Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ପୋଲିସର ବଡ଼ ସଫଳତା,ଭ୍ୟାନ ସହ ୧୧୨୫ ଲିଟର ଅବୈଧ ମଦ ଜବତ, ୪ ଜଣ ଗିରଫ

ଝାରସୁଗୁଡା ୨୭/୧୦ (ଓଡ଼ିଶା ନ୍ୟୁଜ) “ଅପରେସନ୍ ନେତ୍ର” ଅଭିଯାନ ଅଧୀନରେ ଝାରସୁଗୁଡ଼ା ଜିଲ୍ଲା ପୋଲିସ ଅବୈଧ ମଦ ବିରୋଧରେ ଚାଲିଥିବା ଅଭିଯାନରେ ରେଙ୍ଗାଲି ପୋଲିସ ବଡ଼ ସଫଳତା ହାସଲ କରିଛି । ରବିବାର ରାତିରେ ରେଙ୍ଗାଲି ପୋଲିସ ଚଢ଼ାଉ କରି ଏକ ଆନ୍ତଃଜିଲ୍ଲା ମଦ ଚୋରା ଚାଲାଣକାରୀ ଙ୍କ କଳା କାରନାମାକୁ ପର୍ଦାଫାସ କରିଛି ।
ବରଗଡ଼ ଜିଲ୍ଲାରୁ ଝାରସୁଗୁଡ଼ା ପଟକୁ ଯାଉଥିବା ଏକ ମାରୁତି ଇକୋ ଭ୍ୟାନ (ସିଜି ୦୪ ଏଚଏନ ୯୩୫୮) କୁ ଅଟକାଇ ସେଥିରୁ ପ୍ରାୟ ୧୧୨୫ ଲିଟର ଅବୈଧ ମଦ ଜବତ କରା ଯାଇଛି। ଜବତ ହୋଇଥିବା ମଦର ଅନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ହେବ। ଏହି ଅବୈଧ ଚୋରା ଚାଲାଣରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଛି । ସେମାନେ ହେଲେ ରେଙ୍ଗାଲି ଥାନା ଅମାପାଲି ଗାଁର ବିକ୍ରମ ଦେହେରୀ (୪୮) ଓ କୁଳମଣି ମଲ୍ଲିକ (୩୨),ଲୁହାବଗା ଗାଁର ବଲ୍ଲଭ ମେହେର (୩୨) ଏବଂ ବଇରିଗୁଡ଼ା, ଜୁନାଗଡ଼, କଳାହାଣ୍ଡି ଜିଲ୍ଲା ବର୍ତ୍ତମାନ ବରଗଡ଼ ଅମ୍ବାଭୋନା ପ୍ରକାଶପୁର ମଦ ଭାଟିରେ କର୍ମରତ ରାହୁଲ ନାୟକ (୨୫) । ସେମାନଙ୍କ ଠାରୁ ଏକ ମାରୁତି ଭ୍ୟାନ, ୧୨ ଟି ପ୍ଲାଷ୍ଟିକ ବସ୍ତାରେ ଭର୍ତ୍ତି ମଦ ପାଉଚ (ମୋଟ ୧୧୨୫ ଲିଟର), ଦୁଇ ବଣ୍ଡଲ “ବରଗଛ” ଲେବେଲ୍ ପାଉଚ କଭର, ଏବଂ ଏକ ସାମସଙ୍ଗ ମୋବାଇଲ ଫୋନ୍ ଜବତ କରା ଯାଇଛି।
ପୁଲିସ ର ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ଙ୍କ ନିର୍ଦ୍ଦେଶରେ କନକତୋରା ବିଟ ହାଉସ ଅଧିକାରୀ ରମେଶ ଭଇଁସାଲ ସଦଳବଳ ସହିତ ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ସେ ସମୟରେ ବରଗଡ଼ ପ୍ରକାଶପୁର ଅଞ୍ଚଳରୁ ଏକ ଲାଲ ମାରୁତି ଭ୍ୟାନ ମାଧ୍ୟମରେ ମଦ ଚୋରାଚାଲାଣ ହେଉଥିବା ଖବର ପାଇଥିଲେ । ପୋଲିସ ତୁରନ୍ତ ଉକ୍ତ ଗାଡ଼ିକୁ ପିଛା କରି ଅମାପାଲି କ୍ରସ ନିକଟରେ ଅଟକାଇ ଯାଞ୍ଚ କଲା। ଗାଡ଼ି ଭିତରୁ ବିଭିନ୍ନ ରଙ୍ଗର ୧୨ ଟି ପ୍ଲାଷ୍ଟିକ ବସ୍ତା ମିଳିଥିଲା, ଯେଉଁଥିରେ ୫୦୦ ଟି ପାଉଚ୍ ହିସାବରେ ମୋଟ ୧୧୨୫ ଲିଟର ମଦ ମିଳିଥିଲା ।
ଅଭିଯୁକ୍ତ ମାନଙ୍କୁ ରେଙ୍ଗାଲି ଥାନାକୁ ଆଣି ଏସଡିପିଓ ଚିନ୍ତାମଣି ପଧାନ ଙ୍କ ଉପସ୍ଥିତିରେ ଜେରା କରାଯାଇଥିଲା, ଯେଉଁଥିରେ ସେମାନେ ନିଜ ଦୋଷ ସ୍ୱୀକାର କରିଥିଲେ। ମୁଖ୍ୟ ଅଭିଯୁକ୍ତ ବିକ୍ରମ ଦେହେରୀଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ଅନେକ ମଦ ଚୋରାଚାଲାଣ ମାମଲା ରହିଥିବା ଜଣାପଡ଼ିଛି।
ଓଡ଼ିଶା ଅବକାରୀ ନିୟମ ଅନୁଯାୟୀ ମାମଲା ରୁଜୁ କରି ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ଏହି ସଫଳ ଅଭିଯାନ ଝାରସୁଗୁଡ଼ା ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶ ଓ ରେଙ୍ଗାଲି ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ୱରେ ସଫଳ ହୋଇଥିଲା । ଜିଲ୍ଲାର ପ୍ରତ୍ୟେକ ଥାନା ଅଞ୍ଚଳରେ ହେଉଥିବା ଅବୈଧ ମଦ ଚୋରା ଚାଲାଣ ବିରୁଦ୍ଧରେ ଆଗାମୀ ଦିନରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୁଚିତ କରା ଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ