ପର୍ଯ୍ୟଟନସ୍ଥଳୀ ନୃସିଂହନାଥକୁ ଯୋଡିବ ବରଗଡ଼ ନୂଆପଡା ରେଳଲାଇନ : ରେଳ ଉପଭକ୍ତା ସଂଘ ବହୁ ଦିନ ସଭିଁଙ୍କ ମିଳିତ ସଂଘର୍ଷ ପରେ ଖୁସିର ଲହରୀ


ଅତାବିରା / ବରଗଡ଼ -ବରଗଡ଼ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବୀ ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ନୂତନ ରେଳପଥ ଏବେ ପୂରଣ ହେବାକୁ ଯାଉଛି। ଏହାଦ୍ବାରା ଚିର ଅବହେଳିତ ପଦ୍ମପୁର ଉପଖଣ୍ଡରେ ବିକାଶର ମାର୍ଗ ପ୍ରଶସ୍ତ ହୋଇପାରିଛି। ଆମ ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ରେଳଲାଇନ ଦ୍ଵାରା ଯୋଡ଼ି ହୋଇଯିବ। କିନ୍ତୁ, ଏହି ରେଳ ପ୍ରକଳ୍ପର ସ୍ଵୀକୃତି ପାଇବା ସେତେ ସହଜ ନ ଥିଲା। ଏଥିପାଇଁ ବିଭିନ୍ନ ସମୟରେ ଆମର ସାଂସଦ, ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ପ୍ରୟାସ କରିଛନ୍ତି। ଏଥିପାଇଁ ତତ୍କାଳୀନ ସାଂସଦ ସ୍ବର୍ଗତ କୃପାସିନ୍ଧୁ ଭୋଇ, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ପ୍ରଭାସ ସିଂହ ତଥା ବର୍ତ୍ତମାନ ସାଂସଦ ଶ୍ରୀ ସୁରେଶ ପୂଜାରୀ ଓ ଶ୍ରୀ ବସନ୍ତ ପଣ୍ଡାଙ୍କ ଯଥେଷ୍ଟ ଭୂମିକା ରହିଛି। ତେବେ, ଏହି ରେଳ ଲାଇନ ସ୍ଵୀକୃତି ପାଇବା ଖୁସି ଅବସରରେ ଏହି କଣ୍ଟକିତ ପଥକୁ ସୁଗମ କରିବା ପ୍ରୟାସରେ ହାତ ବଢେଇଥିବା ବ୍ୟକ୍ତିମାନଙ୍କ ବିଷୟରେ ସମସ୍ତଙ୍କୁ ଜଣାଇବାକୁ ଏକ ପ୍ରୟାସ କରାଯାଇଛି।
ଚାରି ଦଶକରୁ ଊର୍ଦ୍ଧ୍ବ ସମୟରୁ ତତ୍କାଳୀନ ସାଂସଦ ସ୍ବର୍ଗତ କୃପାସିନ୍ଧୁ ଭୋଇଙ୍କ ଦ୍ଵାରା ଉତ୍ଥାପିତ ଏହି ଦାବୀକୁ ରେଳବାଇ ଦ୍ବାରା ସର୍ଭେ କରାଯାଇ ଆବଶ୍ୟକ ପ୍ରତିଫଳ ଦର (rate of return / ROR) ଅଭାବରୁ ସ୍ଵୀକୃତ ହୋଇ ପାରିନଥିଲା। ପରେ ଏହି ରେଳ ଲାଇନ୍ ପାଇଁ ଆହୁରି ଦୁଇଥର ସର୍ଭେ କରାଯାଇଥିଲା; କିନ୍ତୁ ଫଳ ସେଇ ସମାନ। ପ୍ରତିଫଳ ଦର ସର୍ବଦା ୩% ରୁ କମ। ପରେ ସାଂସଦ ଶ୍ରୀ ପ୍ରଭାସ ସିଂହଙ୍କ ଉଦ୍ୟମରେ ଚତୁର୍ଥଥର ସର୍ଭେ କରାଯାଇଥିଲା। ଏହାର ମଧ୍ୟ ପୂର୍ବଭଳି ସମଦଶା ହୋଇଥାନ୍ତା; କିନ୍ତୁ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ଆଜି ଆମକୁ ରେଳବାଇ ତରଫରୁ ଏହି ଉପହାର ମିଳିଛି। ଶ୍ରୀ ତ୍ରିପାଠୀ ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘକୁ ବିଶ୍ୱାସକୁ ନେଇ କରିଥିବା ପ୍ରୟାସ ପାଇଁ ଏହାର ପ୍ରତିଫଳ ଦର ପ୍ରାୟ ୧୮% ହୋଇପାରିଲା।
ଦ୍ବିତୀୟତଃ, ତାହାର ଅନେକ ଦିନପରେ ରାଜ୍ୟସଭାରେ ବିଜେଡି ସାଂସଦ ଶ୍ରୀ ଅମର ପଟ୍ଟନାୟକ ରେଳମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ବରଗଡ଼-ନୂଆପଡ଼ା ରେଳପଥ ସମ୍ବନ୍ଧରେ ପ୍ରଶ୍ନ କରିଥିଲେ। ମନ୍ତ୍ରୀ କହିଥିଲେ, ଏହି ପ୍ରସ୍ତାବ ଉପରେ ରେଳ ମନ୍ତ୍ରାଳୟରୁ ରାଜ୍ୟସରକାରଙ୍କୁ ପତ୍ର ପଠାଯାଇଛି, ଯଦି ରାଜ୍ୟସରକାର ଏହି ପ୍ରକଳ୍ପ ପାଇଁ ମାଗଣା ଜମି ତଥା ବିସ୍ଥାପନ ଖର୍ଚ୍ଚ ବହନ କରିବେ, ତେବେ ରେଳବାଇ ଏହା ଉପରେ ବିଚାର କରିବ। ଏହି ଖବରକୁ ଆଧାର କରି ବରଗଡ ରେଳ ଉପଭୋକ୍ତା ସଂଘ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟଙ୍କ ସହ ସମ୍ପର୍କ କରିଥିଲା ଏବଂ ତତ୍କାଳୀନ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରାଙ୍କୁ ଭେଟିବାର ଇଚ୍ଛାପ୍ରକାଶ କରିଥିଲା। ସୌଭାଗ୍ୟବଶତଃ, ମନ୍ତ୍ରୀ ଶ୍ରୀ ବେହେରାଙ୍କ ତା.୪/୪/୨୦୨୧ ଦିନ ବରଗଡ଼ କୋର୍ଟ ସମ୍ମୁଖରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବାର କାର୍ଯ୍ୟକ୍ରମ ଥିଲା। ରେଳ ଉପଭୋକ୍ତା ସଂଘର ସଦସ୍ୟମାନେ ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କ ସହ ଯାଇ ମନ୍ତ୍ରୀଙ୍କୁ ଭେଟି ଏହି ରେଳ ଲାଇନ ସଂପର୍କୀତ ଚିଠି କଥା କହିଥିଲେ। ମନ୍ତ୍ରୀ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ଭୁବନେଶ୍ୱର ଫେରିବା ପରେ ସଂଗେସଂଗେ ଉକ୍ତ ଚିଠିର ଉତ୍ତର ପଠାଇବେ ଏବଂ ପ୍ରତିଶ୍ରୁତି ରକ୍ଷା କରି ରାଜ୍ୟସରକାରଙ୍କ ତରଫରୁ ତା.୨୧/୪/୨୦୨୧ ରେ ରେଳ ମନ୍ତ୍ରାଳୟକୁ ମାଗଣା ଜମିପ୍ରଦାନ ଓ ବିସ୍ଥାପନ ଖର୍ଚ୍ଚ ବହନ ପ୍ରସ୍ତାବରେ ସମ୍ମତି ପ୍ରକାଶ ସମ୍ବନ୍ଧିତ ଚିଠି ପଠା ଯାଇଥିଲା। ରେଳବିଭାଗ ଏହାକୁ ଅନୁଧ୍ୟାନ କରି ତା.୩୧/୧୨/୨୦୨୧ ଦିନ ନୀତିଗତ ସ୍ଵୀକୃତି ପ୍ରଦାନ କରିଥିଲା। ପୁଣି, ତା.୨୦/୩/୨୦୨୩ ରେ ରେଳ ଉପଭୋକ୍ତା ସଂଘ ଭୁବନେଶ୍ୱର ଯାଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ବାସଭବନରେ ସାକ୍ଷାତ କରି ଏହି ରେଳପଥ ପାଇଁ ଆବଶ୍ୟକ ପ୍ରାଥମିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲା। ମନ୍ତ୍ରୀ ଶ୍ରୀମତୀ ସାହୁ ଏହା ଉପରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏହାକୁ ଓରିଡ଼ିଲକୁ (ଓଡ଼ିଶା ରେଳ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ଲିମିଟେଡ), ଯାହାକି ୫୧% ରାଜ୍ୟସରକାର ଓ ୪୯% ରେଳ ବିଭାଗର ସେଆରକୁ ନେଇ ଗଠିତ, ଉକ୍ତ କାମକୁ ଆଗେଇ ନେବା ପାଇଁ ଦାୟିତ୍ବ ଦିଆଯାଇଛି।
ଏବେ ଏହି ପ୍ରକଳ୍ପକୁ ଭାରତ ସରକାରଙ୍କ ଗେଜେଟ ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ଵୀକୃତି ପ୍ରଦାନ କରି ଲୋକଙ୍କ ମନରେ ରହିଥିବା ସମସ୍ତ ପ୍ରକାରର ଦ୍ଵନ୍ଦ ଦୂର କରିଦେଇଛି।
ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଦୀପ ଦେବତା ବରଗଡ ଜିଲ୍ଲାବାସୀଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇବା ସହ ଏଥିପାଇଁ କେନ୍ଦ୍ରସରକାର ଓ ରାଜ୍ୟସରକାର ତଥା ଏଥିରେ ଜଡିତ ସମସ୍ତ ମନ୍ତ୍ରୀ ଓ ଜନ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ଅଜିତ ଶତପଥୀଙ୍କ ଆବାହକତ୍ୱରେ ପଦ୍ମପୁର, ପାଇକମାଳ ଓ ବିଜେପୁର ବାସୀଙ୍କ ଦ୍ଵାରା ଗଠିତ ରେଲୱେ ମିଳିତ କ୍ରିୟାନୁଷ୍ଠାନ କମିଟିକୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି। ବରଗଡର ପୂର୍ବତନ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ଭୂମିକା ଏହି ପ୍ରକଳ୍ପରେ ସର୍ବୋପରି ହୋଇଥିବାରୁ ଶ୍ରୀ ଦେବତା ତାଙ୍କୁ ବିଶେଷ କୃତଜ୍ଞତା ଜଣାଇଛନ୍ତି।