Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତ୍ୟା ମୋନ୍ଥା ପାଇଁ ସରକାରଙ୍କ ବଡ ଯୋଜନା; ୧୦୮ ଆମ୍ବୁଲାନ୍ସ ପକ୍ଷରୁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର: ବାତ୍ୟା ମୋନ୍ଥା ପାଇଁ ଚାଲିଛି ସରକାରଙ୍କ ଜୋରଦାର ପ୍ରସ୍ତୁତି | ଏହି ମଧ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ବାଦ୍ ପଡ଼ିନାହିଁ | ଏହା ପାଇଁ ସବୁପ୍ରକାରର ବ୍ୟବସ୍ଥା କରିଛନ୍ତି | ଏହି ସମୟରେ ୧୦୮ କଲ୍ ସେଣ୍ଟରକୁ ଇଣ୍ଟରନେଟ ସୁବିଧା ବ୍ୟାକଅପ ପାୱାର ଏବଂ ଯୋଗାଯୋଗର ସୁବିଧାକୁ ସୁଦୃଢ କରାଯାଇଛି | ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ଏମ୍ରି ଗ୍ରିନ୍‌ ପକ୍ଷରୁ ସୂଚନା ମିଳିଛି ଯେ , କଣ୍ଟ୍ରୋଲ ରୁମରୁ ନିରବଚ୍ଛିନ୍ନ ଜରୁରିକାଳୀନ ସେବା ଯୋଗାଇ ଦିଆଯାଉଛି। ଜରୁରିକାଳୀନ କଲ୍ ସଂଖ୍ୟାରେ ସମ୍ଭାବ୍ୟ ବୃଦ୍ଧି ଓ କୌଣସି କଲ୍ ଯେପରି ହାତଛଡ଼ା ନ ହୁଏ, ସେଥିପାଇଁ ଅତିରିକ୍ତ କର୍ମଚାରୀ ନିୟୋଜିତ କରାଯାଇଛି |

ପାଣିପାଗ ବିଭାଗ ସୂଚନା ଅନୁଯାଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ସଂଯୋଜକଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ, ସ୍ଥାନୀୟ ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସୁବିଧା ସମୟ ମୁତାବକ ଯୋଗାଇ ଦିଆଯାଇପାରିବ। ଏଥିସହିତ ସମସ୍ତ ଆମ୍ବୁଲାନ୍ସରେ ଅତ୍ୟାବଶ୍ୟକ ଔଷଧ ପ୍ରାଥମିକ ଚିକିତ୍ସା କିଟ୍ ଓ ଡାକ୍ତରୀ ଉପକରଣ ମହଜୁଦ୍ ରଖାଯାଇଛି ।

ଜିଲ୍ଲା କର୍ତ୍ତୃପକ୍ଷଙ୍କ ପରାମର୍ଶ ଅନୁଯାଇ ଜିଲ୍ଲା ସଂଯୋଜକମାନେ ଗାଡ଼ିଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। ବହୁସମୟ ଧରି ଜରୁରିକାଳୀନ କାର୍ଯ୍ୟ କରିବା ପାଇଁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ବ୍ୟକ୍ତିଗତ ସୁରକ୍ଷା ଯୋଗାଇ ଦିଆଯାଇଛି । ଏହାସହ ବାତ୍ୟା ସମୟରେ ରୋଗୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ କଲ୍ ସେଣ୍ଟର ମଧ୍ୟରେ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ୧୦୮ ଆମ୍ବୁଲାନ୍‌ସ ସେବାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ , “ବାତ୍ୟା ପାଇଁ ଟିମ୍ ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି। କର୍ମଚାରୀଙ୍କ ସୁରକ୍ଷା ଓ ରୋଗୀଙ୍କୁ ଉଚିତ ସେବା ଯୋଗାଇବା ପ୍ରାଥମିକତାରେ ରହିଛି। ପ୍ରବଳ ବର୍ଷା କିମ୍ବା ପବନ ସମୟରେ ଜନସାଧାରଣ ଘରେ ରୁହନ୍ତୁ ଓ ଜରୁରିକାଳୀନ ପରିସ୍ଥିତିରେ ୧୦୮ କୁ ଯୋଗାଯୋଗ କରନ୍ତୁ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ