟା ଖୁବ୍ ଶୀଘ୍ର ଇତିହାସ ହୋଇଯିବ।ନକ୍ସଲବାଦ ବିରୁଦ୍ଧରେ ଅଭିଯାନର ସଫଳତା ଏହି କଥାରୁ ଅନୁମାନ କରାଯାଇପାରେ ଯେ ସରକାରଙ୍କ ବିରୁଦ୍ଧରେ ଅସ୍ତ୍ର ଉଠାଇଥିବା ମାଓବାଦୀମାନେ ଏବେ ଆତ୍ମସମର୍ପଣ କରି ବିକାଶର ମୁଖ୍ୟଧାରାରେ ନିଜକୁ ସାମିଲ କରୁଛନ୍ତି।

ସରକାର ଘୋଷଣା କରିଛନ୍ତି ଯେ ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତରେ ନକ୍ସଲବାଦ ସମସ୍ୟା ଦୂର କରାହେବ। ନକ୍ସଲବାଦ ଦୀର୍ଘ ଦିନ ଧରି ଆମର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବିପଦ ହୋଇଆସିଛି। ଏକ ସମୟ ଥିଲା ଯେତେବେଳେ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରର ଅନେକ ଜିଲ୍ଲା ନକ୍ସଲବାଦ ଦ୍ୱାରା ପ୍ରଭାବିତ ହେଉଥିଲା। ଏପରିକି ଗାଁରେ ସ୍କୁଲ ବନ୍ଦ ଥିଲା, ରାସ୍ତା ନଥିଲା ଏବଂ ଲୋକମାନେ ଭୟରେ ରହୁଥିଲେ। ତେବେ ଯେଉଁ ଅଞ୍ଚଳଗୁଡ଼ିକ ପୂର୍ବରୁ “ନକ୍ସଲବାଦୀଙ୍କ ଗଡ଼” ଥିଲା, ସେଗୁଡ଼ିକ ଏବେ ଶିକ୍ଷାର ଗଡ଼ ପାଲଟିଛି ବୋଲି ସେ ପ୍ରକାଶ କରିଛନ୍ତି।

ତାଙ୍କ ଅଭିଭାଷଣରେ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ସୁରକ୍ଷା ପାଇଁ କାର୍ଯ୍ୟରତ ପୁଲିସ ଏବଂ ସେନାର ଭୂମିକାକୁ ସମାନ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ, ”ଯଦିଓ ପଦବୀ ଉଭୟଙ୍କର ଭିନ୍ନଭିନ୍ନ ତଥାପି ଯେତେବେଳେ ଜାତୀୟ ସୁରକ୍ଷାର କଥା ଆସେ ସେବେ ସେନା ଏବଂ ପୁଲିସ ଉଭୟ ଉଭୟଙ୍କ ଦାୟୀତ୍ୱ ସମାନ ଭାବରେ ତୁଲାଇଥାନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ଶତ୍ରୁ ସୀମା ବାହାରର ହୋଇଥାଉ କିମ୍ୱା ଆମ ଭିତରେ ଥାଉ ଭାରତର ସୁରକ୍ଷା ପାଇଁ ଠିଆ ହେଉଥିବା ପ୍ରତ୍ୟେକ ଯବାନ ସମାନ ଦାୟୀତ୍ୱକୁ ତୁଲାଇଥାନ୍ତି।

ରାଜନାଥ ସିଂହ ଗୁରୁତ୍ୱାରୋପ କରି କହିଥିଲେ ଯେ, ପୋଲିସକୁ ଏବେ କେବଳ ଅପରାଧ ନୁହେଁ ବରଂ ନିଜର ଭାବମୂର୍ତ୍ତି ସହିତ ମଧ୍ୟ ଲଢ଼ିବାକୁ ପଡୁଛି। ପୁଲିସ ବାହିନୀ ଏହାର ସରକାରୀ ଏବଂ ନୈତିକ ଦାୟିତ୍ୱ ଉଭୟ ପାଳନ କରୁଛି, ଯାହା ଜନସାଧାରଣଙ୍କୁ ବିଶ୍ୱାସ ଦେଇଛି ଯେ ପୁଲିସ ସେମାନଙ୍କର କଷ୍ଟକର ସମୟରେ ତାଙ୍କ ସହିତ ଛିଡା ହେବ। ସେ ପୁଲିସ ବାହିନୀକୁ ସେମାନଙ୍କର ତ୍ୟାଗ, ସମର୍ପଣ ଏବଂ କର୍ତ୍ତବ୍ୟ ନିଷ୍ଠା ସେବା ପାଇଁ ଧନ୍ୟବାଦ ଜଣାଇବା ସହ ଦେଶ ସେମାନଙ୍କ କାର୍ଯ୍ୟରେ ଗର୍ବିତ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଅବସରରେ ଟ୍ୱିଟ୍ କରି ପୁଲିସ କର୍ମଚାରୀଙ୍କ କାର୍ଯ୍ୟ ଓ ସାହସକୁ ସଲାମ କରିଛନ୍ତି। ସେ ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, “ପୁଲିସ୍ ସ୍ମାରକୀ ଦିବସରେ, ଆମେ ଆମର ପୁଲିସ କର୍ମଚାରୀଙ୍କ ସାହସକୁ ସଲାମ କରୁଛୁ ଏବଂ କର୍ତ୍ତବ୍ୟ ପାଳନରେ ସେମାନଙ୍କ ସର୍ବୋଚ୍ଚ ବଳିଦାନକୁ ମନେ ରଖୁଛୁ। ସେମାନଙ୍କର ଦୃଢ଼ ସମର୍ପଣ ଆମ ଦେଶର ଲୋକମାନଙ୍କୁ ସୁରକ୍ଷିତ ରଖିଛି। ସଙ୍କଟ ଏବଂ ଆବଶ୍ୟକତା ସମୟରେ ସେମାନଙ୍କର ସାହସ ଏବଂ ପ୍ରତିବଦ୍ଧତା ପ୍ରଶଂସନୀୟ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ