ପୀତବାସ ପଣ୍ଡା ହତ୍ୟା ମାମଲା; ପରିବାରକୁ ମିଳିଲା ୨୪ ଘଣ୍ଟିଆ ସୁରକ୍ଷା
ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲା। ପରିବାରକୁ ମିଳିଲା ୨୪ ଘଣ୍ଟିଆ ସୁରକ୍ଷା। ପୀତବାସଙ୍କ ଘର ଚାରିପଟେ ସାଧା ପୋଷାକଧାରୀ ପୋଲିସ ମୁତୟନ ହେବେ। ପୀତବାସଙ୍କ ପତ୍ନୀଙ୍କ ପ୍ରେସମିଟ୍ ପରେ ସୁରକ୍ଷା ଦେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି।
ଆଜି ପ୍ରେସ୍ମିଟ୍ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଥିଲେ ପୀତବାସଙ୍କ ଧର୍ମପତ୍ନୀ ସୁସ୍ମିତା ପଣ୍ଡା। କହିଥିଲେ ଜୀବନ ପ୍ରତି ତାଙ୍କର ବିପଦ ଅଛି। ମାମଲା ପ୍ରତ୍ୟାହାର କରିବାକୁ ପୁଅ ପାଖକୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସୁଛି। ବିକ୍ରମ ପଣ୍ଡାଙ୍କ ନମ୍ଵରରୁ ଦୁଇ ଥର କଲ୍ ଆସିଛି। ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଘରେ ରହିବାକୁ ମଧ୍ୟ ଭୟ ଲାଗୁଛି। ପୁଅ ବି ଭୟଭୀତ ଅଛି।
ସୁସ୍ମିତା ପଣ୍ଡା ପୁଣି କହିଛନ୍ତି ଯେ, ପୀତବାସଙ୍କ ହତ୍ୟା ପରେ ଅଭିଯୁକ୍ତ ବିକ୍ରମ ପଣ୍ଡା ସମବେଦନା ଜଣାଇବାକୁ ଘରକୁ ଆସିଥିଲା। ଏହି ହତ୍ୟା ମାମଲା ପଛରେ ଏବେ ବିକ୍ରମଙ୍କ ସମ୍ପୃକ୍ତି ଜାଣି ଆଶ୍ଚର୍ଯ୍ୟ ଲାଗୁଛି। ତେଣୁ ପ୍ରେସ୍ମିଟ୍ ମାଧ୍ୟମରେ ସୁସ୍ମିତା ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ଏବଂ ସୁରକ୍ଷାର ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି, ନିଶ୍ଚୟ ନ୍ୟାୟ ମିଳିବ ବୋଲି କହିଛନ୍ତି।
ସୂଚନା ମୁତାବକ, ମୃତ୍ୟୁ ପୂର୍ବରୁ ଶେଷ ଥର ପାଇଁ ପୀତବାସ ୬ ତାରିଖ ରାତି ସାଢେ ୮ଟାରେ ତାଙ୍କ ସ୍ତ୍ରୀଙ୍କ ସହ କଥା ହୋଇଥିଲେ। ଥାନା ଓ କୋର୍ଟରୁ ଫେରିବା ସମୟରେ ହୋଟେଲରୁ ଖାଇବା ନେଇ ଆସିବି ବୋଲି କହିଥିଲେ।

