ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ଟିପ୍ପଣୀ; ‘ଶ୍ରୀମନ୍ଦିରକୁ ଗଲେ ଭାଙ୍ଗିଯାଏ ପ୍ରେମୀଯୁଗଳଙ୍କ ସଂପର୍କ…
ନୂଆଦିଲ୍ଲୀ: ଜଗତର ନାଥ ହେଉଛନ୍ତି ଜଗନ୍ନାଥ | ସାରା ବିଶ୍ୱର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ଭକ୍ତବତ୍ସଳ ମହାବାହୁ ଜ୍ୟେଷ୍ଠ ଭ୍ରାତା ଏବଂ ଭଗିନୀଙ୍କୁ ଯେତେ ପ୍ରେମ କରନ୍ତି, ସାଆନ୍ତାଣୀ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ପ୍ରତି ମଧ୍ୟ ସାଆନ୍ତେଙ୍କ ଭାରି ଶରଧା । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ପୁରୀ ଶ୍ରୀମନ୍ଦିର । ଯେଉଁଠିକୁ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଆସିଥା’ନ୍ତି ଟିକେ ମହାପ୍ରଭୁଙ୍କୁ ତାଙ୍କ ଦୁଃଖ ଜଣାଇବା ପାଇଁ ଏବଂ ତାଙ୍କଠୁ ଆଶୀର୍ବାଦ ନେବାପାଇଁ | ଏଠି ଆନନ୍ଦବଜାରରୁ ଅବଢ଼ା ଖାଇ ତୃପ୍ତ ହୋଇଥା’ନ୍ତି । ପତିତ ମାନଙ୍କୁ ଉଦ୍ଧାର କରିବା ପାଇଁ ପତିତପାବନ ବାନା ଏଠି ଉଡ଼ିଥାଏ | ସମ୍ପର୍କର ମୂଲ୍ୟ କୁ ଭକ୍ତଙ୍କୁ ବୁଝାଇବା ଲାଗି ଘୋଷ ଯାତ୍ରା ଠୁ ଆରମ୍ଭ କରି ହେରା ପଞ୍ଚମୀ ଏବଂ ବାହୁଡା ମାଧ୍ୟମରେ ଭକ୍ତଙ୍କ ଗହଣକୁ ଆସିଥାନ୍ତି | କିନ୍ତୁ ଏବେ ଶ୍ରୀମନ୍ଦିରକୁ ନେଇ ଏକ ତଥ୍ୟ ଭାଇରଲ ହେବାରେ ଲାଗିଛି ଯାହା କୋଟି କୋଟି ଓଡ଼ିଆଙ୍କ ଭକ୍ତି ଭାବନାକୁ ଆଘାତ ଦେଇଛି ।
ଦେଶର ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରଙ୍କ ଏକ ବିବାଦପୂର୍ଣ୍ଣ ଟିପ୍ପଣୀକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଶ୍ରୀମନ୍ଦିର ପ୍ରସଙ୍ଗ ଉପରେ ସୋସିଆଲ ମିଡିଆରେ ଭୁଲ୍ ତଥ୍ୟ ଉପସ୍ଥାପନ କରିବାରୁ ସବୁ ମହଲରେ ସମାଲୋଚନା କରାଯାଉଛି । ଉପସ୍ଥାପକ ଏକ ଭିଡିଓରେ କହିଛନ୍ତି ଯେ, ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଵେ ତେଵେ ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ । ସେମାନେ କେବେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ । କାରଣ ଶ୍ରୀମନ୍ଦିର ଉପରେ ମାଆ ରାଧାରାଣୀଙ୍କ ଅଭିଶାପ ପଡ଼ିଛି । ମା’ ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ସ୍ବରୂପରେ ଦର୍ଶନ କରିବାକୁ ଯାଉଥିବା ସମୟରେ ସେବାୟତମାନେ ତାଙ୍କୁ ଅଟକାଇଥିଲେ ଏବଂ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି । ଆପଣ କିଭଳି ଭିତରକୁ ଆସିଲେ । ଏକଥା ଶୁଣି ମା’ଶ୍ରୀରାଧା ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ । ଶୁଭଙ୍କର ମିଶ୍ରଙ୍କ ପୁରୀ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ପୁରୀରେ ଏବେ ଚର୍ଚ୍ଚା ଜୋର ଧରିଛି ।
ଇନଫ୍ଲୁଏନ୍ସର ପାଲଟିଥିବା ଶୁଭଙ୍କର ମିଶ୍ର ସୋସିଆଲ୍ ମିଡିଆ ଦୁନିଆର ଏକ ଚର୍ଚ୍ଚିତ ଚେହେରା । ୟୁଟ୍ୟୁବରେ ତାଙ୍କର ୬୦ ଲକ୍ଷ ସବସ୍କ୍ରାଇବର ଥିବା ବେଳେ ଇନଷ୍ଟାଗ୍ରାମରରେ ୧.୧୯ କୋଟି ଫଲୋଅର୍ସ ଅଛନ୍ତି । ପ୍ରଥମେ ସେ ଏକ ଜାତୀୟ ଗଣମାଧ୍ୟମରେ ନ୍ୟୁଜ ଆଙ୍କର ଏବଂ ପରେ ୟୁଟ୍ୟୁବର ପାଲଟିଥିବା ଶୁଭଙ୍କର ପ୍ରତିଦିନ ରାଜନୀତି , ମନୋରଞ୍ଜନ , ଜୀବନଶୈଳୀ , କ୍ରିକେଟ୍ ଏବଂ ରହସ୍ୟମୟ କଣ୍ଟେଣ୍ଟ୍ ପ୍ରସ୍ତୁତ କରି ନିଜ ପ୍ଲାଟଫର୍ମରେ ଏନେଇ ଆଲୋଚନା କରନ୍ତି । ଏବଂ ପରେ ଏହାର ଭିଡିଓ ସେ ସୋସିଆଲ୍ ମିଡିଆରେ ଅପଲୋଡ୍ କରନ୍ତି । ବହୁ ସଂଖ୍ୟାରେ ଲୋକ ତାଙ୍କ ଭିଡିଓକୁ ଦେଖିଥାନ୍ତି | ତେବେ ଫ୍ୟାନ୍ସ ମାନଙ୍କ ପ୍ରଶଂସା ସାଉଣ୍ଟୁଥିବା ଶୁଭଙ୍କର ଏବେ ନିଜର ବିବାଦୀୟ ମନ୍ତବ୍ୟ ଲାଗି ଅଡୁଆରେ ପଡିଛନ୍ତି |

