Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ସମ୍ବଲପୁର ଜୁ’ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେବ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୨୫|୧୧: ଚିଡ଼ିଆଖାନାର ସୁନ୍ଦରତା ଅତ୍ୟନ୍ତ ଆକୃଷ୍ଟ କରେ ପର୍ଯ୍ୟଟକ ମାନଙ୍କୁ। ବିଗତ ଦିନ ମାନଙ୍କରେ ଛୋଟ ଚିଡିଆଖାନା ଗୁଡିକୁ ପୂର୍ବ ଅପେକ୍ଷା ଟିକେ ବଡ ଧରଣର ବିକଶିତ କରିବା ପାଇଁ ଡବଲ ଇଞ୍ଜିନ ସରକାର ନିଷ୍ପତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ୫ କୋଟି ବ୍ୟୟ କରି ଏହି ଶ୍ରୀବୃଦ୍ଧି କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ସମ୍ବଲପୁର ଚିଡ଼ିଆଖାନାରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସମ୍ବଲପୁର ଚିଡ଼ିଆଖାନାର ବାଘ ଖୁଆଡ଼(ଏନକ୍ଲୋଜୋର), ମଗର ଖୁଆଡ଼ ଓ ଘଡ଼ିଆଳ ଖୁଆଡ଼ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, ‘ସମ୍ବଲପୁର ଜୁ’ କୁ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ଓ ଆକର୍ଷଣ କେନ୍ଦ୍ର ଭାବେ ପରିଣତ କରିବାକୁ ଆମର ଲକ୍ଷ୍ୟ ରହିଛି । ଏହି ଛୋଟ ‘ଜୁ’ କୁ ‘ମିଡ୍ ସାଇଜ୍ ଜୁ’ରେ ପରିଣତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ୩୫ ହେକ୍ଟର ଜମି ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବିଭାଗରୁ ଏକତ୍ରୀକରଣ କରାଯାଇ ସମ୍ବଲପୁର ଜୁ’ ଅଥରିଟି ଗଠନ ପାଇଁ ଯୋଜନା କରାଯାଉଛି । ବର୍ତ୍ତମାନ ଏହି ଚିଡ଼ିଆଖାନାରେ କଲରାପତରିଆ ବାଘ ଅଛନ୍ତି ଏବଂ ଗ୍ଲାସ୍ ହାଉସ୍ ମାଧ୍ୟମରେ ପର୍ଯ୍ୟଟକ ମାନେ ସେମାନଙ୍କୁ ଦେଖିବାର ସୁଯୋଗ ପାଉଛନ୍ତି ।

ଏଠାରେ ନୂତନ ଗ୍ଲାସ୍ ଖୁଆଡ଼ ନିର୍ମାଣ ପରେ କର୍ତ୍ତୃପକ୍ଷ ଏଠାକୁ ଦୁଇ ଯୋଡ଼ା ବା ୪ଟି ରୟାଲ୍ ବେଙ୍ଗଲ ଟାଇଗର ଆଣିବାକୁ ଯୋଜନା ମଧ୍ୟ ରଖିଛନ୍ତି । ବର୍ତ୍ତମାନ ୭୦ରୁ ଅଧିକ ପଶୁପକ୍ଷୀ ଥିବା ଏହି ଚିଡ଼ିଆଖାନାରେ ଆଗାମୀ ଦିନରେ ଅଧିକ ପଶୁ ପକ୍ଷୀଙ୍କ ରହିବା ପାଇଁ ବିଭିନ୍ନ ବ୍ୟବସ୍ଥାମାନ କରାଯିବ । ଆଜିର ପଦକ୍ଷେପ ଜୀବଜନ୍ତୁ ସଂରକ୍ଷଣ ଦିଗରେ ଆମର ଦୃଢ଼ ସଂକଳ୍ପର ପ୍ରତୀକ ଅଟେ । ପ୍ରାଣୀ ଉଦ୍ୟାନର ଉନ୍ନତିକରଣ ଦ୍ୱାରା ଏହା ଜାତୀୟ ସ୍ତରରେ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଗଣିତ ହେବ । ବାଘ, ମୃଗ ଏବଂ ଘଡ଼ିଆଳ ଭଳି ବିରଳ ଜୀବଜନ୍ତୁଙ୍କୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଆକୃଷ୍ଟ ହେବେ ।

ଆହୁରି କହିଛନ୍ତିଯେ, ପରିବେଶ ଶିକ୍ଷାଦେବା ପାଇଁ ପ୍ରାଣୀ ଉଦ୍ୟାନ ହେଉଛି ଏକ ବିଦ୍ୟାଳୟ ସଦୃଶ | ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଏହି ଏନକ୍ଲୋଜରଗୁଡ଼ିକ ମାଧ୍ୟମରେ ପ୍ରାଣୀ ଜଗତ ବିଷୟରେ ନିକଟରୁ ଜାଣିପାରିବେ । ନୂତନ ଭାବେ ନିର୍ମିତ ଏନକ୍ଲୋଜରଗୁଡ଼ିକ ଜୀବଜନ୍ତୁଙ୍କୁ ବଞ୍ଚାଇବାର ଆବଶ୍ୟକତା ଉପରେ ସଚେତନତା ମଧ୍ୟ ସୃଷ୍ଟି କରିବ ।

ଏହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ଯାହା ସେହି ଅଞ୍ଚଳର ବ୍ୟବସାୟ ଓ ଅର୍ଥନୀତିକୁ ମଜଭୁତ କରିବ | ଏବଂ ଏହାଦ୍ୱାରା ଯୁବବର୍ଗଙ୍କ ପାଇଁ ନୂତନ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେବ । ଏହା ସହ ସମ୍ବଲପୁର ଜିଲ୍ଲାର ହୀରାକୁଦ, ଦେବ୍ରିଗଡ଼, ଉଷାକୋଠୀ ଓ ଭୀମମଣ୍ଡଳୀର ରକ୍ ଆର୍ଟ ଅଞ୍ଚଳରେ ମଧ୍ୟ ପର୍ଯ୍ୟଟକଙ୍କ ସୁବିଧା ବୃଦ୍ଧି କରି ଜିଲ୍ଲାର ହସ୍ତତନ୍ତ, ବୟନଶିଳ୍ପ, କାରିଗରୀ, ଖାଦ୍ୟପେୟକୁ ପ୍ରସାରିତ କରିବ ଏବଂ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ସୋ କେସ୍ କରାଯିବାର ଯୋଜନା ରହିଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ