Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡକାୟତି ଯୋଜନା ପଣ୍ଡ, ଏକ ବୋଲେରୋ ଗାଡ଼ି ଓ ମାରଣାସ୍ତ୍ର ସହ ୫ ଗିରଫ

ଝାରସୁଗୁଡା,୩/୧୧ (ଓଡ଼ିଶା ନ୍ୟୁଜ) ଅପରେସନ ନେତ୍ର ଅଭିଯାନରେ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ରେଙ୍ଗାଲି ଥାନା ଅନ୍ତର୍ଗତ କୁହାକୁଣ୍ଡା ମହିମା ଆଶ୍ରମ ନିକଟରେ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଚଢ଼ାଉ କରି ମାରଣାସ୍ତ୍ର ସହ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରେଙ୍ଗାଲି ଥାନା ମଚିଦା ଗାଁର ଜନାର୍ଦନ ଭୋଇ (୪୪), ବରଝା ଗାଁର କୃଷ୍ଣ ଚନ୍ଦ୍ର ଭୋଇ (୨୬), କନ୍ଦଡ଼ିହି ଗାଁର ସୁବୋଧ ରାଉତ (୫୧), ବିଜୟ ଭଁୟର (୨୬) ଓ ଅଶ୍ୱିନୀ ଖମାରୀ (୩୮) । ଘଟଣା ସ୍ଥଳରୁ ଗୋଟିଏ ବୋଲେରୋ ଗାଡ଼ି (ଓଡି ୧୭ କେ ୭୬୨୮), ୫ଟି ମୋବାଇଲ ଫୋନ, ଗୋଟିଏ ଛୁରୀ,ଗୋଟିଏ ଚାପଡ଼, ଗୋଟିଏ ସ୍କୃ ଡ୍ରାଇଭର, ୬ଟି କାଠ କାଟିବା ବ୍ଲେଡ଼ ଓ ଗୋଟିଏ ଟାଙ୍ଗିଆ ଜବତ କରିଛି । ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।
ପୁଲିସର ତଥ୍ୟ ଅନୁଯାୟୀ, ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ କନକତୋରା ବିଟ ହାଉସ ଅଧିକାରୀ ରମେଶ କୁମାର ଭଇଁସାଲ ସଦଳବଳ କନକତୋରା ଅଞ୍ଚଳରେ ଶନିବାର ରାତ୍ର କାଳୀନ ପ୍ୟାଟ୍ରୋଲିଂ କରୁଥିଲେ । ରାତି ପ୍ରାୟ ୩ ଟା ସମୟରେ କୁହାକୁଣ୍ଡା ମହିମା ଆଶ୍ରମ ନିକଟରେ ଅଭିଯୁକ୍ତ ମାନେ ଏକତ୍ରିତ ହୋଇ ଏକ ବଡ଼ ଧରଣର ଡକାୟତି ପାଇଁ ଯୋଜନା କରୁଥିବା କୌଣସି ସୂତ୍ରରୁ ସୂଚନା ପାଇ ଥାନା ଅଧିକାରୀ ଶ୍ରୀ ନାୟକଙ୍କୁ ଜଣାଇଥିଲେ । ଖବର ପାଇ ଶ୍ରୀ ନାୟକ ଥାନା ଷ୍ଟାଫ ଙ୍କ ସହ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରି ୫ ଅଭିଯୁକ୍ତ ଙ୍କୁ ମାରଣାସ୍ତ୍ର ସହ ଗିରଫ କରିବାରେ ସକ୍ଷମ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ