ରୋଗୀ ଦେଖୁ ଦେଖୁ ଚାଲିଗଲା ଜୀବନ; ହୃଦଘାତ ନେଲା ଡାକ୍ତରଙ୍କ ଜୀବନ
ବାଲେଶ୍ୱର;୧୫|୧୧: ଡାକ୍ତରୀ କ୍ଷେତ୍ରରେ ଏକ ଅଭାବନୀୟ ଘଟଣା ଘଟିଛି | ଯାହା ସମସ୍ତଙ୍କୁ ଚକିତ କରିବା ସହିତ ଶୋକର ଛାୟା ଖେଳିଯାଇଛି | ରୋଗୀଙ୍କ ସେବା କରିବା ଲୋକ ଆଜି ନିଜେ ଶବ ପାଲଟିଯାଇଛି | ସେମିତି ଜଣେ ମଣିଷ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ଏ ସଂସାର ଛାଡ଼ି ପରପାରିର ପଥିକ ହୋଇସାରିଛନ୍ତି । ଏହି ଅଘଟଣ ବାଲେଶ୍ୱର ଜିଲ୍ଲାରେ ଘଟିଛି |
ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତ୍ରିନାଥ ପାଲ୍। ଯିଏ ବାଲେଶ୍ୱର ଜିଲ୍ଲା ନୀଳଗିରି ଡାକ୍ତରଖାନାରେ ଅନେକ କଅଁଳ ଜୀବନକୁ ଦୁନିଆକୁ ଆଣିଛନ୍ତି। ତାଙ୍କ ପାଖରେ ଚିକିତ୍ସିତ ହୋଇ ଅନେକ ମହିଳା ମାଆ ହୋଇଛନ୍ତି । ଅନ୍ୟ ଦିନ ଭଳି ଗତକାଲି ବି ସେ ଡାକ୍ତରଖାନା ଯାଇଥିଲେ | ରୋଗୀ ମଧ୍ୟ ଦେଖୁଥିଲେ । ହେଲେ ତାଙ୍କୁ କଣ ଜଣାଥିଲା ତାଙ୍କର ଏହା ଶେଷ ରୋଗୀଦେଖା ବୋଲି। ରୋଗୀ ଦେଖିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।
ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଡାକ୍ତର ବାବୁଙ୍କ ପିଣ୍ଡରୁ ପ୍ରାଣ ଛାଡ଼ି ସାରିଥିଲା । ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ | ନୀଳଗିରି ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ତଥା ବ୍ଲଡ ବ୍ୟାଙ୍କ ଇନଚାର୍ଜ ଥିଲେ ଡାକ୍ତର ତ୍ରିନାଥ ପାଲ। ତାଙ୍କ ଦେହାନ୍ତ ଖବର ଶୁଣି ଡାକ୍ତରଖାନାରେ ପହଞ୍ଚି ଶୋକ ପ୍ରକାଶ କରିଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। ଡାକ୍ତରଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର, ସାଥୀ ଡାକ୍ତର ଏବଂ ଅନ୍ୟ କର୍ମଚାରୀ।

