Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଉଳିମଠରେ ସ୍ଥାପନ ହେବ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଙ୍କ ଚକ

ଅସ୍ତରଙ୍ଗ: ବ୍ରହ୍ମଦାରୁ ନିରୁପିଣୀ ମା’ ମଙ୍ଗଳାଙ୍କ ମନ୍ଦିରର ଅନତି ଦୂରରେ ପବିତ୍ର ପ୍ରାଚୀ ତଟକୁ ଲାଗି ରହିଥିବା ଦେଉଳି ମଠରେ ସ୍ଥାପନ ହେବ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ। ଏନେଇ ଅସ୍ତରଙ୍ଗ ସାମ୍ବାଦିକ ସଂଘର ନିବେଦନ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ସମ୍ମତି ପ୍ରଦାନ କରି ଆସନ୍ତା ୧୫ ଦିନ ମଧ୍ୟରେ ନନ୍ଦିଘୋଷ ରଥର ଗୋଟିଏ ପ୍ରଦାନ କରିବାକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି।

ରଥ ଚକ ସ୍ଥାପନ ହେଲେ ଦେଉଳି ମଠକୁ ପ୍ରତ୍ୟେହ ଆସୁଥିବା ଶତାଧିକ ଶ୍ରଦ୍ଧାଳୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିପାରିବେ। ଶ୍ରୀଜଗନ୍ନାଥଙ୍କ ନବକଳେବର ଅବସରରେ ଶ୍ରୀକ୍ଷେତ୍ରରୁ ପ୍ରାଚୀ ତଟର ଏହି ପାବନ କ୍ଷେତ୍ରକୁ ବିଶ୍ବ ପ୍ରସିଦ୍ଧ ବନଯାଗ ପର୍ବ ପରିଚାଳିତ ହୋଇଥାଏ। ରଥ ଚକ ସ୍ଥାପନ ହେଲେ ନବକଳେବର ସମୟର ମହାନ ସ୍ମାରକୀ କ୍ଷେତ୍ର ଦେଉଳି ମଠର ଗରିମା ବହୁଗୁଣିତ ହେବ ବୋଲି କୁହାଯାଉଛି। ଅସ୍ତରଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଅସ୍ତରଙ୍ଗ ଅଞ୍ଚଳର ବୁଦ୍ଧିଜୀବୀ,ସମାଜସେବୀ ଓ ଲୋକ ପ୍ରତିନିଧିଙ୍କୁ ନେଇ ଦୀର୍ଘ ଏକ ବର୍ଷ ଧରି ଏହି ଉଦ୍ୟମ ଜାରି ରହିଥିଲା।

ସଙ୍ଘର ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବୀ ପ୍ରତାପ ଚନ୍ଦ୍ର ପରିଡା, ସ୍ୱପ୍ନେଶ୍ୱର ସାହୁ, ଗଦାଧର ବିଶ୍ବାଳ, ପୂର୍ବତନ ବିଧାୟକ ରବି ମଲ୍ଲିକ, ସଙ୍ଘର ସଭାପତି ବିଶ୍ୱ ରଞ୍ଜନ ବିଶ୍ୱଶ୍ରି, ନିରଞ୍ଜନ ଦାଶ, ଲୋକନାଥ ସ୍ୱାଇଁ ଦୁଃସାଶନ ନାୟକ, ପ୍ରସାର ଖୁଣ୍ଟିଆ, ସମୀର କର, ଭୀମସେନ ବିଶ୍ୱାଳ, ସମୀର ବେହୁରା, ଆର୍ଯ୍ୟ ବିଶ୍ୱାଳ, ଆର୍ତତ୍ରାଣ ମହାନ୍ତି, ଆଦିତ୍ୟ ବିଶ୍ୱାଳଙ୍କ ସମେତ ସମସ୍ତ ସଦସ୍ୟ ବିଭିନ୍ନ ସମୟରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦେଉଳି ମଠରେ ରଥ ଚକ ସ୍ଥାପନର ଯଥାର୍ଥ ଦାବି ଉପସ୍ଥାପନ କରିଥିଲେ।

ଯାହା ଫଳରେ କି ତାହା ଏବେ ସାକାର ହେବାକୁ ଯାଉଥିବାରୁ ଅଂଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ବନଜାଗ ପର୍ବ ଅବସରରେ ଶ୍ରୀକ୍ଷେତ୍ରରୁ ଆଗତ ୪ ବାଡର ସେବକ ମଣ୍ଡଳି ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ, ମା’ ମଙ୍ଗଳାଙ୍କ ପାଇଁ ପୂଜା ଉପଚାର, ରକ୍ତ ବର୍ଣ ଧ୍ଵଜା ସହ ଶ୍ରୀସୁଦର୍ଶନଙ୍କର ଚଳନ୍ତି ବିଗ୍ରହ ସଯତ୍ନେ ଆଣି ଦେଉଳି ମଠରେ ପହ‌ଞ୍ଚି ବିଶ୍ରାମ ନିଅନ୍ତି ଓ ଆଗମନର ଦେବ ବାର୍ତ୍ତା ମା’ମଙ୍ଗଳାଙ୍କ ନିକଟକୁ ପ୍ରେରଣ କରନ୍ତି । ମଙ୍ଗଳା ମନ୍ଦିର ପାରିଷଦ ଗଣ ମଙ୍ଗଳ ବାଦ୍ୟ ସହ ସସମ୍ମାନେ ୪ ବାଡ ସେବକମାନଙ୍କୁ ମନ୍ଦିର ପରିସରକୁ ପାଛୋଟି ଆଣି ମା’ମଙ୍ଗଳାଙ୍କ ସ୍ୱତନ୍ତ୍ର ବିଧି ସହ ପୂଜାର୍ଚ୍ଚନାର ଦାୟିତ୍ଵ ଅର୍ପଣ କରନ୍ତି । କେବଳ ସେହି ସମୟରେ ମା’ଙ୍କ କରୁଣା କାମନା କରାଯାଇ ଭବ୍ୟ ମାଜଣା, ଦାଣ୍ଡିଆ ପାଟଲାଗି, ଆଜ୍ଞାମାଳ ପ୍ରଦର୍ଶନ ପୂର୍ବକ ଶ୍ରୀମନ୍ଦିରରୁ ଆଗତ ଶ୍ରୀ ସୁଦର୍ଶନଙ୍କ ଚଳନ୍ତି ଚକ୍ରକୁ ଠାକୁରାଣୀଙ୍କ ପାର୍ଶ୍ଵରେ ସ୍ଥାପନ କରାଯାଏ ଓ ମନ୍ଦିର ଚୁଡାରେ ସେ ସମୟରେ ଗଜପତିଙ୍କ ପ୍ରଦତ ରକ୍ତ ବର୍ଣ୍ଣ ଧ୍ଵଜା ଉଡ଼ାଇ ଦିଆଯାଏ ।

ଏହି ସତନ୍ତ୍ର ପୂଜାର୍ଚ୍ଚନା ପରେ ଶ୍ରୀକ୍ଷେତ୍ର ସେବକମାନେ ପୁନଃ ଦେଉଳି ମଠକୁ ଫେରିଯାଇ ମୌନ ବ୍ରତ ଧାରଣ ପୂର୍ବକ ଦେବ ଦୁର୍ଲଭ ବ୍ରହ୍ମଦାରୁ ପ୍ରାପ୍ତି ନିମନ୍ତେ ମଠ ମଧ୍ୟରେ ସମ୍ପାବତୀ ମନ୍ତ୍ରରେ ନିବିଷ୍ଟ ହୁଅନ୍ତି । ମା’ ମଙ୍ଗଳାଙ୍କ ଅପାର କୃପାରୁ ବ୍ରହ୍ମଦାରୁ ପ୍ରାପ୍ତ ଘଟିଥାଏ । ଏହା ଏକ ଅଲୌକିକ ଦିବ୍ଯ ଅନୁଭବର କଥା ବୋଲି ବିଶିଷ୍ଟ ସଂସ୍କୃତି ଗବେଷକମାନେ ମତବ୍ୟକ୍ତ କରନ୍ତି। ଏକଦା ଶ୍ରୀମନ୍ଦିର ଓ ମା’ମଙ୍ଗଳା ମନ୍ଦିର ମଧ୍ୟରେ ସଂଯୋଗ ରକ୍ଷା କରୁଥିବା ଏହି ମଠ ରାଜ୍ୟ ମଠ ସଂସ୍କୃତିର ଏକ ଅନନ୍ୟ ସମ୍ପଦ ଭାବେ ବିବେଚିତ ହୁଏ। ଏହି ସବୁ ବିଧି ବ୍ୟବସ୍ଥା କୁ ବିଚାରକୁ ନେଇ ଦେଉଳି ମଠରେ ଜଗନ୍ନାଥଙ୍କ ରଥ ଚକ୍ର ସ୍ଥାପନ ହେବାକୁ ଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ