୩୫୦ପ୍ରତିଶତ ଶୁଳ୍କର ଧମକ ଦେଇ ଇଣ୍ଡିଆ ଏବଂ ପାକିସ୍ତାନ ଯୁଦ୍ଧ ବନ୍ଦ କରିଛି – ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ, ୨୦|୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଉତ୍ତେଜନାକୁ ବନ୍ଦ କରିଛନ୍ତି | ତାଙ୍କ ଦ୍ୱାରା ୩୫୦ ପ୍ରତିଶତ ଶୁଳ୍କ ନିୟମ ଲଗାଇବାର ଧମକ ଦେଇ ଉଭୟ ଦେଶ ମଧ୍ୟରେ ଥିବା ଉତ୍ତେଜନାକୁ ସେ ସମାଧାନ କରିଛନ୍ତି | ଭାରତ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ଲଗାତାର ଅସ୍ୱୀକାର କରିଆସିଥିବା ବେଳେ ଟ୍ରମ୍ପ ଏହି ଦାବିକୁ ୬୦ରୁ ଅଧିକ ଥର ଦୋହରାଇଛନ୍ତି ଯେ ସେ ଚଳିତ ବର୍ଷ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ “ସମାଧାନ” କରିବାରେ ସାହାଯ୍ୟ କରିଥିଲେ। ଟ୍ରମ୍ପଙ୍କ ଦାବି ଅନୁସାରେ, ଗତ ମେ ମାସରେ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ପରେ ପାକିସ୍ତାନ ଏବଂ ଭାରତ ଦୁଇ ପଡ଼ୋଶୀ ଦେଶ ପରମାଣୁ ଯୁଦ୍ଧର ମୁହାଁମୁହିଁ ହୋଇ ଥିଲେ। ଏଥିପାଇଁ ଭାରୀ ଶୁଳ୍କ ଲଗାଇବାକୁ ଧମକ ଦେଇ ଯୁଦ୍ଧକୁ କୁଆଡେ ରୋକିଥିଲେ ଟ୍ରମ୍ପ। ଏହା ପୂର୍ବରୁ ବି ଅନେକଥର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ରୋକିବାର ଶ୍ରେୟ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। କିନ୍ତୁ ପ୍ରଥମ ଥର ପାଇଁ ସେ ୩୫୦% ଶୁଳ୍କ ଲଗାଇବାକୁ ଧମକ ଦେଇ ଯୁଦ୍ଧ ବନ୍ଦ କରିଥିବା ଦାବି କରିଛନ୍ତି।
ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି ଯେ, ସେ ମେ ମାସରେ ହୋଇଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ୮୮ ଘଣ୍ଟାର ଯୁଦ୍ଧ ଅପରେସନରେ ହୋଇଥିବା ଆର୍ଥିକ କ୍ଷତି ବିଷୟରେ ଉଭୟ ଦେଶକୁ ଚେତାବନୀ ଦେଇଥିଲେ। ସେ କହିଥିଲେ, “ଭାରତ ଏବଂ ପାକିସ୍ତାନ, ସେମାନେ ପରମାଣୁ ଅସ୍ତ୍ରର ମୁହାଁମୁହିଁ ହେବାକୁ ଯାଉଥିଲେ | ସେହି ସମୟରେ ମୁଁ ପ୍ରତ୍ୟେକ ଦେଶ ଉପରେ ୩୫୦% ଶୁଳ୍କ ଲାଗୁ କରିବାକୁ କହିଥିଲି | ଏବଂ ଆମେରିକା ସହିତ କୌଣସି ବାଣିଜ୍ୟ ହେବ ନାହିଁ ବୋଲି ଧମକ ମଧ୍ୟ ଦେଇଥିଲି।
ଟ୍ରମ୍ପ୍ ଦାବି କରିଛନ୍ତି ଯେ, ଉଭୟ ଭାରତ ଏବଂ ପାକିସ୍ତାନ ରାଷ୍ଟ୍ର ତାଙ୍କୁ ଏହା ନକରିବାକୁ ଅନୁରୋଧ କରିଥିଲେ। ତାହା ପରେ ଡୋନାଲଡ ଟ୍ରମ୍ପ୍ ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କଟାକ୍ଷ କରି କହିଥିଲେ, “ଅନ୍ୟ କୌଣସି ରାଷ୍ଟ୍ରପତି ଏହା କରି ପାରିନଥାନ୍ତେ। ଜୋ ବାଇଡେନ ଜାଣିପାରିବେ ନାହିଁ ଯେ ଆମେ କେଉଁ ଦେଶ ବିଷୟରେ କଥା ହେଉଛୁ। ତାଙ୍କର କୌଣସି ଧାରଣା ନଥାନ୍ତା, ଏବଂ ସମଗ୍ର ବିଶ୍ୱ ନର୍କ ହୋଇଥାନ୍ତା। ଯୁଦ୍ଧ ବନ୍ଦ କରିବା ପାଇଁ ଟ୍ରମ୍ପଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଧନ୍ୟବାଦ ଦେଇଥିଲେ। ଇଜିପ୍ଟରେ ଅନୁଷ୍ଠିତ ଗାଜା ଶାନ୍ତି ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଟ୍ରମ୍ପଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ।

