ରେଙ୍ଗାଲି ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଶିବିର
ଝାରସୁଗୁଡ଼ା ୦୧/୧୧ (ଓଡ଼ିଶା ନ୍ୟୁଜ) ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଠକେଇ ଓ ଅପରାଧ ପ୍ରତି ଯୁବପିଢିକୁ ସଚେତନ କରିବା ଉଦ୍ଦେଶ୍ୟରେ ରେଙ୍ଗାଲି ପୁଲିସ ପକ୍ଷରୁ ଲଖନପୁର ବ୍ଲକର ବିଜାପାଲି ମହିମା ଡିଗ୍ରୀ କଲେଜରେ ସାଇବର ସୁରକ୍ଷା ସଚେତନତା ଶିବିର ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଡିଏସପି ଜୌସ୍ନାମୟୀ ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ। ଏହି କ୍ରମରେ ସେ କହିଥିଲେ, “ଆଜିର ଯୁଗରେ ଅନଲାଇନ ଶିକ୍ଷା, ଗେମିଙ୍ଗ ଓ ସୋସିଆଲ ମିଡିଆ ଆମ ଜୀବନର ଅଂଶ ହୋଇ ପାରିଛି, କିନ୍ତୁ ସଚେତନ ଭାବରେ ଇଣ୍ଟରନେଟ ବ୍ୟବହାର କଲେ ଆମେ ନିଜକୁ ଠକେଇରୁ ରକ୍ଷା କରି ପାରିବା ।
ସେହିଭଳି ଝାରସୁଗୁଡା ସାଇବର ସେଲ ଅଧିକାରୀ ବନ୍ଦନା ନାୟକ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଫିଶିଙ୍ଗ ମେସେଜ, ଓଟିପି ଠକେଇ, ଅଜଣା ଲିଙ୍କ କ୍ଲିକ୍ ନ କରିବା ଓ ସୋସିଆଲ ମିଡିଆରେ ଗୋପନୀୟତା ରକ୍ଷା ବିଷୟରେ ପ୍ରାୟୋଗିକ ଭାବେ ବୁଝାଇଥିଲେ । ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ସାଇବର ଠକେଇ ଘଟିଲେ ୧୯୩୦ ହେଲ୍ପଲାଇନ ନମ୍ବର କିମ୍ବା www.cybercrime.gov.in ଭିତରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଛାତ୍ରଛାତ୍ରୀ ମାନେ ସାଇବର ସୁରକ୍ଷା ବିଷୟରେ ପ୍ରଶ୍ନୋତ୍ତର ସେସନରେ ଯୋଗ ଦେଇଥିଲେ ଓ ଫେକ ଆପ୍ସ ଓ ଭୁଲ ଲିଙ୍କ ଚିହ୍ନଟ ପ୍ରକ୍ରିୟା ଦେଖିଥିଲେ ଏବଂ ସମସ୍ତେ ସାଇବର ସୁରକ୍ଷା ଶପଥ ଗ୍ରହଣ କରିଥିଲେ।
ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ହୋଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ଦାସକାଠିଆ ଗାୟକ ଗୌରହରି ଖମାରୀ ଓ ତାଙ୍କ ସାଥି ଏବଂ ସୃଜନୀ ଗ୍ରୁପ ଦ୍ୱାରା ସାଇବର ସୁରକ୍ଷା ବିଷୟରେ ମନୋରଞ୍ଜନ ସହ ସଚେତନତା ବାର୍ତ୍ତା ପରିବେଷଣ କରିଥିଲେ । ଶିବିରରେ ମହିମା ଡିଗ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସହ ରେଙ୍ଗାଲି ଥାନା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ।

