ରାଜସ୍ବ ମନ୍ତ୍ରୀଙ୍କ ବଡ ଘୋଷଣା; ଆବାସ ହିତାଧିକାରୀଙ୍କୁ ବାଲି ମାଗଣାରେ ମିଳିବ, ଇ-ନିଲାମ ପରିବର୍ତ୍ତେ ଇ-ଲଟେରି ମାଧ୍ୟମରେ ଲିଜ ଦିଆଯିବ
ଭୁବନେଶ୍ୱର,୨୪|୧୧: ମାଗଣାରେ ମିଳିବ ବାଲି। ନିଶ୍ଚିନ୍ତ ହେବେ ଯୋଜନା ଅଧୀନରେ ଥିବା ହିତାଧିକାରୀ | ଏଣିକି ରାଜ୍ୟ ସରକାରଙ୍କପ ଆବାସ ଯୋଜନା ଅଧୀନରେ ଥିବା ହିତାଧକାରୀଙ୍କୁ ମାଗଣାରେ ମିଳିବ ବାଲି । ବିପିଏଲ ହିତାଧିକାରୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବାଲି | ଏନେଇ ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ | ବିପିଏଲ ହିତାଧିକାରୀଙ୍କ ଆବାସ ଯୋଜନା ଘର କରିବା ହେଲା ସହଜ | ତେବେ ଏ ଚିନ୍ତାରୁ ନିଶ୍ଚିନ୍ତ ହୋଇବେ ହିତାଧିକାରୀ | ରାଜ୍ୟ ସରକାର ଏବେ ଯୋଗାଇ ଦେବେ ବାଲି | ହିତାଧିକାରୀଙ୍କ ବାଲି ଟଙ୍କା ରାଜ୍ୟ ସରକାର ବହନ କରିବେ । ସୂଚନା ଅନୁସାରେ ପୂର୍ବରୁ ବାଲି ଦରରେ ଲଗାମ ଲଗାଇବା ପାଇଁ ଏମ୍ଏସପି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି ସାରା ରାଜ୍ୟରେ ବାଲି ଦର ସମାନ ରହିବ ନେଇ ନିଷ୍ପତ୍ତି ହୋଇଛି | ଏଣିକି ସରକାର ବାଲି ଏମ୍ଏସପି( ସର୍ଵାଧିକ ବିକ୍ରୟ ମୂଲ୍ୟ )ର ଯେଉଁ ଦାମ୍ ଧାର୍ଯ୍ୟ କରିବେ, ବାଲି ଲିଜ୍ଧାରୀ ସେହି ଦାମ୍ରେ ଲୋକଙ୍କୁ ବାଲି ବିକ୍ରି କରିବେ। ଯେଉଁମାନେ ଆଇନର ଉଲଂଘନ କରିବେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।
ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରତ୍ବପୁର୍ଣ୍ଣ ବୈଠକ ବସିଥିଲା | କ୍ୟାବିନେଟ୍ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ର ସଂଶୋଧନ ଉପରେ ମୋହର ବାଜି ଥିଲା | ମୋହର ବାଜିବା ପରେ, ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ବାଲି ମାଫିଆ ଏବଂ ବାଲି ଚୋରିକୁ ଉଭୟଙ୍କୁ ରୋକିବା ପାଇଁ ରାଜ୍ୟ ସରକାର କିଛି ନୂଆ ପଦକ୍ଷେପ ନେଇଛନ୍ତି। ଏଣିକି ଇ-ନିଲାମ ପରିବର୍ତ୍ତେ ଇ-ଲଟେରି ମାଧ୍ୟମରେ ବାଲିଘାଟଗୁଡ଼ିକୁ ଲିଜ୍ ଦିଆଯିବ। ପୂର୍ବରୁ ବାଲି ମାଫିଆମାନେ ଘାଟରୁ ବାଲି ନେଇ ବିଭିନ୍ନ ସ୍ଥାନରେ ଷ୍ଟୋର କରି ରଖିବା ସହ ଅଧିକ ଦାମରେ ବିକୁଥିବା ଅଭିଯୋଗ ହେଉଛି ।
ଏଭଳି ଅଭିଯୋଗକୁ ଦୃଷ୍ଟିରେ ରଖି ନୂଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର | ବାଲି ଗଚ୍ଛିତ ରଖିବା ପାଇଁ ଜାରି ହେବ ଷ୍ଟୋରେଜ୍ ଲାଇସେନ୍ସ । ଏହା ବାଲି ସମେତ ବିଭିନ୍ନ ଲଘୁ ଖଣିଜ ପଦାର୍ଥ ପାଇଁ ମଧ୍ୟ ଲାଗୁ କରାଯିବାର ରହିଛି । ବିନା ଷ୍ଟୋରେଜ୍ ଲାଇସେନ୍ସରେ କେହି ବେଆଇନ ଭାବେ ବାଲି କି ଅନ୍ୟ କୌଣସି ଲଘୁ ଖଣିଜ ପଦାର୍ଥ ଷ୍ଟୋର କରି ରଖିପାରିବେ ନାହିଁ। ସେହିପରି ଓଭରଲୋଡ଼ିଂ ଏବଂ ହାଇଗ୍ରେଡ୍ ଖଣିଜ ପଦାର୍ଥକୁ ଲୋ-ଗ୍ରେଡ୍ ଦର୍ଶାଇ ହେଉଥିବା ବେଆଇନ କାର୍ଯ୍ୟ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଲିଜ୍ ନେଇଥିବା ସମ୍ପୃକ୍ତ ଅଞ୍ଚଳକୁ ଛାଡ଼ି ଅନ୍ୟ କୌଣସି ଅଞ୍ଚଳରେ ଖଣି ଖନନ କରିବା କିମ୍ବା ଅତ୍ୟଧିକ ଖନନ ଉପରେ ରୋକ ଲଗାଯିବ | ସଂପୂର୍ଣ୍ଣ ଡିଜିଟାଲ୍ ଜ୍ଞାନକୌଶଳ ପଦ୍ଧତିକୁ ଖଣିଜ ପଦାର୍ଥଗୁଡ଼ିକର ମାନ ନିରୂପଣ, ନମୁନା ପରୀକ୍ଷଣ, ଷ୍ଟକିଂ ବ୍ୟବହାର କରାଯିବ। ଯେଉଁଠି ଚୋରା ଖଣିଜ ପଦାର୍ଥ ଜବତ ହେବ, ସେଠାରେ ପୋର୍ଟେବଲ୍ ଆନାଲାଇଜର୍ ମାଧ୍ୟମରେ ଗ୍ରେଡ୍ ଟେଷ୍ଟ କରାଯିବ । ସବୁ ଖଣିରେ ଆର୍ଏଫ୍ଆଇଡି ବୁମ୍ ବ୍ୟାରିୟର ଲଗାଯିବ। ଯାହାଦ୍ୱାରା ମାଲବାହୀ ଗାଡ଼ି ଗୁଡିକର ଟ୍ରାକିଙ୍ଗ ସୁବିଧାରେ କରାଯାଇ ପାରିବ |
ପୂର୍ବରୁ ଅଧିକ ପ୍ରିମିୟମ ଦେଇ ତାକୁ ଭରଣାର ଆଳ ଦେଖାଇ ଗ୍ରେଡ୍ ମ୍ୟାନେଜମେଣ୍ଟରେ ବେଆଇନ କାର୍ଯ୍ୟ ହେଉଥିଲା। ତେଣୁ ଏହାକୁ ସଂପୂର୍ଣ୍ଣ ରୋକିବା ପାଇଁ ସରକାର ନୂଆ ନିୟମରେ ପରିବର୍ତ୍ତନ କରିଛନ୍ତି । ଓଡ଼ିଶା ଖଣିଜ ପଦାର୍ଥ (ବେଆଇନ ଖଣି ଖନନ ନିବାରଣ ଏବଂ ବାଣିଜ୍ୟ, ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ) ୨୦୨୫ ନିୟମାବଳୀରେ ଏହି ସବୁ ବ୍ୟବସ୍ଥା ହୋଇଛି ।
ରାଜ୍ୟ ସରକାର ବାଲି ଓ ଅନ୍ୟାନ୍ୟ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବାକୁ ଏଭଳି ପଦକ୍ଷେପ ନେଇଥିବା କହିଥିଲା ବେଳେ ବିଜେଡି, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କଡା ସମାଲୋଚନା କରିଛି। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଇ-ଲଟେରି ମାଧ୍ୟମରେ ବାଲିଘାଟ, ଲଘୁ ଖଣି ଲିଜ୍ ଦେବା ନିଷ୍ପତ୍ତି ସଂପୂର୍ଣ୍ଣ ଭୁଲ୍। ଯେତେବେଳେ କୌଣସି ଉପାୟ ନଥାଏ ସେତେବେଳେ ଲଟେରି କରାଯାଏ। ଦକ୍ଷତା ନଥିଲେ ଲୋକ ଲଟେରି କରନ୍ତି। ଲଟେରି କରିବା ହେଉଛି ସରକାରଙ୍କ ଅପାରଗତା ।
ନିଲାମ କରିବା ଦ୍ୱାରା ରାଜସ୍ୱ ବଢ଼ିଥାଏ। ନିଜ ଦଳର କର୍ମୀ ଲାଭ ପାଇବା ପାଇଁ ବିଜେପି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ବିଜେପି ନେତାମାନେ ଜୋର ଜବରଦସ୍ତ ଭାବେ ସାରା ରାଜ୍ୟରେ ବାଲି ଉତ୍ତୋଳନ କରୁଛନ୍ତି। ତେଣୁ ଏହା ଉପରୁ ନଜର ହଟାଇବା ପାଇଁ ଏପରି ଯୋଜନା କରାଯାଉଛି। ବାଲିରେ ମାଫିଆରାଜ ଚାଲିଛି । ବାଲିର ପ୍ରକୃତ ଦର ଅପେକ୍ଷା ୧୦ ଗୁଣା ଦାମ୍ ନିଆଯାଉଛି ।
ବାହାର ରାଜ୍ୟକୁ ବାଲି ଚାଲାଣ ହେଉଛି। ନଦୀକୁ ବାନ୍ଧି ବାଲି ଉଠାଯାଉଛି । ଫଳରେ ନଦୀ ଶୁଖିଯିବ, ସଭ୍ୟତାର ପତନ ହେବ । ମୁଁ ସରକାରକୁ ଚ୍ୟାଲେଞ୍ଜ ଦେଉଛି, ଆସନ୍ତା ବର୍ଷ ଏ ସମୟରେ ଏବଂ ବର୍ତ୍ତମାନ ସମୟରେ ସରକାର କେତେ ଲାଭ ପାଇଛନ୍ତି, ତାର ହିସାବ ଦେଖନ୍ତୁ । କେତେ ଲାଭ ହୋଇଛି କହିବେ। ଯଦି ଇ-ଲଟେରି ବ୍ୟବସ୍ଥା ଏତେ ଭଲ ତେବେ ବିଜେପିର ତ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି। ତାକୁ ଲଟେରି ମାଧ୍ୟମରେ କାହିଁକି ବାଛୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

