ନିର୍ବାଚନ ଜିତିଲେ ମହିଳାଙ୍କୁ ମିଳିବ ୩୦ ହଜାର, ଚାଷୀଙ୍କୁ ମାଗଣା ବିଦ୍ୟୁତ୍…
        ପାଟନା: ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ମଙ୍ଗଳବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନର ମାତ୍ର ଦୁଇ ଦିନ ପୂର୍ବରୁ ସେ ମହିଳା ଏବଂ ସରକାରୀ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ମାଷ୍ଟରଷ୍ଟ୍ରୋକ୍ ଦେଇଛନ୍ତି।
ତେଜସ୍ୱୀ ଘୋଷଣା କରିଛନ୍ତି ଯେ ଯଦି ମହାଗଠବନ୍ଧନ ସରକାର ଗଠନ କରେ ତେବେ “ମାଇ ବେହେନ ଯୋଜନା” ଅଧୀନରେ ସମ୍ପୂର୍ଣ୍ଣ ବାର୍ଷିକ ରାଶି ଅର୍ଥାତ୍ ୩୦,୦୦୦ ମହିଳାଙ୍କ ଆକାଉଣ୍ଟକୁ ଏକାଥରେ ପଠାଯିବ। ସେ କହିଛନ୍ତି, “ସରକାର ଗଠନ କରିବା ପରେ ଜାନୁଆରୀ ୧୪ ତାରିଖରେ ଆମ ସରକାର ସମ୍ପୂର୍ଣ୍ଣ ବାର୍ଷିକ ରାଶି ଆମର ମା’ ଏବଂ ଭଉଣୀମାନଙ୍କ ଆକାଉଣ୍ଟରେ ଜମା କରିବ।
ସେ ସରକାରୀ କର୍ମଚାରୀମାନଙ୍କ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି। ନିର୍ବାଚନ ଜିତିଲେ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ଗୃହ ଜିଲ୍ଲାରୁ ସର୍ବାଧିକ ୭୦ କିଲୋମିଟର ଦୂରତା ମଧ୍ୟରେ ନିଯୁକ୍ତି ଦିଆଯିବ। ଯାହା ଫଳରେ ସେମାନଙ୍କୁ ସେମାନଙ୍କ ପରିବାରଠାରୁ ଦୂରରେ ରହିବାର କଷ୍ଟ ସହିବାକୁ ପଡ଼ିବ ନାହିଁ।
ସେହିପରି ଚାଷୀଙ୍କ ସପକ୍ଷରେ ଆଉ ଏକ ବଡ଼ ଘୋଷଣା କରି ସେ କହିଛନ୍ତି ଯେ ଜଳସେଚନ ପାଇଁ ବିଦ୍ୟୁତ୍ ଏବେ ମାଗଣାରେ ଯୋଗାଇ ଦିଆଯିବ। ବର୍ତ୍ତମାନ ରାଜ୍ୟ ସରକାର ଚାଷୀମାନଙ୍କ ଠାରୁ ପ୍ରତି ୟୁନିଟ୍ ୫୫ ପଇସା ଶୁଳ୍କ ଆଦାୟ କରନ୍ତି, କିନ୍ତୁ ଯଦି ଆମ ସରକାର ଗଠନ ହୁଏ ତେବେ ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବରେ ସରକାର ବହନ କରିବେ।

                        