ପାନୀୟ ଜଳ ପାଇଁ ଚାହିଁ ରହିଛନ୍ତି ଗ୍ରାମବାସୀ; ୧୭ ଠିକାଦାରଙ୍କ ହାତରେ ରହିଛି ୩୫,୦୦୦ କୋଟିର ପ୍ରକଳ୍ପ
A village water tank built to store water.
ଭୁବନେଶ୍ୱର,୧୨ା୧୧: ଓଡ଼ିଶାବାସୀଙ୍କୁ ପାନୀୟ ଜଳ ମିଳିବା ପାଇଁ ସରକାର ବିଭିନ୍ନ ପ୍ରକାରର ପ୍ରକଳ୍ପ କରୁଛନ୍ତି | ଏହା ପାଇଁ ସରକାର ଚିନ୍ତାରେ ପଡିଲେଣି | ପାଣି ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି | ଏହା ସହିତ ‘ମିଶନ ପାଓ୍ବାର’କୁ କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ମଙ୍ଗଳବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା | ଅପରାହ୍ନରେ ବିଧାନସଭାରେ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି। ହେଲେ ବୈଠକରୁ ବାସ୍ତବ ସ୍ଥିତି ଯାହା ଲୋକଲୋଚନକୁ ଆସିଛି, ତାହା ଅତ୍ୟନ୍ତ ଚିନ୍ତାର ବିଷୟ। କେତେଜଣ ଠିକାଦାରଙ୍କ ହାତରେ ରାଜ୍ୟବାସୀଙ୍କ ପାଣିର ଚାବିକାଠି ରହିଛି। ଫଳରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଠିକ୍ ସମୟରେ ଶେଷ ହେଉନାହିଁ କି ଲୋକଙ୍କୁ ପାଣି ଟୋପେ ମିଳିପାରୁନାହିଁ। ଏଭଳି ସାଂଘାତିକ କଥା ବିଧାନସଭା ଷ୍ଟାଣ୍ଡିଂ କମିଟି-୯ ବୈଠକରୁ ଜଣାପଡ଼ିଛି। ବୈଠକର ନିଷ୍ପତ୍ତି କ୍ରମେ ଅତିରିକ୍ତ ବଜେଟ ଅଧିବେଶନ ପରେ ପ୍ରତି ପାନୀୟ ଜଳ ପ୍ରକଳ୍ପକୁ ତଦାରଖ କରାଯିବ। ଯେଉଁ ଠିକାଦାର କାର୍ଯ୍ୟରେ ଅବହେଳା କି ବାହାନାବାଜି କରୁଥିବେ, ସେମାନଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ |
ବୈଠକ ପରେ ବିଧାୟକ ସନାତନ କହିଛନ୍ତି, ରାଜ୍ୟରେ ୩୨ ହଜାର ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପ୍ରକଳ୍ପକୁ ପୁରା କରିବା ପାଇଁ ୧୭ଜଣ ଠିକାଦାରଙ୍କୁ ୩୫ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯେଉଁ ତଥ୍ୟ କମିଟି ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ସାଂଘାତିକ। ଠିକାଦାରମାନେ ମନମୁଖି କାର୍ଯ୍ୟ କରୁଛନ୍ତି। ଫଳରେ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ଭିତରେ ଶେଷହେବ କି ନାହିଁ ନେଇ ସରକାରଙ୍କ ମନରେ ସନ୍ଦେହ ଉପୁଜିଛି। ସେ ଆହୁରି କହିଛନ୍ତି, ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ୧୧ଟି ବ୍ଲକ୍ର ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ଏଲ୍ଆଣ୍ଡ୍ଟି କୁ ପ୍ରକଳ୍ପ କାର୍ଯ୍ୟ ବହୁତ ଦିନ ପୂର୍ବରୁ ଦେଇଥିଲେ। ସେତେବେଳେ ପ୍ରକଳ୍ପର ମୂଲ୍ୟ ଥିଲା ୧୫୦୦ କୋଟି ଟଙ୍କା। ହେଲେ ଅଦ୍ୟାବଧି ପ୍ରକଳ୍ପ କାର୍ଯ୍ୟ ଯେଉଁ ପରିମାଣରେ ଶେଷ ହେବାକଥା ତାହା ହୋଇନାହିଁ।
ଏପରି କି ସମ୍ପୃକ୍ତ କମ୍ପାନୀ କାର୍ଯ୍ୟକୁ କିଭଳି ଅଧିକ ବିଳମ୍ବ କରିହେବ, ସେନେଇ ଜମି ସମସ୍ୟା ଉପସ୍ଥାପନ କରୁଛି। ତେବେ କେଉଁ କାରଣରୁ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ | ଏହାର ନିରାକରଣ କେବେ ସୁଦ୍ଧା ହେବ ସେନେଇ ଆଲୋଚନା ହୋଇଛି। ପଞ୍ଚାୟତିରାଜ ବିଭାଗକୁ ଏ ସଂକ୍ରାନ୍ତରେ ଟିକିନିଖି ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।
ସୂଚନା ମୁତାବକ , ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ୨୦୭ଟି ପାନୀୟଜଳ ପ୍ରକଳ୍ପ ମଧ୍ୟରୁ ଅଦ୍ୟାବଧି ୨୩ଟିର କାର୍ଯ୍ୟ ଶେଷ ହୋଇଛି। ହେଲେ କେତେକ ସ୍ଥାନରେ ଏଯାଏ ଲୋକଙ୍କ ପାଖରେ ସେଥିରୁ ପାଣି ଯୋଗାଣ ହୋଇପାରିନାହିଁ। ଅନ୍ୟପକ୍ଷେ ବାକିଥିବା ୧୮୪ଟି ପ୍ରକଳ୍ପ ମଧ୍ୟରୁ ଅଧିକାଂଶର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଯେଉଁ ପ୍ରକଳ୍ପ ୨୦୨୫ ଡିସେମ୍ବର ସୁଦ୍ଧା ଶେଷ ହେବାକଥା ତାହା ଏପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇ ପଡ଼ିରହିଛି। ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୬ ସୁଦ୍ଧା ଆଉ ୬୧ଟିି ପ୍ରକଳ୍ପ ଶେଷ ହେବାକଥା, ମାତ୍ର ତାହା ମଧ୍ୟ ଅନିଶ୍ଚିତତା ଦେଇ ଚାଲୁରହିଛି। ତେବେ ଅନୁଗୋଳରେ ପ୍ରାୟ ୧୦୦ କୋଟି ଟଙ୍କାର ୬ଟି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି। ଜଳଜୀବନ ମିଶନ ଏବଂ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ଅର୍ଥରେ ଏହିସବୁ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଥିଲେ ହେଁ ଶେଷହେବାର ନାଁ ଧରୁନାହିଁ। ସେହିପରି ବାଲେଶ୍ୱରରେ ୭୭୦ କୋଟିରେ ୬ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଥିବା ବେଳେ ଅନ୍ୟାନ୍ୟ ଜିଲାରେ ଅନୁରୂପ ଭାବେ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ବୈଠକରୁ ଜଣାଯାଇଛି। ବୈଠକରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ୍ସାମନ୍ତରାୟ, ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

