ରାଜାମୌଲିଙ୍କ ନୂତନ ସିନେମା ‘ବାରାଣସୀ’ର ଟିଜର ରିଲିଜ୍, ମୁଖ୍ୟ ଭୂମିକାରେ ଦେଖାଦେବେ ମହେଶ ବାବୁ ଏବଂ ପ୍ରିୟଙ୍କା ଚୋପ୍ରା
ନୂଆଦିଲ୍ଲୀ,୧୭|୧୧: ସାଉଥ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ତାଙ୍କ ନୂତନ ଫିଲ୍ମ ‘ବାରାଣସୀ’ର ପ୍ରଥମ ଲୁକ୍ ଏବଂ ଟିଜର ହାଇଦ୍ରାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉନ୍ମୋଚନ କରିଛନ୍ତି। ମୁଖ୍ୟ ଭୂମିକାରେ ଦେଖାଦେବେ ମହେଶ ବାବୁ, ଏବଂ ପ୍ରିୟଙ୍କା ଚୋପ୍ରା | ମହେଶ ବାବୁଙ୍କ ଲୁକ୍ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ାଇଛି। ଏହି ଫିଲ୍ମଟି ଏସିଆର ସବୁଠାରୁ ଅଧିକ ମହଙ୍ଗା ସିନେମା ହେବ।
ଭାରତୀୟ ସିନେମାକୁ ବିଶ୍ବ ସ୍ତରରେ ପହଞ୍ଚାଇଥିବା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ସବୁବେଳେ ସୁପର ହିଟ ମୁଭି ମାନ ତିଆରି କରିଛନ୍ତି | ଏବେ ତାଙ୍କର ଅନ୍ୟ ଏକ ଐତିହାସିକ ଫିଲ୍ମକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। RRR ଏବଂ ବାହୁବଳୀ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ଏସ୍ଏସ୍ ରାଜାମୌଲି ଏବେ ଏସିଆର ସବୁଠାରୁ ମହଙ୍ଗା ଫିଲ୍ମ ନିର୍ମାଣ କରୁଥିବା ଜଣାଯାଇଛି। ସିନେମାଟିର ନାମ ‘ବାରାଣସୀ’ ରହିଛି | ଯେଉଁଥିରେ ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡ-ହଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରା ଅଭିନୟ କରିଛନ୍ତି| ଫିଲ୍ମରେ ମହେଶ ବାବୁଙ୍କ ଚରିତ୍ରର ନାମ ରୁଦ୍ର ରଖାଯାଇଛି ଏବଂ ଅଭିନେତ୍ରୀ ପ୍ରିୟଙ୍କାଙ୍କ ଚରିତ୍ର ନାମ ମନ୍ଦାକିନୀ ରଖାଯାଇଥିବା ବେଳେ ତାଙ୍କର ଲୁକ୍ ମଧ୍ୟ ପ୍ରଶଂସକଙ୍କୁ ପସନ୍ଦ ଆସିଛି।
ପ୍ରଶଂସକମାନଙ୍କ ପାଇଁ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଏକ ବିଶାଳ କାର୍ଯ୍ୟକ୍ରମ କରାଯାଇ ଫିଲ୍ମର ଟିଜର ରିଲିଜ୍ କରାଯାଇଛି। ଟିଜରରେ କଳାକାରଙ୍କ ପ୍ରଥମ ଲୁକ୍ ଦେଖିବାକୁ ମିଳିଛି। ଟିଜର ରିଲିଜ୍ ପରେ ଫିଲ୍ମକୁ ନେଇ ଫ୍ୟାନ୍ସ ମାନଙ୍କ ମନରେ ଆଗ୍ରହ ବଢ଼ିଯାଇଥିବାର ଦେଖିବାକୁ ମିଳିଛି |ଟିଜର ରିଲିଜ୍ ସହ ରାଜାମୌଲି ବାରାଣସୀର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ୨୦୨୭ ମସିହାରେ ସିନେମାଟି ହଲରେ ରିଲିଜ୍ ହେବ ବୋଲି ସେ କହିଛନ୍ତି।
ସୂଚନା ମିଳିଛି ଯେ, ଯେତେବେଳେ ଏହି ଚଳଚିତ୍ରର ଟିଜର ରିଲିଜ୍ ହେଲା ସେତେବେଳେ କାର୍ଯ୍ୟକ୍ରମରେ ପ୍ରାୟ ୫୦,୦୦୦ ପ୍ରଶଂସକ ଭିଡ଼ ଜମାଇଥିଲେ। ଇଭେଣ୍ଟ ଆରମ୍ଭ ହେବାକୁ କିଛି ସମୟ ଲାଗିଥିଲେ ବି ପ୍ରଶଂସକମାନେ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୁତି ହାସନ ଲାଇଭ୍ ସଙ୍ଗୀତ ପରିବେଶଣ ମଧ୍ୟ କରିଥିଲେ। ଫିଲ୍ମରେ ସେ ‘ସଞ୍ଚାରୀ’ ନାମକ ଗୀତ ଗାଇଥିବା ବେଳେ ଏହାକୁ ସେ ମଞ୍ଚ ଉପରେ ଲାଇଭ୍ ଗାଇଥିଲେ।
ଫିଲ୍ମର ପ୍ରଥମ ଟିଜରରେ ମହେଶଙ୍କୁ ଦେଖିବାକୁ ମିଳିଛି, ଯେଉଁଥିରେ ସେ ଏକ ବିଶାଳ ଷଣ୍ଢ ଉପରେ ବସିଛନ୍ତି। ମହେଶଙ୍କ ମୁହଁରେ ଅନେକ ଆଘାତ ଲାଗିଥିବା ବେଳେ ସେ ତ୍ରିଶୁଳ ଧରି ଷଣ୍ଢ ଉପରେ ବସିଥିବା ଭିଡିଓରେ ଦେଖାଯାଇଛି। ଏହି ଫିଲ୍ମରେ ଅଭିନେତ୍ରୀ ପ୍ରିୟଙ୍କାଙ୍କ ଲୁକ୍ ମଧ୍ୟ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି। ସେ ଏକ ହଳଦିଆ ଶାଢ଼ି ପିନ୍ଧି ହାତରେ ବନ୍ଧୁକ ଧରିଥିବାର ଦେଖିବାକୁ ମିଳିଛି।
ରିପୋର୍ଟ ଅନୁଯାୟୀ “ବାରାଣସୀ”ର ମୋଟ ବଜେଟ୍ ୧୦୦୦ କୋଟିରୁ ଅଧିକ। ଏହି ବଜେଟ୍ ପାଇଁ ଫିଲ୍ମଟି ଏପର୍ଯ୍ୟନ୍ତର ସବୁଠାରୁ ମହଙ୍ଗା ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି। ସୂଚନା ଅନୁସାରେ, ମହେଶ ବାବୁ ଏହି ଫିଲ୍ମ ପାଇଁ କୌଣସି ପ୍ରକାରର ଫିସ୍ ନେଇନାହାଁନ୍ତି; ସେ ରାଜାମୌଲିଙ୍କ ସହ ମିଶି ପ୍ରଫିଟ୍ ସେୟାରିଂ ମଡେଲରେ କାମ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହା ଜଣାପଡୁଛି ଯେ ପ୍ରାୟ ୪୦% ପ୍ରଫିଟ୍ ସେୟାର ଏହି ଦୁଇ ଜଣଙ୍କ ପାଖରେ ରହିବ । ମହେଶ ବାବୁ ଏବଂ ରାଜାମୌଲିଙ୍କ ଏହି ପଦକ୍ଷେପ ସୂଚାଇ ଦିଏ ଯେ, ଫିଲ୍ମର ପରିମାଣ ଏତେ ବଡ଼ ଯେ ଏହାର ରୋଜଗାର ଆଶାଠାରୁ ଅଧିକ ହୋଇପାରେ।

