ସମ୍ବେଦନଶୀଳ ପରମାଣୁ ତଥ୍ୟ ଆଦାନ ପ୍ରଦାନରେ ନକଲି ବୈଜ୍ଞାନିକ ଅଖତାର ହୁସେନି ଗିରଫ
ନୂଆଦିଲ୍ଲୀ,୩|୧୧: ଝାଡ଼ଖଣ୍ଡର ଜାମସେଦପୁରର ବାସିନ୍ଦା ଅଖତାର ହୁସେନି ନାମକ 60 ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ | ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଭାବା ଆଣବିକ ଗବେଷଣା କେନ୍ଦ୍ର (BARC)ର ଜଣେ ବୈଜ୍ଞାନିକ ଭାବରେ ନିଜକୁ ପରିଚୟ ଦେଇ ବିଦେଶରୁ ଅନେକ ପାଣ୍ଠି ଆଣିଛନ୍ତି | NDTV ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ଅନେକ ସମ୍ବେଦନଶୀଳ ପରମାଣୁ ତଥ୍ୟ ଆଦାନପ୍ରଦାନ ପାଇଁ କୋଟି କୋଟି ଟଙ୍କାର ବିଦେଶୀ ପାଣ୍ଠି ମିଳିଛି |
ଗତ ମାସରେ ମୁମ୍ବାଇ ପୋଲିସ ଅଖତାର ହୁସେନିଙ୍କୁ BARC ବୈଜ୍ଞାନିକ ବୋଲି ମିଥ୍ୟା ଦାବି କରି ଦେଶ ବ୍ୟାପି ଭ୍ରମଣ କରିବାରୁ ଗିରଫ କରିଥିଲା। ଝାଡ଼ଖଣ୍ଡର ଜାମସେଦପୁରର ବାସିନ୍ଦା ହୁସେନିଙ୍କଠାରୁ ପରମାଣୁ ଅସ୍ତ୍ର ସହ ଜଡିତ ୧୦ ରୁ ଅଧିକ ମାନଚିତ୍ର ଏବଂ ତଥ୍ୟ ମଧ୍ୟ ଜବତ କରାଯାଇଥିଲା।
ତାଙ୍କଠାରୁ ଅନେକ ନକଲି ପାସପୋର୍ଟ, ଆଧାର ଏବଂ ପାନ କାର୍ଡ ଏବଂ ଏକ ନକଲି BARC ପରିଚୟପତ୍ର ମଧ୍ୟ ଜବତ କରାଯାଇଥିଲା। ଗୋଟିଏ ପରିଚୟପତ୍ର ତାଙ୍କୁ ଅଲି ରାଜା ହୁସେନ ବୋଲି ଚିହ୍ନଟ କରିଥିବା ବେଳେ ଅନ୍ୟଟି ତାଙ୍କର ନାମ ଆଲେକଜାଣ୍ଡାର ପାଲମର ବୋଲି ଦର୍ଶାଇଥିଲା । ପୂର୍ବରୁ ତାଙ୍କ ଭାଇ ଆଦିଲକୁ ମଧ୍ୟ ଦିଲ୍ଲୀରେ ଗିରଫ କରାଯାଇଥିଲା।
ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ସୂତ୍ର ଅନୁଯାୟୀ, ହୁସେନି ଭାଇମାନେ ୧୯୯୫ ମସିହାରେ ବିଦେଶୀ ପାଣ୍ଠି ପାଇବା ଆରମ୍ଭ କରିଥିଲେ। ପ୍ରାରମ୍ଭରେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆଯାଇଥିଲା, କିନ୍ତୁ ୨୦୦୦ମସିହା ପରେ ସେମାନଙ୍କୁ କୋଟି କୋଟି ଟଙ୍କା ଦିଆଯାଇଥିଲା। ସନ୍ଦେହ କରାଯାଉଛି ଯେ, ଏହି ଟଙ୍କା BARC ଏବଂ ଅନ୍ୟାନ୍ୟ ପରମାଣୁ ପ୍ଲାଣ୍ଟ ସହ ଜଡିତ ଗୁପ୍ତ blu ପ୍ରିଣ୍ଟ ପାଇଁ ଦିଆଯାଇଥିଲା।
ତଦନ୍ତ ସମୟରେ, ପୋଲିସ ଅଖତର ହୁସେନିଙ୍କ ନାମରେ ଏକ ଘରୋଇ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ପାଇଥିଲା, ଯେଉଁଥିରେ ସନ୍ଦେହଜନକ କାରବାର ତଥ୍ୟ ଦେଖାଯାଇଥିଲା | ସଠିକ୍ ପରିମାଣ ଏବଂ ପାଣ୍ଠିର ଉତ୍ସ ନିର୍ଣ୍ଣୟ କରିବା ପାଇଁ ପୋଲିସ ଏବେ ବ୍ୟାଙ୍କରୁ ସମ୍ପୂର୍ଣ୍ଣ କାରବାରର ବିବରଣୀ ମାଗିଛି। ଦୁଇ ଭାଇ ସେମାନେ ବ୍ୟବହାର କରୁଥିବା ଆହୁରି ଅନେକ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ବନ୍ଦ କରିଦେଇଥିଲେ। ସମ୍ପୂର୍ଣ୍ଣ ଟଙ୍କାର ଟ୍ରେଲ୍ ସ୍ଥାପନ କରିବା ପାଇଁ ପୋଲିସ ପୁରୁଣା ଆକାଉଣ୍ଟଗୁଡ଼ିକର ରେକର୍ଡ ଯାଞ୍ଚ କରୁଛି। ପୂର୍ବରୁ ଦୁଇ ଭାଇ ପାକିସ୍ତାନ ଗସ୍ତ କରିଥିଲେ ଏବଂ ସେମାନଙ୍କର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ସହିତ ସମ୍ପର୍କ ଥାଇପାରେ ବୋଲି ସନ୍ଦେହ ମଧ୍ୟ କରାଯାଉଛି |
ଅଖତାର ତାଙ୍କର ପରିଚୟ ପରିବର୍ତ୍ତନ କରି ଛଦ୍ମବେଶରେ ରହୁଥିଲେ। ସେ ୧୯୯୬ ମସିହାରେ ଝାଡ଼ଖଣ୍ଡରେ ଏକ ପୈତୃକ ଘର ବିକ୍ରି କରିଥିଲେ କିନ୍ତୁ ତାଙ୍କର ପୁରୁଣା ସମ୍ପର୍କ ସହାୟତାରେ ସେ ଜାଲ କାଗଜପତ୍ର ହାସଲ କରି ଚାଲିଥିଲେ ବୋଲି ସୂତ୍ରରୁ ଜଣାପଡିଛି।
ତା’ପରେ ଆଦିଲ ତାଙ୍କୁ ଝାଡ଼ଖଣ୍ଡର ଜଣେ ବାସିନ୍ଦା ମୁନାଜିଲ ଖାନଙ୍କ ସହ ପରିଚୟ କରାଇଥିଲା, ଯିଏ ହୁସେନି ମହମ୍ମଦ ଆଦିଲ ଏବଂ ନସିମୁଦ୍ଦିନ ସୟଦ ଆଦିଲ ହୁସେନି ନାମରେ ସେମାନଙ୍କ ପାଇଁ ଦୁଇଟି ନକଲି ପାସପୋର୍ଟ ତିଆରି କରିଥିଲେ। ପାସପୋର୍ଟରେ ଉଲ୍ଲେଖ କରାଯାଇଥିବା ଠିକଣା ଜାମସେଦପୁରରେ ଥିବା ସେମାନଙ୍କ ଘରର ଥିଲା, ଯାହା ପ୍ରାୟ 30 ବର୍ଷ ପୂର୍ବେ ବିକ୍ରି ହୋଇଥିଲା। ପୋଲିସ ସନ୍ଦେହ କରୁଛି ଯେ ,ଦୁଇ ଭାଇ ବିଦେଶ ଯାତ୍ରା ପାଇଁ ଏହି ନକଲି କାଗଜପତ୍ର ଏବଂ ନକଲି ପରିଚୟ ବ୍ୟବହାର କରିଥିଲେ।

