ତିନି ନୂଆ ମନ୍ତ୍ରୀଙ୍କୁ ମିଳିଲା ବିଭାଗ ଦାୟିତ୍ବ; କାହାକୁ ମିଳିଲା କେଉଁ ବିଭାଗ?


ଭୁବନେଶ୍ୱର: ଆଜି ଶପଥ ନେଇଛନ୍ତି ରାଜ୍ୟର ତିନି ନୂଆ ମନ୍ତ୍ରୀ। ରାଜ୍ୟପାଳ ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ତିନି ନୂଆ ମନ୍ତ୍ରୀ। ଶପଥ ନେବାର କିଛି ଘଣ୍ଟା ପରେ ନୂଆ ମନ୍ତ୍ରୀଙ୍କୁ ମିଳିଛି ବିଭାଗ ଦାୟିତ୍ବ  । ଯାହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା। ତେବେ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ମିଳିଛି ଅର୍ଥ  ବିଭାଗ ଦାୟିତ୍ବ । ସେହିପରି  ସୁଦାମ ମାର୍ଣ୍ଡିଙ୍କୁ ମିଳିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ବ। ଶାରଦା ନାୟକଙ୍କୁ ମିଳିଲା ଶ୍ରମ ବିଭାଗ ଦାୟିତ୍ୱ ।

ଆଜି  ସକାଳ ୯ଟା ୫୦ରେ ତିନି ନୂଆ ମନ୍ତ୍ରୀ ଶପଥ ନେଇଥିଲେ । ତେବେ କାହାକୁ କେଉଁ ଦାୟିତ୍ବ ମିଳିବ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସମସ୍ତ ଚର୍ଚ୍ଚାର ସମାପ୍ତି ଘଟିଛି। ନିକଟରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ। ଏହାପରେ ପରେ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ  ୬ ଥର ଜିତି ଆସୁଥିବା ବିକ୍ରମ  ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ । ହେଲେ ଗତ ବର୍ଷ ଜୁନ୍‌ ମାସରୁ ସେ ବାଚସ୍ପତି ଭାବେ ଦାୟିତ୍ୱ ନେଇଥିଲେ । ବିକ୍ରମ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଦୀର୍ଘ ୧୧ ବର୍ଷ ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି ଶାରଦା ନାୟକ। ମୁଖ୍ୟମନ୍ତ୍ରୀ ଶାରଦାଙ୍କୁ ଦେଇଛନ୍ତି ଶ୍ରମ ବିଭାଗ ଦାୟିତ୍ୱ । ୨୦୦୯ରୁ ୨୦୧୨ ଯାଏ ସେ ନବୀନ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ ଥିଲେ।   

୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ  ନବୀନଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ ଥିଲେ ସୁଦାମ ମାର୍ଣ୍ଡି। ସେ ୨୦୧୯ରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ରାଜସ୍ବ ବିଭାଗ ପାଇଥିଲେ । ଏବେ ନବୀନଙ୍କ ମନ୍ତ୍ରୀମଣ୍ଡଳକୁ ପୁଣି ଫେରିଛନ୍ତି ସୁଦାମ ମାର୍ଣ୍ଡି। ତାଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାପୂର୍ବରୁ ସମୀର ଦାଶ ଥିଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ।