କୋଇଲି ଘୋଘର ମାର୍ଗଶୀର ମେଳା ପାଇଁ ପ୍ରସ୍ତୁତି ବୈଠକ
ଝାରସୁଗୁଡ଼ା ୧/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ପୀଠ କୋଇଲି ଘୋଘର ଠାରେ ୭୯ ତମ ଶ୍ରୀମଦ ଆତ୍ମଗୀତା ଜୟନ୍ତୀ ତଥା ମାର୍ଗଶୀର ମେଳା ପାଳିତ ହେବ । ଏହି କ୍ରମରେ କୋଇଲି ଘୋଘର ଶାନ୍ତି କୁଟୀର ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ସାଧୁ ପରିବ୍ରାଜକ ଅଦ୍ୱୈତାନନ୍ଦ ସ୍ୱାମୀ, ସାଧୁ ପ୍ରେମାନନ୍ଦ ସ୍ୱାମୀ ଓ ସାଧୁ ଆନନ୍ଦାନନ୍ଦ ସ୍ୱାମୀଙ୍କ ଉପସ୍ଥିତିରେ ତଥା ଆତ୍ମଧର୍ମ ମହାସଙ୍ଘ ସଭାପତି ପୁଝାରୀ ପଧାନଙ୍କ ଅଧ୍ୟକ୍ଷତା ବୈଠକରେ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ସଦସ୍ୟ ଗଣ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀମଦ ଆତ୍ମଗୀତା ଜୟନ୍ତୀ ମହୋତ୍ସବକୁ ମହା ସମାରୋହରେ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ସହମତି ପ୍ରକାଶ କରିଥିଲେ I ଏହି ଆଧ୍ୟାତ୍ମିକ ମହୋତ୍ସବ ଆସନ୍ତା ମାର୍ଗଶିର ଶୁକ୍ଳ ଦଶମୀ ୩୦ ନଭେମ୍ବର ରୁ ପୌଷ କୃଷ୍ଣ ପ୍ରତିପଦା ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି ଅନୁଷ୍ଠିତ ହେବ I ଏହି ଅବସରରେ ପର୍ଯ୍ୟାୟ କ୍ରମେ ଶ୍ରୀମଦ ଆତ୍ମଗୀତା ଯଜ୍ଞ, ଶ୍ରୀଗୁରୁ ନାମ ଯଜ୍ଞ, ଭଜନ, ପ୍ରବଚନ ଓ ପ୍ରତିଦିନ ଅନ୍ନପ୍ରସାଦ ସେବନ ର ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା I
ଏହି ଉତ୍ସବରେ ଓଡ଼ିଶା ତଥା ପଡୋଶୀ ରାଜ୍ୟରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ,ସାଧୁ ସନ୍ଥ,ବିଶିଷ୍ଟ ପ୍ରବଚକ ଓ ଭଜନ କଳାକାର ଗଣ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ତେଣୁ ମହୋତ୍ସବକୁ ଶାନ୍ତି ଶୃଙ୍ଖଳା ସହ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପୂର୍ବ ଗଠିତ ଶାନ୍ତି କୁଟୀର ମେଳା ପରିଚାଳନା କମିଟିକୁ ପୁନଃ ଦିୟୀତ୍ୱ ପ୍ରଦାନ କରାଗଲା I ବୈଠକରେ କୋଇଲିଘୁଘର ଆତ୍ମଧର୍ମ ମହାସଙ୍ଘ,ଶାନ୍ତି କୁଟୀର ପରିଚାଳନା କମିଟି, ମେଳା ପରିଚାଳନା କମିଟି ଓ କୋଇଲି ଘୋଘର ବିକାଶ ପରିଷଦ କମିଟି ସଦସ୍ୟଙ୍କ ସମେତ ବିଭିନ୍ନ ଗ୍ରାମରୁ ବହୁ ଲୋକ ଉପସ୍ଥିତ ରହିଥିଲେ ।

