Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତ ଋତୁ ଆସିଲାଣି, ଲଘୁଚାପ ଯିବାର ନାଁ ଧରୁନି; ଅକ୍ଟୋବରରେ ଆସୁଛି ଆଉ ଦୁଇଟି ଲଘୁଚାପ

ଭୁବନେଶ୍ୱର: ଶୀତ ଋତୁ ଆସିଲାଣି ତଥାପି ଓଡ଼ିଶାରେ ଗୋଟାଏ ପରେ ଗୋଟାଏ ଲଘୁଚାପ ଲାଗି ରହିଛି। ଓଡ଼ିଶାକୁ ଅକ୍ଟୋବର ମାସରେ ପୁଣି ଆସୁଛି ଆଉ ଦୁଇଟି ଲଘୁଚାପ। ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟରୁ ବିଦାୟ ନେଇସାରିଥିଲେ ମଧ୍ୟ ଆହୁରି ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ପୂର୍ବରୁ ଅକ୍ଟୋବରରେ ସବୁବେଳେ ଓଡିଶାକୁ ବାତ୍ୟାର ଭୟ ଥାଏ କିନ୍ତୁ ଏପର୍ଯ୍ୟନ୍ତ ପାଣିପାଗ ବିଜ୍ଞାନୀମାନେ ବାତ୍ୟାକୁ ନେଇ କୌଣସି ପ୍ରକାର ସ୍ପଷ୍ଟ ଆକଳନ କରିନାହାନ୍ତି।

ଦକ୍ଷିଣ-ପଶ୍ଚିମବଙ୍ଗୋପସାଗର ଉପରେ ଆଜି ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସୂଚନା ଅନୁସାରେ ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଘନୀଭୂତ ହୋଇ ବୁଧବାର ସୁଦ୍ଧା ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ଏବଂ ଅଧିକ ଘନୀଭୂତ ହେବ। ତେବେ ଏହା କେତେ ଘନୀଭୂତ ହେବ ଓ କେଉଁ ରୂପ ନେବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ଆଇଏମ୍‌ଡି କୌଣସି ସ୍ପଷ୍ଟ ଚିତ୍ର ଦେଇନାହିଁ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଏହି ଅବପାତ ଯୋଗୁଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୨୫ ତାରିଖ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ମଧ୍ୟ ରହିଛି।

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ ଅନୁସାରେ, ଆସନ୍ତା ୨୬ କିମ୍ବା ୨୭ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏଥିସହ ଆସନ୍ତା ୨୯ କିମ୍ବା ୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ତୃତୀୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆକଳନ ମଧ୍ୟ କରାଯାଉଛି। ତେବେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଶକ୍ତିଶାଳୀ ନ ହୋଇପାରେ। ଏ ପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ସମ୍ଭାବନା ନଥିବା ସେ କହିଛନ୍ତି। ତଥାପି ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅତ୍ୟଧିକ ବର୍ଷା ହେବା ନେଇ ଆକଳନ କରାଯାଇଛି।

ଅନ୍ୟପକ୍ଷରେ ବିଭିନ୍ନ ଅନ୍ତର୍ଜାତୀୟ ମଡେଲର ଆକଳନକୁ ବି‌ଶ୍ଲେଷଣ କରି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ବଙ୍ଗୋପସାଗରରେ ଏହି ସପ୍ତା‌ହରେ ସମୁଦ୍ର ଓ ଉପରିସ୍ଥ ବାୟୁମଣ୍ଡଳର ପ୍ରତିକୂଳ ସ୍ଥିତି ଅନୁସାରେ ବର୍ତ୍ତମାନ ରହିଥିବା ଲଘୁଚାପ ୨୩-୨୪ ତାରିଖ ସୁଦ୍ଧା ଘନୀଭୂତ ନ ହୋଇ ୨୪-୨୫ ତାରିଖ ମଧ୍ୟରେ ସମ୍ଭାବ୍ୟ ଦ୍ବିତୀୟ ଲଘୁଚାପ ସହ ମିଶି ଗୋଟିଏ ସିଷ୍ଟମ୍‌ରେ ପରିଣତ ହେବ। ତେବେ ଏହା କେବେ ଓ କେତେ ଘନୀଭୂତ ହେବ ଏବଂ ଗତିପଥ କ’ଣ ରହିବ, ତାହା ବର୍ତ୍ତମାନ ଅନିଶ୍ଚିତତାରେ ରହିଛି। ୨୪ ତାରିଖ ବେଳକୁ ଏହାର ଚିତ୍ର ଅଧିକ ସ୍ପଷ୍ଟ ହୋଇପାରେ। ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁଁ ଉତ୍ତରା ଥଣ୍ଡା ପବନ ରାଜ୍ୟକୁ ଆସି ପାରୁନାହିଁ।

ସପ୍ତାହେ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହାସହ ମଝି ମଝିରେ ବର୍ଷା ହୋଇପାରେ ଓ ପାଗ ମେଘାଚ୍ଛନ୍ନ ରହିବ। ଏହା ଫଳରେ ଧାନ ଓ ଅନ୍ୟାନ୍ୟ ଫସଲରେ ରୋଗପୋକ ବଢ଼ିବାର ଆଶଙ୍କା କରାଯାଉଛି। ଏହାର ସମାଧାନ ପାଇଁ ଚାଷୀ ମାନଙ୍କୁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ପରାମର୍ଶ କରିବାକୁ ଡ.ପଶୁପାଳକ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ