ଆଇନଜୀବୀ ପୀତବାସଙ୍କ ହତ୍ୟା ମାମଲା; ଗିରଫ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ବିପଦ :ଫୁଲବାଣୀ ଜେଲ୍କୁ ସ୍ଥାନାନ୍ତର
ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ଗିରଫ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ରହିଛି ବିପଦ । ଏପରି ଆଶଙ୍କା କରିଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାର ଜେଲର । ତେଣୁ ତାଙ୍କୁ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ୍କୁ ସ୍ଥାନାନ୍ତର ପାଇଁ ସେ ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି । ପିଣ୍ଟୁ ଦାସଙ୍କ ଘନିଷ୍ଠ ସହଯୋଗୀ ଶାନ୍ତି ମିଶ୍ର ହତ୍ୟା ମାମଲାର ଅଭିଯୁକ୍ତମାନେ ବି ଏହି ଜେଲ୍ରେ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଜେଲର ଦର୍ଶାଇଛନ୍ତି ।
ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚନ ପରେ ସାରା ଓଡ଼ିଶା ସ୍ତବ୍ଧ । ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ନେତା ଅପରାଧୀଙ୍କୁ ବ୍ୟବହାର କରି କିଲର୍ ସାଜିବେ । ବିକ୍ରମଙ୍କ ଗିରଫଦାରି ପରେ ଏକଥା ଏବେ ସବୁଠି ଆଲୋଚନା ହେଉଛି । ନିର୍ବାଚନ ସମୟରେ ନେତାଙ୍କ ଭିତରେ ଲଢ଼େଇରେ କିଛି ନୂଆ ନାହିଁ । ବୟାନବାଜି ଚାଲେ, କଥା କଟାକଟି ବି । ହେଲେ ଏବେ ରାଜ୍ୟ ରାଜନୀତିର ସଂଜ୍ଞା ବଦଳିଛି । ପ୍ରସଙ୍ଗ ଭିତ୍ତିକ ଲଢ଼େଇ ବଦଳରେ ସ୍ୱାର୍ଥ ହାସଲ ଲାଗି ଅପରାଧୀଙ୍କ ସହାୟତା ନେଲେଣି ରାଜନେତା ।
ବ୍ରହ୍ମପୁରର ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର ଉନ୍ମୋଚନ ପରେ ଓଡ଼ିଶା ରାଜନୀତିରେ ବଢ଼ୁଥିବା କଳୁଷିତ ଏ ଅଧ୍ୟାୟ ରାଜନେତାଙ୍କ ନିଦ ହଜାଇଦେଇଛି । ରାଜନୈତିକ ପ୍ରତିଦ୍ୱନ୍ଦ୍ୱିଙ୍କୁ ହଟାଇବାକୁ ବିହାର, ୟୁପି ଭଳି ସୁପାରିକିଲରଙ୍କ ସହାୟତା ନେଲେଣି ଏକଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଗିରଫଦାରି ପରେ ସ୍ପଷ୍ଟ । ଫିଲ୍ମର କାହାଣୀ ଭଳି ଲାଗୁଥିଲେ ହେଁ ଲକ୍ଷଲକ୍ଷ ଟଙ୍କାର ସୁପାରି ଦେଇ ବାଟରୁ ହଟାଇବାକୁ ବିକ୍ରମ ଯେଭଳି ଷଡ୍ଯନ୍ତ୍ର କଲେ, ତାହା ଅନ୍ୟ ନେତାଙ୍କ ମୁଣ୍ଡକୁ ଗୋଳମାଳ କରିଦେଲେଣି । ଓଡ଼ିଶା ରାଜନୀତିର ଏହି ଅଲୋଡା ଟ୍ରେଣ୍ଡକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବି ହତବାକ୍ ।

