ଜନଶୁଣାଣି ପୋର୍ଟାଲକୁ ନେଇ ଅଭିଯୋଗ; କାମରେ ହେଉଛି ଖିଲାଫ, ନଭେମ୍ବର ମାସର ଦରମା ବନ୍ଦ ନିର୍ଦ୍ଦେଶ
କଟକ;୨୭|୧୧: ଅଭିଯୋଗ ଘେରାଉରେ ପୁଣି ସରକାରୀ ବାବୁ | ପୁଣି ବନ୍ଦ ହେବ ବାବୁଙ୍କ ଦରମା | ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ଲୋକେ କରୁଥିବା ଅଭିଯୋଗ ସମୟରେ ସମାଧାନ ହୋଇପାରୁ ନାହିଁ । ସରକାରୀ କାମରେ ହେଉଛି ବିଳମ୍ବ | ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଖପ୍ପା ହୋଇଛି ।
ଫଳରେ ଲୋକଙ୍କ ଅଭିଯୋଗକୁ ଗଡ଼ାଇ ଗଡ଼ାଇ ଚାଲିଥିବା ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ଏହି ସମ୍ପର୍କରେ ଜିଲ୍ଲାପାଳ ଜିଲ୍ଲା ଟ୍ରେଜେରୀରକୁ ସୂଚନା ଦେଇଛନ୍ତି । ଖିଲାପକାରୀ ଅଧିକାରୀଙ୍କ ନଭେମ୍ବର ମାସର ସ୍ଥଗିତ ରଖିବାକୁ ଜାରି ହୋଇଛି ନିର୍ଦ୍ଦେଶନାମା ।
ତେବେ କଟକ ଜିଲ୍ଲାରେ ଏହା ପ୍ରଥମଥର ପାଇଁ ଏହି ଭଳି ଘଟଣା ହୋଇନାହିଁ । ପୂର୍ବରୁ ମଧ୍ୟ ଏହି ଜନଶୁଣାଣି ପୋର୍ଟାଲ ଓ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ସମାଧାନରେ ବେଶ ପଛୁଆ ରହିଛି କଟକ । ଯେଉଁଥିପାଇଁ କଟକ ଜିଲ୍ଲାପାଳ, ଖିଲାପୀ ବାବୁଙ୍କ ଉପରେ ଚଳିତବର୍ଷ ଦୁଇ ଦୁଇଥର କାର୍ଯ୍ୟାନୁଷ୍ଠାନ ଭାବେ ଦରମା ବନ୍ଦ କରିଛନ୍ତି । କିନ୍ତୁ ଏହାପରେ ମଧ୍ୟ ଏହି କାର୍ଯ୍ୟରେ କୋୖଣସି ସୁଧାର ଆସିନାହିଁ । ତେବେ ଲୋକଙ୍କ ଜନଶୁଣାଣୀରେ ଦିଆଯାଇଥିବା ଅଭିଯୋଗକୁ କିପରି ସମାଧାନ ହେବ | ତାହା ମଧ୍ୟ ପ୍ରଶ୍ନ ହୋଇ ଠିଆ ହୋଇଛି |
ଗତ ମାର୍ଚ୍ଚ ମାସରେ କଟକ ଜିଲ୍ଲାର ୪୮ ଜଣ ସରକାରୀ ଅଧିକାରୀଙ୍କ ଫେବ୍ରୁଆରୀ ମାସ ଦରମା ଉପରେ ରୋକ୍ ଲଗାଇଥିଲେ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ଅଭିଯୋଗର ସମାଧାନ ହୋଇ ନଥିବାରୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଏହି ପଦକ୍ଷେପ ଗ୍ରହଣ କରିଥିଲେ ।
ପୁଣି ଥରେ ସେପ୍ଟେମ୍ବର ମାସରେ ଆସିଥିଲା ଦରମା ବନ୍ଦ ନିର୍ଦ୍ଦେଶନାମା । ଜନଶୁଣାଣି ପୋର୍ଟାଲରେ ଅଭିଯୋଗ ନଶୁଣିବାରୁ ୧୪ ଜଣ ଅଫିସରଙ୍କ ଦରମା ବନ୍ଦ ପାଇଁ ଚିଠି କରିଥିଲେ କଟକ ଜିଲ୍ଲାପାଳ । ଏବେ ପୁଣି କିଛି ବାବୁଙ୍କ ନଭେମ୍ବର ମାସର ଦରମାରେ ରୋକ୍ ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି ।

