Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟନାକୁ ଆମନ୍ତ୍ରଣ କରୁଛି ଟ୍ରାଫିକ ବିହୀନ ଭିକମପାଲି ଛକ ଜନ ସୁରକ୍ଷା ଦିଗରେ ଏନଏଚଏଆଇ ବିଭାଗର ନିଷ୍କ୍ରିୟତା

ଝାରସୁଗୁଡ଼ା ୨୮/୧୧ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ଛକରେ ଟ୍ରାଫିକ ବ୍ୟବସ୍ଥା ଗୁରୁତର ଭାବରେ ଅନିୟନ୍ତ୍ରିତ ରହିବାରୁ ସ୍ଥାନୀୟ ଲୋକ ଦିନକୁ ଦିନ ଅତ୍ୟଧିକ ସଙ୍କଟରେ ପଡ଼ୁଛନ୍ତି । ଏନଏଚ ୪୯ ଭିକମପାଲି ଛକ ଗ୍ରାମ୍ୟ ସଂଯୋଗ ସ୍ଥଳ ହେବା ସହ ରାଜପଥରେ ପ୍ରତ୍ୟହ ଶତାଧିକ ଟ୍ରକ, ଚାରି ଚକିଆ, ଦୁଇ ଚକିଆ ଓ ଯାତ୍ରୀବାହୀ ଯାନ ବାହନ ଯାତାୟାତ କରୁଥିଲେ ମଧ୍ୟ ଟ୍ରାଫିକ ସିଗ୍ନାଲ, ସାଇନ ବୋର୍ଡ, ଜେବ୍ରା କ୍ରସିଂ ଆଦି ନ ଥିବାରୁ ପରିସ୍ଥିତି ଦିନକୁ ଦିନ ଅସୁରକ୍ଷିତ ହେଉଛି । ଉକ୍ତ ଛକର ଅନତି ଦୂରରେ ନାମକୁ ମାତ୍ର ଗତି ଅବରୋଧ ଦିଆ ଯାଇଛି । ତାହା କୌଣସି କାର୍ଯ୍ୟରେ ଆସୁନଥିବା ଅଭିଯୋଗ ହେଉଛି ।
ଏନଏଚ–୪୯ ର ଏହି ଜଣାଶୁଣା ଅଞ୍ଚଳ ଝାରସୁଗଡ଼ାକୁ ଛତିଶଗଡ଼ ସହ ଯୋଡ଼ିଥିବା ମୁଖ୍ୟ ରାସ୍ତା। ଉତ୍ତର ପଟରେ ଅତାବିରା ଗ୍ରାମ ପଞ୍ଚାୟତ ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ପଡ଼ୋଶୀ ସୁନ୍ଦରଗଡ ଓ ଛତିଶଗଡ଼ ରାୟଗଡ଼ ଜିଲ୍ଲାକୁ ଏବଂ ଦକ୍ଷିଣ ପଟେ ଭିକମପାଲି ବସ୍ତି, ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ସହ କପିଲାପୁର, ପୁଝାରିପାଲି, ଛୁଇପାଲି ଗାଁ ରହିଛି । ଉଭୟ ଅଞ୍ଚଳରୁ ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଯାତାୟାତ କରୁଛନ୍ତି । ମାତ୍ର ରାଜପଥକୁ ପହଞ୍ଚିବା ବେଳେ ଯଦି ଟିକିଏ ଅସାବଧାନତା ହୁଏ । ତାହେଲେ ସିଧାସଳଖ ଦ୍ରୁତଗାମୀ ବାହନ ସହିତ ଧକ୍କା ହୋଇ ଦୁର୍ଘଟନା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ବ୍ୟତୀତ ରାସ୍ତା ପାରି ହେବା ସମୟରେ ଏହି ସ୍ଥାନରେ ଅନେକ ଥର ଛୋଟ–ବଡ଼ ଘଟଣା ହୋଇଥାଏ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ତଥାପି ଏପର୍ଯ୍ୟନ୍ତ ପ୍ରଶାସନ କିମ୍ବା ରାଜପଥ ବିଭାଗ ପକ୍ଷରୁ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ ଉକ୍ତ ବିପଦପୂର୍ଣ୍ଣ ଛକରେ କୌଣସି ବଡ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ଯଥାଶୀଘ୍ର ଟ୍ରାଫିକ ସିଗ୍ନାଲ, ସ୍ପିଡ଼ବ୍ରେକର, ଜେବ୍ରା କ୍ରସିଂ, ସାଇନ ବୋର୍ଡ ଲଗାଇବା ଆଦି ଟ୍ରାଫିକ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ