ରାଜ୍ୟରେ ଆସନ୍ତା ୨୫ରୁ ଖୋଲିବ ଧାନ ମଣ୍ଡି, ପୂର୍ବ ବର୍ଷ ଅପେକ୍ଷା ଏଥର ଅଧିକ ଧାନ କିଣିବାକୁ ଟାର୍ଗେଟ
ଭୁବନେଶ୍ୱର,୨୪|୧୧: କୃଷକଙ୍କ ମାନଙ୍କ ପାଇଁ ଖୁସି ଖବର | ଆସନ୍ତା ୨୫ରୁ ଖୋଲିବ ଧାନମଣ୍ଡି | ରାଜ୍ୟରେ ଧାନ କିଣା ଆରମ୍ଭ ହେବ | ପୂର୍ବ ବର୍ଷ ଅପେକ୍ଷା ଏଥର ଅଧିକ କୁଇଣ୍ଟାଲ ଧାନ କିଣାଯିବାର ଟାର୍ଗେଟ ରଖାଯାଇଛି | ଧାନ ଅମଳ ହେବା ସମୟ ପାଖେଇ ଆସୁଥିବା ବେଳେ ଚାଷୀମାନେ ମଣ୍ଡି କେବେଠାରୁ ଖୋଲିବ ସେ ଅପେକ୍ଷାରେ ରହିଥିଲେ | ତେବେ ରାଜ୍ୟରେ ଆସନ୍ତା ୨୫ରୁ ମଣ୍ଡି ଖୋଲାଯିବ | ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧାନ କିଣା ପାଇଁ ମଣ୍ଡି ଗୁଡ଼ିକରେ ଖାଦ୍ୟ ପାନୀୟ, ଶୌଚାଳୟ ଭଳି ସବୁ ବିଭିନ୍ନ ବ୍ୟବସ୍ଥା ମାନ କରାଯାଇଛି । ଧାନ ସଂଗ୍ରହ ପାଇଁ ଉପଯୁକ୍ତ ସମୟରେ ଗାଡ଼ି ପହଞ୍ଚାଇବାକୁ ମିଲ୍ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଧାନ କିଣା ଉପରେ ସମ୍ପୂର୍ଣ୍ଣ ଦୃଷ୍ଟି ରଖିବାକୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମଣ୍ଡି ଖୋଲିବା ପରେ ଅସୁବିଧା ଦେଖାଦେଲେ ତାହାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, । ଧାନ କିଣାରେ କଟନୀ ଛଟନୀ ଉପରେ ରାଜ୍ୟ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ।
ସୂଚନା ଅନୁସାରେ, ୨୦୨୪-୨୫ ଖରିଫ୍ ଋତୁରେ ଧାନ ବିକ୍ରି କରିବାକୁ ୧୭.୫୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିଲେ । ମାତ୍ର ଏ ବର୍ଷ ୨ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଥିବାରୁ ଏ ବର୍ଷ ଧାନ ସଂଗ୍ରହ ହେବାର ଟାର୍ଗେଟ୍ ବୃଦ୍ଧି କରାଯାଇଛି । ଉଭୟ ଖରିଫ ଓ ରବି ଋତୁ ପାଇଁ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଖରିଫ୍ ଋତୁ ପାଇଁ ଖାଦ୍ୟ ଓ କ୍ରୟ ନୀତି ୨୦୨୫-୨୬ ଗତ ଅକ୍ଟୋବରରେ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଲାଭ କରିଥିଲା । ଖରିଫ୍ ଧାନ କିଣା ସମୟ ୨୦୨୫ ନଭେମ୍ୱର ୧ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି ।

