Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ବୈଠକ; ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ ବାଜିଛି ମୋହର

ଭୁବନେଶ୍ବର ୨୧।୧୧: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ ରାଜ୍ୟର ଅତି ଗୁରୁତ୍ୱପୂର୍ଣ୍ଣ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି | ସୂଚନା ଅନୁସାରେ, ରାଜ୍ୟ କ୍ୟାବିନେଟ୍‌ର ୩୦ତମ ବୈଠକରେ ୯ଟି ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

କ୍ୟାବିନେଟ ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଲଘୁ ଖଣିଜ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଓଡ଼ିଶାର ଉନ୍ନତି ମୂଳକ ବିକାଶ ପାଇଁ ହଜାରେ କୋଟି ଟଙ୍କାର ପୁଞ୍ଜି ନିବେଶ ହେବାର ଧାର୍ଯ୍ୟ ହୋଇଛି। ଖଣି ଲିଜ୍ ଆବଣ୍ଟନ ପାଇଁ ଏଥର ଇ-ଲଟେରି ବ୍ୟବସ୍ଥା ପ୍ରଚଳନ କରାଯିବାର ନିଷ୍ପତ୍ତି କ୍ୟାବିନେଟରେ ହୋଇଛି | ଲଘୁ ଖଣିଜ ଦ୍ରବ୍ୟରେ କଳାବଜାରୀ ନହେବାକୁ ଏଭଳି ପଦକ୍ଷେପ ନିଆଯାଇଛି । ବିକାଶ ଦିଗରେ ଟେକ୍ନୋଲୋଜିକୁ ବ୍ୟବହାର କରାଯିବ ।

ଅର୍ଥ ଓ ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । SC/ST ବିଭାଗ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପରିଚାଳିତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରାକ୍-ମାଟ୍ରିକ୍ ଛାତ୍ରବୃତ୍ତି ବଢ଼ିଛି । ଛାତ୍ରଙ୍କୁ ପୂର୍ବରୁ ବାର୍ଷିକ ୧୦, ୫୦୦ ପରିବର୍ତ୍ତେ ଏବେ ୧୬ ହଜାର ମିଳିବ ଏବଂ ଛାତ୍ରୀ ମାନଙ୍କୁ ୧୧ ହଜାର ବଦଳରେ ୧୭ ହଜାର ଟଙ୍କା ମିଳିବ। ଜଳ ପ୍ରଦୂଷଣ ନିୟମରେ ସଂଶୋଧନ ପ୍ରସ୍ତାବ ଉପରେ ମଧ୍ୟ ମିଳିଛି ମଞ୍ଜୁରୀ।

ରାଜ୍ୟ କ୍ୟାବିନେଟ୍‌ରେ ୟୁନିଫର୍ମ ସର୍ଭିସ୍ ପାଇଁ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନକୁ ମଧ୍ୟ ମିଳିଛି ଅନୁମୋଦନ | ଚୟନ ଆୟୋଗରେ ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିବେ। ଏହା ଦ୍ଵାରା ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆସିବ । ପୋଲିସ, ବନ ବିଭାଗ, ଅବକାରୀ ଭଳି ୟୁନିଫର୍ମ ସେବା ପାଇଁ ନିଯୁକ୍ତି କରିବ ଏହି ଆୟୋଗ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ