ଐତିହାସିକ ବାଲିଯାତ୍ରାରେ ଅଘଟଣ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି କଲେ ଉଦ୍ଧାର
କଟକ,୧୩।୧୧: ଐତିହାସିକ ବାଲିଯାତ୍ରା ପଡିଆରେ ବୁଧବାର ରାତିରେ ଏକ ଅଘଟଣ ଘଟିଛି। ରାତି ପ୍ରାୟ ୧୧ଟା ବେଳେ ହାମର୍ ଦୋଳିର ମୋଟର ପୋଡ଼ିଯିବାରୁ ଏହା ଅଧାରେ ଅକାମି ହୋଇଯାଇଥିଲା। ଫଳରେ ଦୋଳିରେ ବସିଥିବା ପ୍ରାୟ ଆଠ ଜଣ ଲୋକ ୧୦୦ ଫୁଟ ଉଚ୍ଚରେ ଫସିକି ରହିଥିଲେ। ପ୍ରାୟ ୧ଘଣ୍ଟା ଧରି ଫସି ରହିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ତତକ୍ଷଣାତ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।
ଫସି ରହିଥିବା ଯାତ୍ରୀଙ୍କ ସୁରକ୍ଷା ନଜରରେ ରଖି ଦୋଳି ନିକଟ ଅଞ୍ଚଳରେ ଜାଲ ବିଛାଯାଇଥିଲା। ସୂଚନା ମୁତାବକ, ରାତି ୧୦ଟା ପରେ ସମସ୍ତ ଦୋଳି ବନ୍ଦ କରାଯିବା କଥା। କିନ୍ତୁ ହାମର ଦୋଳିରେ ସେହି ସମୟରେ ୧୬ ଜଣଙ୍କୁ ବସାଇ ଖେଳ ଚାଲିଥିଲା। ତେବେ ପରେ ଦୋଳି ହଠାତ୍ ବନ୍ଦ ହୋଇଯାଇଥିଲା। ଯାଞ୍ଚ ସମୟରେ ଦୋଳିର ମୋଟର ପୋଡ଼ିଯାଇଥିବା ଜଣାପଡ଼ିଥିଲା। ଦୋଳି ଖେଳ ଅଧାରେ ବନ୍ଦ ହେବାବେଳକୁ ହାମରର ଗୋଟିଏ ପାର୍ଶ୍ୱ ଭୂମି ଆଡ଼କୁ ଥିବାବେଳେ ଅନ୍ୟ ପାଶ୍ୱର୍ଟି ଉପରକୁ ଉଠି ରହିଥିଲା। ଉଭୟ ପାର୍ଶ୍ୱରେ ୮ଜଣ ଲେଖାଏ ବସିଥିଲେ। ଦୋଳି ନ ଚାଲିବାରୁ ତଳ ପାର୍ଶ୍ୱରେ ବସିଥିବା ଲୋକମାନେ ଓହ୍ଲାଇ ପଡ଼ିଥିବାବେଳେ ଉପରକୁ ଉଠି ରହିଥିବା ପାର୍ଶ୍ୱରେ ଲୋକେ ଭୟରେ ଚିତ୍କାର କରିଥିଲେ। ଘଟଣା ଜଣାପଡ଼ିବା ପରେ ଦୋଳି ପାଖରେ ଲୋକଙ୍କ ଭିଡ଼ ଜମିଥିଲା।
ଦୋଳି ମାଲିକଙ୍କ କହିବା ଅନୁସାରେ ଯାନ୍ତ୍ରିକ ଅସୁବିଧା ଲାଗି ଏଭଳି ଘଟଣା ଘଟିଛି। ଘଟଣାର ଖବର ପାଇଁ କଟକ ଡିସିପି ଘଟଣାସ୍ଥଳରେ ପହଁଚିଥିଲେ। ତେବେ ଆଜି ବଲିଉଡ୍ର କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ରାତିରେ ଥିବାବେଳେ ରାତିକ ପୂର୍ବରୁ ଏଭଳି ଅଘଟଣକୁ ନେଇ ଅନେକ ଚିନ୍ତା ପ୍ରକାଶ କରିଛନ୍ତି।

