ଦେଶର ଅର୍ଥନୀତି ବୃଦ୍ଧିରେ ଦେଶବାସୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଆମେରିକାର ଶୁଳ୍କ କିଛି ପ୍ରଭାବ ପକାଇବ ନାହିଁ: ଭାରତୀୟ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ତାହା ଭାରତୀୟ ଅର୍ଥନୀତି ଉପରେ କୌଣସି ପ୍ରଭାବ ପକେଇ ପାରିବ ନାହିଁ। ଏହାର ପ୍ରଭାବ ଯଦି ବି କିଛି ରହିଛି, ତାହାକୁ ଦେଶବାସୀ ଭରଣା କରିଦେବେ ବୋଲି ଭାରତୀୟ ରିଜିର୍ଭ ବ୍ୟାଙ୍କ ଏହାର ଅକ୍ଟୋବର ମାସ ବୁଲେଟିନରେ କହିଛି। ଟ୍ରମ୍ପ ଲଗାଇଥିବା ଶୁଳ୍କ ଦେଶର ରପ୍ତାନୀକୁ ପ୍ରଭାବିତ କରିବ। କିନ୍ତୁ ନିକଟରେ ସାମଗ୍ରୀ ଓ ସେବା ଟିକସ ( ଜିଏସ୍ଟି) ରେ କରାଯାଇଥିବା ନିୟମରେ ପରିବର୍ତ୍ତନ ଏହାର ମୁକାବିଲା କରିବାକୁ ଯଥେଷ୍ଟ।
ବୁଲେଟିନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆମେରିକା ଲଗାଇଥିବା ଚଢା ଶୁଳ୍କକୁ କମ୍ କରିବା ଲାଗି ହେଉଥିବା ଉଦ୍ୟମ ସଫଳ ନ ହେଲେ ତାହାର ପ୍ରଭାବରେ ଦେଶର ରପ୍ତାନି ହ୍ରାସ ପାଇବ।
ସୂଚନା ଅନୁସାରେ, ଟ୍ରମ୍ପ ଭାରତ ଓ ବ୍ରାଜିଲ ଉପରେ ସର୍ବାଧିକ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ତେବେ ଗତ ସେପ୍ଟେମ୍ବର ମାସର ତଥ୍ୟରୁ ଜଣାପଡ଼ିଛି ଯେ, କେବଳ ଆମେରିକାକୁ ରପ୍ତାନି କମିଥିବା ବେଳେ ଅନ୍ୟ ୨୪ଟି ଦେଶକୁ ବଢ଼ିଛି। ଆମେରିକା ବାହାରେ ଥିବା ବଜାରରେ ଭାରତୀୟ ସାମଗ୍ରୀର ଭଲ ଚାହିଦା ରହିଛି। ସେପ୍ଟେମ୍ବରରେ ୩୬୩୮ କୋଟି ଡଲାରର ରପ୍ତାନି ହୋଇଛି। ଆମେରିକା ବାହାରେ ଥିବା ବଜାରକୁ କିନ୍ତୁ ରପ୍ତାନି ୧୦.୯ ପ୍ରତିଶତ ବୃଦ୍ଧି ପାଇଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଲେଟିନ କହିବା ଅନୁସାରେ, ଆମେରିକାର ବାଣିଜ୍ୟ ଓ ଅର୍ଥନୈତିକ ନୀତିରେ ଅନିଶ୍ଚିତତା, ଆମେରିକା ସରକାର ସଟ୍ଡାଉନ୍ ହେବା, ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ଭଳି ଘଟଣାର ପ୍ରଭାବକୁ ଭାରତୀୟ ଅର୍ଥନୀତି ଦୃଢ଼ତାର ସହ ସାମ୍ନା କରିଛି। ଦେଶର ମୁଦ୍ରାସ୍ଫୀତି ହାର ସେପ୍ଟେମ୍ବରରେ ୧.୫୪ ପ୍ରତିଶତକୁ ହ୍ରାସ ପାଇଛି ଯାହା ୨୦୧୭ ପରେ ସର୍ବନିମ୍ନ। ତେଣୁ ଶୁଳ୍କ ଦ୍ବାରା ଆମେରିକା ବଜାର ପ୍ରଭାବିତ ହେବ। ଏହାର ବ୍ୟବସାୟ ସହଯୋଗୀମାନେ କୌଣସି ପ୍ରକାରରେ ପ୍ରଭାବିତ ହେବେ ନାହିଁ। ଆମେରିକାରେ ଲୋକମାନଙ୍କୁ ବିଭିନ୍ନ ଜିନିଷ ଅଧିକ ଦାମ୍ ଦେଇ କିଣିବାକୁ ପଡ଼ିବ।