Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଖୁଲାସା କରିଛନ୍ତି ବ୍ରହ୍ମପୁର ଏସପି, ଜାଣନ୍ତୁ ପୁରା ଘଟଣା କଣଥିଲା…

ଭୁବନେଶ୍ୱର: ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ନୂଆ ଖୁଲାସା କରିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍। ପୀତବାସ ପଣ୍ଡା ହତ୍ୟା ରହସ୍ୟରୁ ପରଦା ହଟାଇଲେ ଏସପି। ଗତ ଅକ୍ଟୋବର ୬ ତାରିଖରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ପୀତବାସ ପଣ୍ଡାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ପୀତବାସ ପଣ୍ଡା ହତ୍ୟା ମାମଲାରେ ବୈଦ୍ୟନାଥପୁର ଥାନାରେ ୫୧୮ କେସ୍ ନମ୍ବର ରେଜିଷ୍ଟ୍ରି ହୋଇଥିଲା।

ତଦନ୍ତ ପରେ ଜଣା ପଡିଥିଲା ଯେ, ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ସେପ୍ଟେମ୍ବର ମାସରୁ ଯୋଜନା ହୋଇଥିଲା। ମଳୟ ବିଷୋୟୀ ଓ ମଦନ ଦଳେଇ ପୂରା ଷଡ଼ଯନ୍ତ୍ର କରିଥିଲେ। ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା। ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ।

ସେପ୍ଟେମ୍ବର ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ବିହାରରୁ ଏକ ଟିମ୍ ବ୍ରହ୍ମପୁର ଆସିଥିଲା। ସେମାନଙ୍କୁ ଆଣିଥିଲେ ମଳୟ ବିଷୋୟୀ ଓରଫ୍ ଉମା। ଏହା ପରେ ସେମାନେ ରେକି କରିଥିଲେ। ଉମା ବିଷୋୟୀଙ୍କ ସହଯୋଗୀ ଯୋଗେନ୍ଦ୍ର ରାଉତ ପଶ୍ଚିମବଙ୍ଗରେ ରହୁଥିବା ହିଞ୍ଜିଳିର ବିପିନ ସ୍ବାଇଁଙ୍କୁ ଡାକିଥିଲା। ବିପିନ୍ ସ୍ବାଇଁ କିଛି ସୁଟରମାନଙ୍କୁ ଜାଣିଥିବାରୁ ସେ ସୁଟରମାନଙ୍କୁ ଡାକିଥିଲେ। ସୀମାଞ୍ଚଳ ନାୟକଙ୍କୁ ଠିକ୍ କରିଥିଲେ। ଯୋଗୀ ଓ ଉମାଙ୍କ ନିର୍ଦ୍ଦେଶରେ ମୋଟ୍ ୪ ଜଣ ଏକ ଅଳକାପୁରୀରେ ଏକ ଭଡା ଘରେ ରହୁଥିଲେ। ସେମାନେ ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ରହିଥିଲେ ବୋଲି ଜଣାପଡ଼ିଛି।

ମଳୟ ବିଷୋୟୀଙ୍କ ପରିଚିତ ଶୂନ୍ୟଚନ୍ଦ୍ର ଦାସଙ୍କୁ କୁହାଯାଇଥିଲା ଯେ, ଏକ ମେଡିକାଲ କାମ ପାଇଁ ସେମାନେ ରହିବେ। ମଳୟ ବିଷୋୟୀ ତାଙ୍କୁ କହିଥିଲେ ଯେ, ଏହି ୪ ଜଣଙ୍କ ଏମକେସିଜିରେ କାମ ଅଛି ବୋଲି ରହିବେ। କିନ୍ତୁ ଉକ୍ତ ୪ ଜଣଙ୍କୁ ପଚାରିବାରୁ ସେମାନେ ଏକ ଘରୋଇ ହସ୍ପିଟାଲରେ କାମ ଥିଲା ବୋଲି କହିଥିଲେ। ଯାହା ପରେ ଶୂନ୍ୟଚନ୍ଦ୍ରଙ୍କ ସନ୍ଦେହ ହୋଇଥିଲା। କିନ୍ତୁ ମଳୟ ବିଷୋୟୀ କହିଥିବାରୁ ସେ ବେଶୀ କିଛି କହିନଥିଲେ। ମାତ୍ର ଶୂନ୍ୟଚନ୍ଦ୍ର ଦାସଙ୍କର ଏହି ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନାହିଁ। ଏହି ୪ ଜଣଙ୍କ ରହିବା ଖାଇବା ଓ ଗାଡି ସୁବିଧା ମଧ୍ୟ ଉମା ଓ ଯୋଗୀ ବୁଝିଥିଲେ।

ଏହି ଦିନ ମଧ୍ୟରେ ସେମାନେ ପ୍ରଥମେ ରେକି କରିଥିଲେ। ପୀତବାସଙ୍କ ଚ୍ୟାମ୍ବର ଦେଖିଥିଲେ। କିପରି ହତ୍ୟା କରିବେ ଓ ହତ୍ୟା କଲା ପରେ କିପରି ସେଠାରୁ ଖସିବେ, ସେ ନେଇ ପୂରା ଯୋଜନା କରିଥିଲେ। ମାତ୍ର ବିହାରରୁ ଆସିଥିବା ସୁଟର, ତାଙ୍କ ପତ୍ନୀଙ୍କ ଦେହ ଖରାପ ପାଇଁ ବିହାର ଫେରିଯାଇଥିଲେ। ତେଣୁ ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇପାରି ନ ଥିଲା। ପ୍ରଥମ ଉଦ୍ୟମ ବିଫଳ ହେବା ପରେ ସେମାନେ ସବୁ ରେକି କରିବା ପରେ ଅକ୍ଟୋବର ୬ରେ ପୁଣି କାର୍ଯ୍ୟକାରୀ କରିଥିଲେ।

ଏଥିପାଇଁ ସେମାନେ ଆଉ ଏକ ଟିମ୍ ଆଣିଥିଲେ। ନିଜ ଘର ବନ୍ତପଲେଇରୁ ଦୁଇ ଜଣ ପିଲାଙ୍କୁ ଠିକ୍ କଲେ ଉମା ବିଷୋୟୀ। ସେମାନେ ହେଲେ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ। ଚିଣ୍ଟୁ ପ୍ରଧାନ ବେଙ୍ଗାଲୁରୁରେ କାମ କରୁଥିବା ବେଳେ ସେ ସେଠାରୁ ଆସିଥିଲେ। ଏହା ପରେ ତାଙ୍କ ସହ ଯୋଡ଼ି ହୋଇଥିଲେ କୁରୁପତି ଭୂୟାଁ। ଏମାନେ ପୀତବାସଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୁରରେ ଏକ ଘର ନେଇ ରହିଥିଲେ। ସେଠାରେ ରହି ସେମାନେ ପୁଣି ଆଉ ଥରେ ରେକି କରିଥିଲେ। ଏହା ପରେ ଯୋଗୀ ଓ ଉମା ସେମାନଙ୍କୁ କହିଥିଲେ ଯେ, ଯିଏ ଗାଡି ଚଲାଇବେ ତାଙ୍କୁ ୩ ଲକ୍ଷ ଓ ଯିଏ ଗୁଳି ଚଳାଇବ ତାଙ୍କୁ ୫ ଲକ୍ଷ ଦିଆଯିବ। ଘଟଣା ଦିନ ସେମାନେ ଏକ ନିର୍ମାଣାଧୀନ ବିଲ୍ଡିଂରେ ରହିଥିଲେ। ଏହାପରେ ସେମାନଙ୍କୁ ନୂଆ ଡ୍ରେସ, ନୂଆ ଜୋତା ଓ ଦୁଇଟି ନୂଆ ବନ୍ଧୁକ ଦେଇଥିଲେ। ସେମାନେ ବାଇକ୍ ରେ ଆସିଥିଲେ। ଏହା ପରେ ସେମାନେ ପୀତବାସଙ୍କ ଘର ପାଖରେ ଗାଡି ଅଟକାଇଥିଲେ। ପୀତବାସ ଚ୍ୟାମ୍ବରରୁ ବାହାରିବା ପରେ, ଠିକ୍ ୧୦ଟା ୧ରେ ଗୁଳି ଚଳାଇଥିଲେ। ସେମାନେ ପ୍ରଥମେ ପୀତବାସଙ୍କୁ ଅଟକାଇ ନମସ୍କାର ହୋଇଥିଲେ। ଏହା ପରେ ପୀତବାସ କିଏ ବୋଲି ପଚାରିବା ପରେ ସେମାନେ ଗୁଳି ଚଳାଇଥିଲେ। ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କୁରୁପତି ଭୂୟାଁ ଗୁଳି ଚଳାଇଥିଲେ। ସେଠାରୁ ସିଧା ଯାଇ ସିତଳାପଲ୍ଲୀରେ ଡ୍ରେସ୍, ବନ୍ଧୁକ ଓ ଜୋତା ସବୁ ପୋତି ଦେଇଥିଲେ। ଏହା ପରେ ରାମେଶ୍ବରମ ଅଭିମୁଖେ ଯାଇଥିଲେ। ସେଠାରେ ଗାଡ଼ିଟି ଛାଡ଼ି ବସ୍ ଯୋଗେ ପୁରୀ ପଳାଇ ଯାଇଥିଲେ।

ଏମାନେ କେହି ବି ମୋବାଇଲ୍ ବ୍ୟବହାର କରିନଥିଲେ। ଚିଣ୍ଟୁ ସେଠାରୁ ବେଙ୍ଗାଲୁରୁ ପଳାଇଥିଲେ। କୁରୁପତି ପୁରୀରେ ଜଣକ ଆଶ୍ରୟରେ ରହିଥିଲେ। ଏହା ପରେ ସେମାନେ ଓଡିଶା ବାହାରକୁ ପଳାଇଥିଲେ। ଏଯାଏଁ ବି ସେମାନେ ଫେରାର ଅଛନ୍ତି। ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା। ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ। ଉମା ବିଷୋୟୀ ପାଖରେ ସବୁ ଡିଲ୍ ଟଙ୍କା ରହିଛି।

ବ୍ରହ୍ମପୁର ଏସପି କହିଛନ୍ତି ଯେ, ପିଣ୍ଟୁ ଦାସଙ୍କ ନାଁରେ ୩୮ଟି ମାମଲା ପୂର୍ବରୁ ରହିଛି। ବିକ୍ରମ ପଣ୍ଡାଙ୍କ ନାଁରେ ଅପରାଧୀକ ଷଡ଼ଯନ୍ତ୍ର ପ୍ରମାଣ ମିଳିଛି। ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରାଯାଇଛି, ଆଉ ୩ ଫେରାର ଅଛନ୍ତି। ଏହି ଘଟଣା ପୂରା ରାଜନୈତିକ ଶତ୍ରୁତା ପାଇଁ ହୋଇଥିବା ଏସ୍‌ପି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ