ତେଲେଙ୍ଗାନା ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ
 
        ହାଇଦ୍ରାବାଦ: ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କୁ ତେଲେଙ୍ଗାନାର ରେୱନ୍ତ ରେଡ୍ଡି ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଆଜି ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ମହମ୍ମଦ ଆଝାରୁଦ୍ଦିନଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ବର୍ତ୍ତମାନ୍ ଆଝାରୁଦ୍ଦିନ ଙ୍କୁ ମିଶାଇ ତେଲେଙ୍ଗାନା ସରକାରଙ୍କ ପାଖରେ ୧୬ ଜଣ ମନ୍ତ୍ରୀ ଅଛନ୍ତି।
ମହମ୍ମଦ ବର୍ତ୍ତମାନ୍ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ମଧ୍ୟ ଅଛନ୍ତି। ଗତ ୨୦୨୩ ମସିହାରେ ତେଲେଙ୍ଗାନାର ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ଜଣେ ବି ମୁସଲିମ ପ୍ରାର୍ଥୀ ଜିତି ନଥିଲେ।ଯେଉଁଥିରେ ମହମ୍ମଦ ଆଝାରୁଦ୍ଦିନ ମଧ୍ୟ ପରାଜିତ ହୋଇଥିଲେ। ତେଣୁ ତେଲେଙ୍ଗାନାରେ ମୁସଲିମ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ ଦେବା ପାଇଁ ଆଝାରୁଦ୍ଦିନଙ୍କୁ ବିଧାନ ପରିଷଦ ଏବଂ କ୍ୟାବିନେଟରେ ନିଯୁକ୍ତ କରାଯାଇଥିବା ନେଇ ସୂତ୍ରରୁ ଜଣାପଡ଼ିଛି। ଆଗକୁ ନଭେମ୍ବର ୧୧ ତାରିଖ ରେ ହାଇଦ୍ରାବାଦର ଜୁବିଲି ହିଲ୍ସ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ଉପନିର୍ବାଚନ ହେବାକୁ ଅଛି ଓ ସେଠାରେ ପ୍ରାୟ ୩୦ ପ୍ରତିଶତ ଭୋଟର ମୁସଲିମ ଥିବା ନେଇ ଜଣାପଡ଼ିଛି। ତେଣୁ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ମହମ୍ମଦଙ୍କୁ ମନ୍ତ୍ରୀପଦ ଦିଆଯାଇଥିବା ନେଇ ଅନେକ ବିରୋଧୀ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ ଏହାର ପ୍ରତିବାଦ ମଧ୍ୟ କରିଥିଲେ। ଏଥିସହିତ ମହମ୍ମଦ ଆଝାରୁଦ୍ଦିନଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ନିଯୁକ୍ତି ଦେବା ପ୍ରକ୍ରିୟା ଆଚରଣ ସଂହିତା ଉଲ୍ଲଂଘନ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ମହମ୍ମଦ ଇଣ୍ଡିଆର ପୂର୍ବତନ ଅଧିନାୟକ ଥିଲେ ଓ ବର୍ତ୍ତମାନ୍ ସେ ଜଣେ ରାଜନେତା ଅଟନ୍ତି। ତେବେ ସେ ତେଲେଙ୍ଗାନାର ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୪ ମସିହାରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଓ ୧୯୯୦ ରୁ ୧୯୯୯ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିଲେ। ସେ ୧୯୮୪ ମସିହାରେ ଡେବ୍ୟୁ କରିବା ପରେ ୨୦୦୦ ମସିହା ପର୍ଯ୍ୟନ୍ତ ୯୯ ଟେଷ୍ଟ ମ୍ୟାଚ୍ ଏବଂ ୩୩୪ଟି ଦିନିକିଆ ଖେଳିଥିଲେ। ତେବେ ୨୦୦୦ ମସିହାରେ ମ୍ୟାଚ୍ ଫିକ୍ସିଂ ସ୍କାଣ୍ଡାଲରେ ତାଙ୍କ ନାମ ଆସିବା ପରେ ବିସିସିଆଇ ତାଙ୍କୁ ଆଜୀବନ କ୍ରିକେଟ ଖେଳିବାରୁ ନିଷେଧ କରିଥିଲା। ଯାହାକୁ ୨୦୧୨ ମସିହାରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଉଠାଇ ଦେଇଥିଲେ। ସେ ୨୦୦୯ ମସିହାରେ କଂଗ୍ରେସ ଦଳରେ ଯୋଗ ଦେଇ ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନରୁ ସାଂସଦ ହୋଇଥିଲେ ଓ ୨୦୧୪ ମସିହାରେ ସେହି ଆସନରୁ ସାଂସଦ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏଥିସହିତ ତାଙ୍କୁ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ (HCA) ର ସଭାପତି ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା।

 
                        
 
                                 
                                 
                                 
                                 
                                