ହିକୁଡି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ରାମ ଚରିତ ମାନସ ର ପଞ୍ଚମ ସୋପାନ ସୁନ୍ଦର କାଣ୍ଡ ଉନ୍ମୋଚିତ

ବୀରମହାରାଜପୁର : ପବିତ୍ର ଦୀପାବଳି ଓ କାଳୀପୂଜା ଅବସରରେ ମୁକ୍ତିଲାଭ କରିଛି ଓଡ଼ିଆ ଭାଷା ନବାକ୍ଷରୀ ଛନ୍ଦରେ ଦୁଇ ଖଣ୍ଡି ଅନୂଦିତ ଗ୍ରନ୍ଥ “ମହର୍ଷି ବେଦବ୍ୟାସ ପ୍ରଣୀତ ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ ଓ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର ପଞ୍ଚମ ସୋପାନ ସୁନ୍ଦର କାଣ୍ଡ ” । ଏଇ ଗ୍ରନ୍ଥ ଦୁଇଟିର ଅନୁବାଦକ ବିଶିଷ୍ଟ ଭାଗବତ ତଥା ରାମାୟଣ ପ୍ରବକ୍ତା କଥାକାର ଶ୍ରୀଯୁକ୍ତ ଦଧିବାମନ ତ୍ରିପାଠୀ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ହିକୁଡ଼ି ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ସଭାରେ ଶ୍ରୀଯୁକ୍ତ ରାଜୀବ ଲୋଚନ ଗୁରୁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ଓଡିଶାର ଜଣେ ଲବ୍ଧପ୍ରତିଷ୍ଠିତ ପ୍ରବଚକ ଶ୍ରୀଯୁକ୍ତ ସତ୍ୟମୋହନ ଦେଓ ପୁସ୍ତକର ସମୀକ୍ଷା ସାଂଗକୁ ହରିକଥାର ମହିମା ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ଡକ୍ଟର ପ୍ରଫୁଲ୍ଲ ରଥ , ସଂସ୍କୃତି ଗବେଷକ ଡକ୍ଟର ଅନିରୁଦ୍ଧ କୁରୁକୁରିଆ , ଲେଖକ ସଞ୍ଜୀବ କୁମାର୍ ପ୍ରହରାଜ ଗ୍ରନ୍ଥାକାର ଓ ଗ୍ରନ୍ଥଦ୍ୱୟର ବର୍ଣ୍ଣନାଚାତୁରୀ ସମ୍ବନ୍ଧରେ ବିଶଦ୍ ଚର୍ଚ୍ଚା କରିଥିଲେ । ଆଲୋଚ୍ୟ କାବ୍ୟକୃତିଦ୍ୱୟର ସ୍ରଷ୍ଟା ଶ୍ରୀଯୁକ୍ତ ତ୍ରିପାଠୀ ସ୍ଵଅଭିମତ ଓ ଗ୍ରନ୍ଥ ରଚନା ଓ ପ୍ରକାଶକାଳୀନ ସ୍ବୀକାରୋକ୍ତି ପ୍ରକାଶ କରିଥଲେ । ସଭାରେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ସଭାମଣ୍ଡନ କରିଥିଲେ ପରମ ସାହିତ୍ୟ ଓ ଭାଗବତପିପାସୁ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପୂଜାହରୀ, ଶ୍ରୀଯୁକ୍ତ ଜଗବନ୍ଧୁ ପଣ୍ଡା , ଶ୍ରୀଯୁକ୍ତ ଗୌରୀଶଙ୍କର ସାହୁ , ଶ୍ରୀଯୁକ୍ତ ଜଳନ୍ଧର ସାହୁ, ଶ୍ରୀଯୁକ୍ତ ପ୍ରଶାନ୍ତ ଶତପଥୀ, ଶ୍ରୀଯୁକ୍ତ ଶଶିଭୂଷଣ ଶତପଥୀ, ଶ୍ରୀଯୁକ୍ତ ସନ୍ତୋଷ କୁମାର୍ ମିଶ୍ର ପ୍ରମୁଖ । ଏଇ ସଭାର ପ୍ରଯୋଜନା ଦାୟିତ୍ଵ ଶ୍ରୀଯୁକ୍ତ ବ୍ୟୋମକେଶ ତ୍ରିପାଠୀ ଓ ଶୁଭ୍ରକେଶ ତ୍ରିପାଠୀ ସମ୍ପାଦନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ପ୍ରବୀଣଶିକ୍ଷକ ଶ୍ରୀଯୁକ୍ତ ହୃଷିକେଶ ଚାନ୍ଦ । ମଙ୍ଗଳବାର ଉନ୍ମୋଚିତ ନବାକ୍ଷରୀ ଗ୍ରନ୍ଥ ସୁନ୍ଦର କାଣ୍ଡକୁ ସଙ୍ଗୀତମୟ କରି ପାରାୟଣ ଭାବରେ ଗାନ କରିଥିଲେ ଲୋକପ୍ରିୟ ପାରାୟଣ ଗାୟକ ମଧୁସୂଦନ ଦାଶ , ବିଶିଷ୍ଟ ତବଲା ବାଦକ ଟଙ୍କଧର ମହାମଲ୍ଲିକ, ବୁଦ୍ଧଦେବ ଓ ତାଙ୍କ ସାଥୀ କଳାକାର ବୃନ୍ଦ । ପାରାୟଣର କର୍ତ୍ତା ଭାବରେ ଦିବ୍ୟକେଶ ତ୍ରିପାଠୀ ଓ ରୀତାଞ୍ଜଳି ତ୍ରିପାଠୀ ଯଜ୍ଞକାର୍ଯ୍ୟ ସଂପାଦନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂସ୍କୃତିପ୍ରେମୀ ତ୍ରିଜୀବ କୁମାର୍ ପ୍ରହରାଜ । ଏଥିରେ ହିକୁଡିଗ୍ରାମର ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।