ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ; ଦିଲ୍ଲୀ ବିସ୍ପୋରଣ ପରେ ସୁରକ୍ଷାକୁ କରାଯିବ କଡାକଡି
ଭୁବନେଶ୍ୱର;୧୨|୧୧: ଆଗକୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆନ୍ତର୍ଜାତୀୟ ସ୍ତରରେ ଟି-ଟ୍ୱେଣ୍ଟି ମ୍ୟାଚ ହେବାକୁ ଯାଉଛି |ଏହାର ପ୍ରସ୍ତୁତିକୁ ନେଇ ବୈଠକ ହୋଇଛି। ଓଡିଶାର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ସୁରକ୍ଷାରେ କୌଣସି ତ୍ରୁଟି ନ ରହିବା ପାଇଁ ଓସିଏ ଓ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-ଟ୍ବେଣ୍ଟି ମ୍ୟାଚ୍ । ଏଥିପାଇଁ ଲୋକସେବା ଭବନରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଛି | ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓଡିଶା କ୍ରିକେଟ୍ ଆସୋସିଏସନ୍ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ।
ଏହା ଯେପରି ତୃଟିଶୂନ୍ୟ ଭାବେ ପରିଚାଳିତ ହେବ ଏବଂ ଓଡିଶାର ମର୍ଯ୍ୟାଦା ସୁରକ୍ଷିତ ହେବ, ସେଥିପାଇଁ ସମସ୍ତେ ସଚେତନ ରହିବା ନିହାତି ଜରୁରୀ । ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମ୍ୟାଚ୍ର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଟିକେଟ୍ କିଣାବିକା, ଦର୍ଶକ ମାନଙ୍କ ପାଇଁ ସୁବ୍ୟବସ୍ଥା, ନିରନ୍ତର ଲାଇଟିଙ୍ଗ ବ୍ୟବସ୍ଥା, ଷ୍ଟାଡିୟମ୍ର ଭିତ୍ତିଭୂମି ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ଏବଂ ଟ୍ରାଫିକ୍ ପରିଚାଳନା ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି ।
ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରିପ୍ରେକ୍ଷୀରେ ଏହି ଅନ୍ତର୍ଜାତୀୟ କ୍ରୀଡା ସମୟରେ ପୋଲିସ୍ ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷାକୁ କଡାକଡି କରାଯିବା ଆବଶ୍ୟକ । ଏଥିପାଇଁ ପୁଲିସ୍ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅସୁସ୍ଥ ବ୍ୟକ୍ତି କିମ୍ବା ଅନ୍ୟାନ୍ୟ ଅସୁବିଧା ସ୍ଥଳରେ ଲୋକମାନଙ୍କୁ ନେବା ଆଣିବା ପାଇଁ ଏକ ସୁବ୍ୟବସ୍ଥିତ ଗ୍ରୀନ କରିଡର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ଏହା ସହିତ, ଭିଡ ନିୟନ୍ତ୍ରଣ, ଟିକେଟ୍ ବିକ୍ରି, ଜରୁରୀ ଚିକିତ୍ସା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟ ଗୁଡିକୁ ଉପଯୁକ୍ତ ଭାବେ ତଦାରଖ କରି ନିର୍ଭୁଲ ଭାବେ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଥିଲେ ।
ପ୍ରତ୍ୟେକ ଷ୍ଟାଣ୍ଡର କ୍ଷମତା ଅନୁଯାୟୀ ସେଠାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯିବ। ମ୍ୟାଚ୍ ସମୟରେ ନିରନ୍ତର ଲାଇଟିଙ୍ଗ ବ୍ୟବସ୍ଥା ପାଇଁ ଅଧିକ ଜେନ୍ସେଟ୍ ଅଣାଯାଇଥିବା ବେଳେ ଏହାର ମନିଟରିଂ ପାଇଁ ନୂଆ ସପ୍ଟୱେୟାର୍ ମଧ୍ୟ ଇନ୍ଷ୍ଟଲ କରାଯାଇଛି । ଗୋଟିଏ ଜେନ୍ସେଟ୍ ଫେଲ୍ ହେଲେ ତୁରନ୍ତ ଅନ୍ୟ ଗୋଟିଏ ଜେନ୍ସେଟ୍ ଚାଲୁ ହେବ ଏବଂ ଲାଇଟିଙ୍ଗ ବ୍ୟବସ୍ଥା ନିରନ୍ତର ଭାବେ ଜାରି ରହିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

