ଭିନ୍ନ ଜାତିରେ ବିବାହ ଯୋଗୁ ଦିବ୍ୟାଙ୍ଗ ମହିଳାଙ୍କୁ ଗ୍ରହଣ କଲେନି ଶାଶୂଘର, ଧାରଣାରେ ବସିଥିବାରୁ ହତ୍ୟା ଉଦ୍ୟମ

ଢେଙ୍କାନାଳ: ସ୍ଵାମୀକୁ ଫେରି ପାଇବା ପାଇଁ ଦିବ୍ୟାଙ୍ଗ ମହିଳା ଜଣଙ୍କ ଦୀର୍ଘ ୨୦ ଦିନ ହେଲା ଧାରଣାରେ ବସି ରହି ନ୍ୟାୟ ମାଗୁଥିଲେ । ହେଲେ ସେତକ ବି କରିବାକୁ ଦେଲେନି। ଶେଷରେ ମଙ୍ଗଳବାର ଭୋର୍ ସମୟରେ ଦିବ୍ୟାଙ୍ଗ ମହିଳା ଜଣଙ୍କ ଶୋଇଥିବା ବେଳେ ଘରେ ନିଆଁ ଲଗାଇ ଦେଇଛନ୍ତି।
ଏଭଳି ଏକ ଦୁଖଦଃ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗା ଥାନା ବସନ୍ତପଡ଼ା ଗ୍ରାମରେ। ସୂଚନା ଅନୁସାରେ ଦିବ୍ୟାଙ୍ଗ ଲକ୍ଷ୍ମୀପ୍ରିୟା ବେହେରା, ସୁବ୍ରତ ସାହୁଙ୍କୁ ମନ୍ଦିରରେ ବିବାହ କରିଥିଲେ । ହେଲେ ଲକ୍ଷ୍ମୀପ୍ରିୟା ଭିନ୍ନ ଜାତିର ହୋଇଥିବାରୁ ସୁବ୍ରତଙ୍କ ପରିବାର ତାଙ୍କୁ ଗ୍ରହଣ କରିନଥିଲେ।
ଯାହାକୁ ନେଇ ଦିବ୍ୟାଙ୍ଗ ଲକ୍ଷ୍ମୀପ୍ରିୟା ଅକ୍ଟୋବର ୨ ତାରିଖରୁ ଧାରଣା ଦେଇ ଆସୁଥିଲେ। ଆଉ ମଙ୍ଗଳବାର ଭୋର୍ ସମୟରେ ଲକ୍ଷ୍ମୀପ୍ରିୟାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରାଯାଇଛି । ଦିବ୍ୟାଙ୍ଗ ଲକ୍ଷ୍ମୀପ୍ରିୟାଙ୍କ କହିବା ଅନୁସାରେ ସେ ଶୋଇଥିବା ବେଳେ ତାଙ୍କ ଶାଶୁଘର ଲୋକେ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ସୂଚନା ଅନୁସାରେ ଭୋର୍ ସମୟରେ ଏହି ଅଗ୍ନିକାଣ୍ଡଟି ଘଟିଛି। ନିଆଁ ଲାଗିଥିବା ଦେଖି ଗାଁ ଲୋକେ ଦମକଳକୁ ଡାକିଥିଲେ । ଲକ୍ଷ୍ମୀପ୍ରିୟାଙ୍କୁ ଘର ଭିତରୁ ଟାଣି ଆଣି ଗାଁର ଜଣେ ଯୁବକ ତାଙ୍କ ଜୀବନ ବଞ୍ଚାଇ ଦେଇଥିବା ବେଳେ ସେ ଆହତ ହୋଇଛନ୍ତି।
ତେବେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।ସୂଚନା ଅନୁସାରେ ପୂର୍ବରୁ ଲକ୍ଷ୍ମୀପ୍ରିୟାଙ୍କୁ ପ୍ରତାରଣା ନେଇ ପୋଲିସ ଏକ ମାମଲା ରୁଜୁ କରି ତାଙ୍କୁ ଢେଙ୍କାନାଳ ସଖୀ କେନ୍ଦ୍ରରେ ରଖିଥିଲା। ମାତ୍ର ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମେଡିକାଲ୍ରୁ ଡିସଚାର୍ଜ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିଲେ ଲକ୍ଷ୍ମୀପ୍ରିୟା। ଆଉ ଏବେ ତାଙ୍କ ଘରେ ନିଆଁ ଲଗାଇ ତାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ ହୋଇଛି। ଏ ଘଟଣାକୁ ନେଇ ପରଜଙ୍ଗରୁ ଢେଙ୍କାନାଳ ସବୁଠି ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ ।