Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଷା ଆନ୍ଦୋଳନର ପୁରୋଧା ସ୍ୱାଧିନତା ସଂଗ୍ରାମୀ ଚନ୍ଦ୍ର ଶେଖର ବେହେରାଙ୍କ ଜନ୍ମ ଜୟନ୍ତୀ

ସମ୍ବଲପୁର : ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଓଡିଶାର ମହାନ ଜନନାୟକ ଭାଷା ଆନ୍ଦୋଳନର ପୁରୋଧା ତଥା ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସଭାପତି ଅଶୋକ କୁମାର ମିଶ୍ରଙ୍କର ଅଧ୍ଯକ୍ଷତାରେ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ଭବନଠାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟ ଚନ୍ଦ୍ରଶେଖର ବେହେରାଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖି କହିଲେ ଯେ,ଚନ୍ଦ୍ରଶେଖର ସମଗ୍ର ଓଡିଆ ଜାତିର ନେତଥିଲେ। ସେ କେବଳ ସମ୍ବଲପୁରର ଗର୍ବ ଓ ଗୌରବ ନଥିଲେ ସେଥିଲେ ସମଗ୍ର ଉତ୍କଳର ସୁଯୋଗ୍ୟ ସନ୍ତାନ। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନର ସେଥିଲେ ମହାନ କର୍ଣଧାର।ସେ ସମୟରେ ତାଙ୍କ ସାଙ୍ଗଠନିକ କ୍ଷମତା ଯୋଗୁଁ ସମ୍ବଲପୁରରେ ଉତ୍କଳ ସମ୍ମିଳନୀର ଅଧିବେଶନ ହୋଇପାରିଥିଲା।ତାଙ୍କ ଚିନ୍ତାଧାରା ଭବିଷ୍ଯତର ମାର୍ଗଦର୍ଶନ କରିବା ଯୋଗ୍ୟ ଥିଲା ସେଥିପାଇଁ ସସେ ସମୟରେ ତାଙ୍କୁ ସାମାଜିକ ବାସନ୍ଦର ନିର୍ଯ୍ୟାତନା ମଧ୍ୟ ସହ୍ୟ କରିବାକୁ ପଡିଛି କିନ୍ତୁ ପରେ ସମାଜ ତାଙ୍କ ସେହି ମହତ ଗୁଣର ମହତ୍ତ୍ୱକୁ ବୁଝିପାରିଛି। ଓଡିଶାକୁ ଜାତୀୟ ଆନ୍ଦୋଳନରେ ସାମିଲ କରିବାରେ ତାଙ୍କର ବିଶେଷ ଭୂମିକା ରହିଥିଲା। ମୁଖ୍ୟବକ୍ତା ପ୍ରଫେସର ସୁଜିତ କୁମାର ପୃଷେଠ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ଭାଷା ଆନ୍ଦୋଳନ ଯଜ୍ଞର ସେଥିଲେ ଏକ ସମିଧ କାଠ।୧୮୯୫ରେ ନିଜ ଭାଷା,ନିଜ ଅସ୍ମିତା ପାଇଁ ଲଢିବାକୁ ଯେଉଁ କେତେଜଣ ମହାନ ଜନନାୟକ ନିଜକୁ ସମାଜର ଉତ୍ଥାନ ସକାଶେ ନିୟୋଜିତ କରିଥିଲେ ସେମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ବେହେରା ଥିଲେ ଅନ୍ୟତମ। ସୁରେନ୍ଦ୍ର ସାଏଙ୍କ ଦ୍ୱାରା ପ୍ରବର୍ତ୍ତିତ ଅସ୍ତ୍ରକୁ ନେଇ ବ୍ରିଟିଶ ସରକାର ଯେଉଁ ବିଦ୍ରୋହୀ ଉପତ୍ୟକାର ସୂତ୍ରପାତ ଏହି ସମ୍ବଲ ଅଂଚଳରେ ହୋଇଥିଲା ଅହିଂସା ମାର୍ଗରେ ଯାଇ ଚନ୍ଦ୍ରଶେଖର ସେହି ବ୍ରିଟିଶ ସରକାରର ବିଦ୍ରୋହୀ ଉପତ୍ୟକାର ନୃତନ ରୂପକଳ୍ପ ନିର୍ଦ୍ଧାରଣ କରିଥିଲେ। ସେ ଏହି ଅଂଚଳର ରାଜନୈତିକ ଅର୍ଥନୀତିକୁ ଭଲଭାବରେ ହୃଦୟଙ୍ଗମ କରିଥିଲେ ତେଣୁ ପ୍ରକୃତ ଅର୍ଥରେ ଏକ ରାଷ୍ଟ୍ରବାଦୀ ଜନମଙ୍ଗଳ ରାଷ୍ଟ୍ର ସକାଶେ ତାଙ୍କର ଦୂରଦୃଷ୍ଟି ରହିଥିଲା। ଚନ୍ଦ୍ରଶେଖରଙ୍କ କାର୍ଯ୍ୟ ଆଗାମୀ ପୀଢୀକୁ ଜଣାଇବା ନିହାତି ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସାଂସ୍କୃତିକ ସମାଜର ଚନ୍ଦ୍ରଶେଖର ବେହେରା ୧୫୦ତମ ଜନ୍ମ ବାର୍ଷିକୀ ପାଳନ ସମିତିର ଆବାହକ ରାମାନୁଜ ପଣ୍ଡା ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଆଜି ସକାଳେ ସାଂସ୍କୃତିକ ସମାଜ ପକ୍ଷରୁ ଜିଲ୍ଲାସ୍କୁଲ,ପୌର ପରିଷଦ ପ୍ରାଙ୍ଗଣ ଓ କଚେରିଠାରେ ଥିବା ଚନ୍ଦ୍ରଶେଖର ବେହେରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଦୀନବନ୍ଧୁ ପଣ୍ଡା,ସୁରେଖା ସାହୁ,ଅଖିଳ ପଟ୍ଟନାୟକ,ଦୀଲିପ କୁମାର ବଘାର,ଡ. ସତ୍ୟନାରାୟଣ ଠାକୁର,ଲଲିତ ମୋହନ ବେବର୍ତ୍ତା,କୈଳାଶ ମିସ୍ତ୍ରୀ ପ୍ରମୁଖ ସହଯୋଗ କରିଥିଲେ।
ଡା.ରାଜାରାମ ଷଡଙ୍ଗୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ