ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ କାହାର ହାତ; କିଏ ଦୋଷୀ…
ଭୁବନେଶ୍ବର;୨୪|୧୧: ଓଡ଼ିଆର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କର ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହୋଇଛି | ଏହି ମୃତ୍ୟୁ ପାଇଁ ଦୁଇ ମ୍ୟାନେଜରଙ୍କୁ ହ୍ୟୁମାନଙ୍କ ମା’ ଦୋଷ ଦେଇଛନ୍ତି। ତାଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବଲାଙ୍ଗୀର ଟାଉନ୍ ଥାନା ଓ ସଇଁତଳା ଥାନାରେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏତଲା ଦିଆହୋଇଛି।
ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆଜି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି | ତାଙ୍କୁ ଚିକିତ୍ସା କରୁଥିବା ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର କର ହ୍ୟୁମାନଙ୍କ ମୃତ୍ୟୁକୁ ନେଇ କିଛି ତଥ୍ୟ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁୟାଯୀ, ହ୍ୟୁମାନ ଯେତେବେଳେ ଶେଷ ଥର ପାଇଁ ଗତ ୧୨ ତାରିଖରେ ତାଙ୍କ ନିକଟକୁ ଆସିଥିଲେ ସେତେବେଳେ ତାଙ୍କ ପରିସ୍ରାରେ ରକ୍ତ ପଡ଼ୁଥିଲା। ଯକୃତ (ଲିଭର୍) ଖରାପ ହୋଇ ଯାଇଥିବାବେଳେ କିଡ୍ନି ଅଚଳ ହୋଇ ଯାଇଥିଲା। ହାର୍ଟ ଦୁର୍ବଳ ସହିତ ତାଙ୍କୁ ନିମୋନିଆ ହୋଇଯାଇଥିଲା। ଏଭଳି ସ୍ଥିତିରେ ସେ ଗଣ୍ଡରପୁରରେ ଥିବା ଏକ ଘରୋଇ ହସ୍ପିଟାଲକୁ ଆସି ଚିକିତ୍ସିତ ହେଉଥିଲେ |
ଡାକ୍ତର କର ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, “ହ୍ୟୁମାନ ୨୦୨୪ ସେପ୍ଟେମ୍ବରରୁ ତାଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ସେତେବେଳକୁ ତାଙ୍କର ଆଲ୍କହଲ୍ ଜନିତ ଲିଭର୍ ସିରୋସିସ୍ ଥିଲା। ପେଟରେ ପାଣି ଜମିଯାଇଥିଲା। ସେ ବହୁତ ଶୋଚନୀୟ ଅବସ୍ଥା ଦେଇ ଗତି କରୁଥିଲେ। ୨-୩ ମାସରେ ଥରେ ଆସି ସେ ଚିକିତ୍ସିତ ହେଉଥିଲେ। ଗତ ଅକ୍ଟୋବର ୨୮ ତାରିଖରେ ସେ ଆସିଥିଲେ। ସ୍ବାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ୭ ଦିନ ପାଇଁ ସେ ମେଡିକାଲରେ ଆଡ୍ମିସନ୍ ହେବାକୁ ପରାମର୍ଶ ଦିଆଯାଇଥିଲା। କାମ ବନ୍ଦ କରିବାକୁ ମୁଁ ପରାମର୍ଶ ଦେଇଥିଲି। ତାଙ୍କୁ ଆଲ୍କହଲ୍ ନ ନେବାକୁ ମଧ୍ୟ କହିଥିଲି। ସେ କିନ୍ତୁ ମାନି ନ ଥିଲେ। ଗୋଟିଏ ଦିନ ରହି ପରଦିନ ଠିକ୍ ଲାଗୁଛି କହି ଚାଲିଯାଇଥିଲେ। ଶେଷ ଥର ଗତ ୧୨ ତାରିଖରେ ସେ ଆସିଥିଲେ। ସେତେବେଳକୁ ତାଙ୍କୁ ଚାରିରୁ ୫ ଦିନ ଜ୍ବର ଲାଗି ରହିଥିଲା। ଔଷଧ ଠିକ୍ରେ ଖାଉନଥିଲେ। ପରିସ୍ରାରେ ରକ୍ତ ପଡୁଥିଲା। ସେ ଧଇଁସଇଁ ହେଉଥିଲେ। ଅକ୍ସିଜେନ୍ ସାଚ୍ୟୁରେସନ୍ ୮୦ରୁ ୮୫ ପ୍ରତିଶତ ଥିଲା। ଯେଉଁଥିରେ ତାଙ୍କୁ ୧୦ ଲିଟରରୁ ୧୫ ଲିଟର ଅକ୍ସିଜେନ୍ରେ ରଖିଥିଲୁ। ଯେତେବେଳେ ଏକ୍ସରେ କଲୁ ନିମୋନିଆ ବଢ଼ିଥିବା ଜଣାପଡ଼ିଥିଲା।
ପରିସ୍ରା ପରିମାଣ ବି କମିଥିଲା। ରକ୍ତ ପରୀକ୍ଷା ରିପୋର୍ଟ ଅନୁଯାୟୀ ତାଙ୍କର କିଡ୍ନି ଯଦିଓ ଦୁର୍ବଳ ଥିଲା, କିନ୍ତୁ ସାଧାରଣ ଥିଲା। ଗୋଟିଏ ଦିନ ପରେ ବ୍ଲଡ୍ପ୍ରେସର୍ ତଳକୁ ଖସିଯିବା ସହ ପରିସ୍ରା ଆଦୌ ହୋଇନଥିଲା। ଏହି ସମୟରେ ତାଙ୍କର ଇକୋ ହୋଇଥିଲା। ସେଥିରେ ତାଙ୍କ ହାର୍ଟ ଦୁର୍ବଳ ହୋଇ ଯାଇଥିବା ଜଣାପଡ଼ିଥିଲା। ଡାକ୍ତରୀ ଭାଷାରେ ଏହାକୁ ‘ଡାଇଲେଟେଡ୍ କାର୍ଡିଓମାୟୋପାଥି’ କୁହାଯାଏ। ଏଭଳି ସମୟରେ ହ୍ୟୁମାନଙ୍କ ହାର୍ଟ, କିଡ୍ନି, ଲିଭର୍ ଅଚଳ ହୋଇପଡ଼ିବା ସହ ନିମୋନିଆ ସଂକ୍ରମଣ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଆହୁରି ଜଟିଳ କରି ଦେଇଥିଲା। ପୁଅର ସ୍ବାସ୍ଥ୍ୟାବସ୍ଥା ଜାଣିବା ପରେ ତାଙ୍କ ମା’ ଏମ୍ସ ନେବାକୁ କହିଥିଲେ। ୧୪ ତାରିଖରେ ତାଙ୍କୁ ଏମ୍ସ ରେଫର୍ କରାଯାଇଥିଲା। କିନ୍ତୁ ଗଲା ମାସକ ଭିତରେ ତାଙ୍କ ଖାଇବା ପିଇବା ନିୟମିତ ନଥିଲା। ସେ ରାତି ଅନିଦ୍ରା ରହୁଥିଲେ। ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେଉନଥିଲେ। କାମରେ ସବୁବେଳେ ବ୍ୟସ୍ତ ରହୁଥିଲେ। ଏତେ ଦେହ ଖରାପ ସତ୍ତ୍ବେ କାମ କରୁଥିଲେ”| ଏହିପରି ଭାବରେ ଡ଼ା କର ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଛନ୍ତି |
ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ମା’ ଶେଫାଳି ସୁନା ଲଗାତାର ଭାବେ ଦୁଇ ମ୍ୟାନେଜରଙ୍କ ଉପରେ ଗଣମାଧ୍ୟମରେ ଦୋଷ ଦେଇ ଚାଲିଛନ୍ତି। ତାଙ୍କର ଅଭିଯୋଗ ଅନୁଯାଇ, ହ୍ୟୁମାନଙ୍କ ଦୁଇ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରା ହିଁ ହ୍ୟୁମାନଙ୍କର ସବୁ କାର୍ଯ୍ୟକ୍ରମ ଓ ଆର୍ଥିକ କାରବାରକୁ ସମ୍ଭାଳୁଥିଲେ। ତାଙ୍କର ଦେହ ଖରାପ ସତ୍ତ୍ୱେ ତାଙ୍କୁ ପ୍ରୋଗ୍ରାମକୁ ନିଆଯାଉଥିଲା। ଏ ସମ୍ପର୍କରେ ତାଙ୍କ ମା’ଙ୍କୁ କିଛି କୁହାଯାଇ ନଥିଲା। ଠିକ୍ ସମୟରେ ଚିକିତ୍ସା କରାଯାଇ ନଥିବାରୁ ପୁଅ ଚାଲିଗଲା ବୋଲି ଶେଫାଳି ଅଭିଯୋଗ କରିଛନ୍ତି।

