Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପାନ୍ତର ଅନନ୍ୟ ପ୍ରତିଭା ମୂର୍ତ୍ତିକାର ଗୋରେକନାଥସାଧନା ଅଛି,ସାଧନ ନାହିଁ, ସରକାରୀ ପ୍ରୋତ୍ସାହନ ପାଇଁ ଦାବି

ଝାରସୁଗୁଡ଼ା ୨୫/୧୦ (ଓଡ଼ିଶା ନ୍ୟୁଜ) କଳା ଓ ସାଧନା ମଧ୍ୟରେ ଯେଉଁଠି ଜୀବନ ଜଡିତ ହୁଏ, ସେଠି ଆର୍ଥିକ ସଂଘର୍ଷ ଅନେକ ସମୟରେ ସ୍ୱପ୍ନ ଅଧାରେ ସୀମିତ ରହିଯାଏ । ଏକ ମଫସଲ ଗାଁରେ ଏଭଳି ଜଣେ ଦୀପ୍ତିମନ୍ତ ଯୁବ ପ୍ରତିଭା ଅଛନ୍ତି, ଯିଏ କି ପଥର, କାଠ,ମାଟି ଆଦି ରେ ବିଭିନ୍ନ ପ୍ରକାର ମୃର୍ତ୍ତି ତିଆରି କରି ତାକୁ ଜୀବନ୍ତ ରୂପ ଦେଇ ପାରୁଛନ୍ତି । ପ୍ରଚାର ପ୍ରସାରର ଅଭାବ ଯୋଗୁଁ ତାଙ୍କ ସାଧନା ଗାଁରେ ହିଁ ସୀମିତ ରହି ଯାଉଛି । ସେ ଯୁବ ପ୍ରତିଭା ଜଣକ ହେଉଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଉପାନ୍ତ ୧୯ ଖଣ୍ଡ ମୌଜା ଅଞ୍ଚଳର ମୋହଦୀ ଗ୍ରାମର ଯୁବ ମୂର୍ତ୍ତିକାର ଗୋରେକ ନାଥ ଭୋଇ ।
ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକ ବାଞ୍ଜିପାଲି ମହାନଦୀ ଉଚ୍ଚ ବିଦ୍ୟାଳୟରେ ୨୦୧୪ ଶିକ୍ଷାବର୍ଷରେ ମ୍ୟାଟ୍ରିକ ବୋର୍ଡ଼ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଯୁବ ଶିଳ୍ପୀ ଗୋରେକ ନାଥ ବାପା ଡିଲେଶ୍ୱରଙ୍କ ପ୍ରେରଣାରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କଳା ଏବଂ ହସ୍ତଶିଳ୍ପ ବିକାଶ ପ୍ରତିଷ୍ଠାନରେ ୨୦୧୮ ମସିହାରେ ତାଲିମ ସମାପ୍ତ କରି ବର୍ତ୍ତମାନ ସେ ନିଜ ଘରେ ରହି ଶାଗୁଆନ,ଗମ୍ଭାରୀ, ଚାଖୁଣ୍ଡା, ଶିରିଷ କାଠରେ ବୁଦ୍ଧ, ଗଣେଶ, ଶ୍ରୀକୃଷ୍ଣ, ନଟରାଜ,ରାଧା ତଥା ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ତିଆରି କରିବା ସହ ମାଟି, ମାର୍ବଲ ଓ ମୁଗୁନି ପଥରରେ ମଧ୍ୟ ସୂକ୍ଷ୍ମ କାରୁକାର୍ଯ୍ୟ କରି ନିଖୁଣ ରୂପ ଦେଇ ପାରୁଛନ୍ତି । ତାଙ୍କ ପାଖରେ ସାଧନା ଅଛି କିନ୍ତୁ ସାଧନ ନାହିଁ । ଯାହା ଫଳରେ ମୂର୍ତ୍ତି ତିଆରି ପାଇଁ ଆବଶ୍ୟକ କାଠ, ପଥର ଆଦି ସଂଗହ କରିବା ତାଙ୍କ ପକ୍ଷେ ସମ୍ଭବପର ହେଉ ନଥିବା ଗୋରେକ ପ୍ରକାଶ କରିଛନ୍ତି ।
ପରିବାର କହିଲେ ବାପା ଡିଲେଶ୍ୱର,ମାଁ ଜୟ କୁମାରୀ, ଦୁଇ ଭଉଣୀ ଏବଂ ଜେଜେ ବାପା । ପୈତୃକ ସମ୍ପତ୍ତି କହିଲେ ରହୁଥିବା ଘର ଖଣ୍ଡିକ ବ୍ୟତୀତ ମାତ୍ର ୪୦ ଡ଼ିସିମିଲ ଚାଷ ଜମି ରହିଛି । ଯେଉଁଥିରେ କି ପରିବାର ପ୍ରତିପୋଷଣ କରିବା ବହୁତ କଷ୍ଟ ସାଧ୍ୟ ହୋଇ ପଡୁଛି । ଯଦି କୌଣସି ଗ୍ରାହକ ଆବଶ୍ୟକ କାଠ ଯୋଗାଇ ନବ ନିର୍ମିତ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର କବାଟ,ଝରକା, ଦ୍ୱାରବନ୍ଧ ଆଦି ନିର୍ମାଣ କରିବା ପାଇଁ ବରାଦ କରନ୍ତି, ତାହେଲେ ସେ ସବୁ ତିଆରି କରି ଯାହା ଦୁଇ ପଇସା ରୋଜଗାର ହୁଏ ସେଥିରେ ଘରର ସମସ୍ତ ଯାବତୀୟ ଖର୍ଚ୍ଚ ତୁଲାଇ ଥାନ୍ତି ।
ଗୋରେକ ନାଥ କହନ୍ତି “ମୂର୍ତ୍ତି ତିଆରି କଳା ମୋର ପ୍ରାଣ, କିନ୍ତୁ ଏଥିରେ ଜୀବନ ଜୀବିକା ଚଲାଇବା ବହୁତ କଷ୍ଟସାଧ୍ୟ । ଯଦି ସରକାରୀ ସହାୟତା ମିଳେ, ତାହେଲେ ମୁଁ ଏହି ପାରମ୍ପରିକ କଳାକୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ନେଇ ଯିବାକୁ ମୋର ଇଛା ଅଛି । ତାଙ୍କର ଏଭଳି ଶିଳ୍ପ କଳା ପ୍ରତି ଆଗ୍ରହ ଦେଖି ସ୍ଥାନୀୟ ବୁଦ୍ଧିଜୀବୀ ଗୋରେକ ନାଥଙ୍କୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ