ମାଓବାଦୀଙ୍କ ନିର୍ମମ ହତ୍ୟା, ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କ ଗଳା କାଟିଲେ
ମାଲକାନଗିରି : ପୁଣି ବଢିଛି ମାଓବାଦୀଙ୍କ ଆତଙ୍କ। ସକ୍ରିୟ ହେଲେଣି ମାଓବାଦୀ। ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ନିର୍ମମ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ଦୁଇ ଆଦିବାସୀ ଯୁବକଙ୍କୁ ହତ୍ୟା କଲେ ସଶସ୍ତ୍ର ମାଓବାଦୀ। ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ, ଉସୁର ଥାନା ଅନ୍ତର୍ଗତ ନେଲାକାଙ୍କେର ଗାଁରେ ୪୦ରୁ ୫୦ ଜଣ ସଶସ୍ତ୍ର ମାଓବାଦୀ ଆସି ଦୁଇ ଜଣ ଆଦିବାସୀ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତ ଦୁଇ ଯୁବକ ହେଲେ ରବି କଟମ(୨୫) ବର୍ଷ ଓ ତିରୁପତି ସୋଡି(୩୮ ) ବର୍ଷ ବୟସ୍କ। ମାଓବାଦୀ ମାନେ ପ୍ରଥମେ ନେଲାକାଙ୍କେର ଗାଁରେ ପହଞ୍ଚି ଉଭୟଙ୍କୁ ଅପହରଣ କରି ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ। ପରେ ସେଠାରେ କୌଣସି ଏକ ଧାରୁଆ ଅସ୍ତ୍ରରେ ଉଭୟଙ୍କ ଗଳାକାଟି ହତ୍ୟା କରିଛନ୍ତି।
ଶନିବାର ସକାଳେ ଗାଁ ଲୋକେ ଜଙ୍ଗଲକୁ ଯାଉଥିବା ବେଳେ ମୃତଦେହ ଦେଖିବାକୁ ପାଇଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ଏକ ହାତ ଲେଖା ପୋଷ୍ଟରରେ ଉଲ୍ଲେଖ ରହିଛି । ଉସୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

