ବଡ଼ ଆତଙ୍କୀ ଯୋଜନା ବିଫଳ, ୩୦୦ କିଲୋ RDX, AK-୪୭ ସହ ଗୋଳାବାରୁଦ ଜବତ
ନୂଆଦିଲ୍ଲୀ,10।11: ଜମ୍ମୁକାଶ୍ମୀର ପୋଲିସକୁ ମିଳିଛି ବଡ଼ ସଫଳତା । ଆତଙ୍କୀ ମାନଙ୍କ ଦ୍ୱାରା କରାଯାଇଥିବା ଏକ ବଡ ଯୋଜନାର ପର୍ଦାଫାଶ ହୋଇଛି। ଫରିଦାବାଦ ଅଞ୍ଚଳରୁ ୩୦୦ କିଲୋ RDX ସହିତ AK-୪୭ ଏବଂ ଅନେକ ଗୋଳାବାରୁଦ ଜବତ ହୋଇଛି।
ଜମ୍ମୁ ପୋଲିସ ହରିୟାଣାର ଫରିଦାବାଦରେ ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ହୋଇଥିବା ଡାକ୍ତର ଆଦିଲ ଅହମ୍ମଦ ରାଠରଙ୍କ ସୂଚନା ଅନୁସାରେ ପୋଲିସ ଚଢ଼ାଉ କରିଥିଲା । ଅଧିକାରୀ ମାନଙ୍କ ସୂଚନା ଅନୁଯାୟୀ, ଡାକ୍ତର ଜଣଙ୍କ ଏକ ଭଡା ଘର ନେଇ ରହୁଥିଲେ। ପୋଲିସ ତାଙ୍କ ଘରୁ ପ୍ରାୟ ୩୦୦ କିଲୋ RDX, ଦୁଇଟି AK-47 ରାଇଫଲ୍, ୮୪ କାର୍ଟ୍ରିଜ୍ ଓ ରାସାୟନିକ ପଦାର୍ଥ ମାନ ମଧ୍ୟ ଜବତ କରିଛି। ଏକ ସୂଚନା ଆଧାରରେ ଏହି ଅପରେସନ କରାଯାଇଥିଲା । ଏଥିପାଇଁ ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ।
ଜମ୍ମୁ ଏବଂ କାଶ୍ମୀର ପୋଲିସ ଦ୍ୱାରା ଗଠନ ଦଳ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ସୂତ୍ର ଅନୁସାରେ, ଏହି ଅପରେସନ ଆତଙ୍କବାଦୀ ସଂଗଠନ ଅନସାର ଘଜୱାତ-ଉଲ-ହିନ୍ଦ (AGH) ର ତଦନ୍ତର ଏକ ଅଂଶ। ତଦନ୍ତରୁ ଜଣାପଡିଛି ଯେ ତିନି ଜଣ ଡାକ୍ତର ଏହି ସଂଗଠନ ସହିତ ଦୀର୍ଘ ଦିନ ଧରି ଜଡିତ ଥିଲେ। ଏହି ଡାକ୍ତରମାନଙ୍କ ମଧ୍ୟରୁ ଦୁଇଜଣ ଆଦିଲ ଅହମ୍ମଦ ରାଥେର (ଅନନ୍ତନାଗର ବାସିନ୍ଦା) ଏବଂ ମୁଜାମ୍ମିଲ ଶକିଲ (ପୁଲୱାମାର ବାସିନ୍ଦା)ଙ୍କୁ ସାହାରାନପୁର ଏବଂ ଫରିଦାବାଦରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଡାକ୍ତର ଏବେ ବି ଫେରାର୍ ଅଛନ୍ତି।

