Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେଜଲଙ୍କୁ ପାଳିତ ମାଆଙ୍କ କୋହଭରା ଚିଠି…

ଭୁବନେଶ୍ୱର,୧|୧୨: ସୁଦୂର ଆମେରିକାରୁ ଆସିଲା ଚିଠି | ଚିଠି ଲେଖିଛନ୍ତି ପାଳିତ ମା | ସାତ ଦରିଆ ତେର ନଈ ପାର ହୋଇ ଆସିଥିବା ସେଜଲଙ୍କୁ ତାଙ୍କ ମାଙ୍କ କୋହଭରା ଚିଠି | ସୂଚନା ଅନୁସାରେ, ସେଜଲ ଗତ ୨୧ରେ ଆମେରିକା ଛାଡି ଓଡ଼ିଶା ଚାଲି ଆସିଥିଲେ। ଆମେରିକା ଆଉ ନଯାଇ ସମ୍ପୂର୍ଣ ଭାବେ ଓଡିଶାରେ ରହିବେ ବୋଲି କହିଥିଲେ | ତେବେ ଝିଅର ଏମିତି ଅଚାନକ ଆମେରିକା ଛାଡି ଚାଲି ଆସିବା ପରେ ଚିନ୍ତା ପ୍ରକାଶ କରି ଏକ ଚିଠି ଲେଖିଥିଲେ ତାଙ୍କ ମା | ଯାହା ଚାରିଆଡେ ଏବେ ଭାଇରାଲ ହେବାରେ ଲାଗିଛି | ଏବଂ ଏହି ଚିଠିଦ୍ୱାରା ସେଜଲଙ୍କ କିଛି ସତ ସାମ୍ନାକୁ ମଧ୍ୟ ଆସିଛି | ତେବେ ଚିଠି ଦ୍ୱାରା ମା ଝିଅକୁ କହିଛନ୍ତି ତାଙ୍କ ମନର କଥା | ସେଜଲଙ୍କ ପାଳିତା ମାଆ ଚିଠିରେ ଲେଖିଛନ୍ତି, ‘ତୁମେ ଯାହା ବି କରିଛ, ସେଥିରେ ମୋ’ ହୃଦୟ ବହୁତ କଷ୍ଟ ଏବଂ ଯନ୍ତ୍ରଣା ପାଉଛି। ମୁଁ ସବୁବେଳେ ତୁମ ଭଲ ଚାହେଁ ।’

ଆସନ୍ତୁ ଜାଣିବା ସେଜଲଙ୍କ କିଭଳି ଆରମ୍ଭ ହୋଇଥିଲା ଆମେରିକା ଯାତ୍ରା… ତେବେ ୨୦୧୮ ମସିହାରେ ଏକ ଏନଜିଓ ମାଧ୍ୟମରେ ପୂଜାକୁ ତାଙ୍କ ପାଳିତ ବାପା ମା ପୋଷ୍ୟ ପୁତ୍ରୀ ଭାବରେ ଗ୍ରହଣ କରିଥିଲେ | ଏହି ଦମ୍ପତ୍ତି ଆମେରିକାର ଅଧିବାସୀ ଅଟନ୍ତି | ସେମାନେ ପୂଜାକୁ ପୋଷ୍ୟ ପୁତ୍ରୀ ଭବେ ଗ୍ରହଣ କରି ସବୁଦିନ ପାଇଁ ଆମେରିକା ନେଇ ଚାଲି ଚାଲିଯାଇଥିଲେ | ତା ପରେ ଏକ ନୂଆ ଆରମ୍ଭ ହୋଇଥିଲା ସେଜଲ ଜୀବନରେ | ସେଜଲ ଜନ ଓରଫ ପୂଜା ତାଙ୍କର ପାଠ ପଢା କ୍ୟାରିୟର ଆମେରିକାରେ ହିଁ ଆରମ୍ଭ କରିଥିଲେ | ତାଙ୍କ ପାଳିତ ବାପା ଏବଂ ମା ନିଜର ଝିଅ ଭଳି ସମସ୍ତ କେୟାର ନେଉଥିଲେ | ଖୁସିରେ ବିତିଥିଲା ପୂଜା ଏବଂ ତାଙ୍କ ପାଳିତ ବାପା ମାଙ୍କର ଜୀବନ | କିନ୍ତୁ ଏହି ଖୁସି ଏବଂ ଆନନ୍ଦ ମୁହୂର୍ତ୍ତରେ ଏକ ଦୁଃଖର ବାଦଲ ଛାଇଗଲା | ଗତ ୨୦୨୪ରେ ସେଜଲ ସୋସିଆଲ ମିଡ଼ିଆ ଇଂଷ୍ଟାରେ ଏକ ଭିଡିଓ ଛାଡିଥିଲେ | ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ପାଳିତ ବାପା ତାଙ୍କୁ ବହୁତ କଷ୍ଟ ଦେଉଛନ୍ତି |ତାଙ୍କୁ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଦେଉଛନ୍ତି | ଏବଂ ତାହା ସହିତ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିବାକୁ ମଧ୍ୟ ବହୁତ ବାଧ୍ୟ କରୁଛନ୍ତି | ଏଭଳି ବିଭିନ୍ନ ଅଭିଯୋଗ ମାନ ପୂଜା ତାଙ୍କ ଭିଡିଓ ମାଧ୍ୟମରେ ଆଣିଥିଲେ | ଏବଂ ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କର VISAର ଭ୍ୟାଲିଡିଟି ସରି ଯାଇଛି | ସେ ଆମେରିକାରେ ସାହାଯ୍ୟ ମାଗିଥିଲେ କିନ୍ତୁ ତାଙ୍କୁ ସାହାଯ୍ୟ କରାଗଲା ନାହିଁ | ଏହା ପରେ ଆମେରିକାରୁ ଓଡିଶା ଫେରିବାରେ ସାହାଯ୍ୟ କରିବା ପାଇଁ ସେ ଓଡିଶା ସରକାରଙ୍କୁ କାନ୍ଦି କାନ୍ଦି ନିବେଦନ ମଧ୍ୟ କରିଥିଲେ |

୨୦୨୪ ମସିହାର ଏହି ଭିଡିଓ କିଛି ଦିନ ହେଲା ଖୁବ ଭାଇରାଲ ହେବାରେ ଲାଗିଛି | ସୂଚନା ଅନୁସାରେ, ଗତ ନଭେମ୍ବର ୨୧ ତାରିଖରୁ ସେଜଲ ଆମେରିକା ଛାଡି ଓଡିଶା ଚାଲି ଆସିଛନ୍ତି | ପ୍ରେମିକ ଅମରଙ୍କ ଭଲପାଇବା ତାଙ୍କୁ ଟାଣି ଆଣିଛି ଦୂର ବିଦେଶରୁ | ସେ କହିଛନ୍ତି ଯେ, ତାଙ୍କ ପ୍ରେମିକ ଅମର ପାଇଁ ସେ ଆମେରିକା ଛାଡି ଚାଲି ଆସିଛନ୍ତି | ଏବଂ ଅମର ଏବଂ ତାଙ୍କର ଭଲପାଇବା ପାଠ ପଢା ସମୟରୁ ହିଁ ଆରମ୍ଭ ହୋଇଥିଲା | ଯେତେବେଳେ ସେମାନେ ଦୁହେଁ ଚତୁର୍ଥ କ୍ଲାସରେ ପଢୁଥିଲେ ସେତେବେଳୁ ତାଙ୍କର ପ୍ରେମ ଆରଂଭ ହୋଇଥିଲା | ଏବଂ ତା ପରେ ସେଜଲ ଆମେରିକା ଚାଲିଯାଇଥିଲେ | ପରେ କୌଣସି ଦିଗରୁ ସୋସିଆଲ ମିଡ଼ିଆ ମାଧ୍ୟମରେ ତାଙ୍କ ସହିତ ସମ୍ପର୍କ ହୋଇଥିଲା | ସମୟ ଆଗକୁ ବଢିବା ସହିତ ଦୁହିଁଙ୍କ ସମ୍ପର୍କ ଆହୁରି ଘନିଷ୍ଠ ହୋଇଥିଲା | ତେବେ ସମ୍ପର୍କ ଏତେ ଘନିଷ୍ଠ ହୋଇଥିଲା ଯେ ୨୦୨୪ ମସିହାରେ ସେଜଲ ସୋସିଆଲ ମିଡିଆରେ ଭିଡିଓ ଜାରି କରିବା ପରେ ଅମର ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ | ଏପରିକି ଅମର ପରାମର୍ଶ ନେଇ ଏହି ଭିଡିଓ ସେଜଲ ଛାଡିଛନ୍ତି ବୋଲି ଅନୁମାନ ମଧ୍ୟ କରାଯାଉଛି | ତେବେ ସେ ଓଡିଶା ଫେରିବା ପରେ ପୂର୍ବରୁ ଭିଡିଓରେ କହିଥିବା କଥା ସବୁକୁ ମିଛ ବୋଲି ମାନିଛନ୍ତି ଏବଂ ତାଙ୍କ ବାପା ମା କୌଣସି ପ୍ରକାର ତାଙ୍କୁ ନିର୍ଯାତନା ଦେଇ ନାହାନ୍ତି ବୋଲି ମଧ୍ୟ କହିଛନ୍ତି |

ତେବେ ଏହି ଘଟଣାରେ ଏକ ନୂଆ ମୋଡ ଆସିଛି | ପ୍ରେମିକ ଅମରକୁ କିଛି ଦିନ ପୂର୍ବରୁ ଉଠାଇ ନେଇଥିଲା ପୋଲିସ | ସୂଚନା ଅନୁସାରେ ଯେବେ ଆମେରିକାରୁ ଫେରି ପୂଜା ଓଡିଶା ଚାଲି ଆସିଥିଲେ ସେତେବେଳେ ଅମର ଦେଖା ନଥିଲା | ତେବେ ସେ କାହା ଭରସାରେ ଆମେରିକା ଛାଡି ଚାଲି ଆସିଲେ ଏବଂ ପ୍ରକୃତରେ ୟା ପଛରେ କଣ କାରଣ ରହିଛି ଏମିତି ଅନେକ କଥା ସନ୍ଦେହ ଘେରକୁ ଆସିଥିଲା | ଏହା ପରେ ସେଜଲକୁ ନେଇ ପୋଲିସ ବାଲେଶ୍ୱରର ନାରୀ ଶକ୍ତି ଗୃହରେ ରଖିଥିଲେ | ତେବେ ଅମରଙ୍କ ପରିବାର ତାଙ୍କ ଦୁହିଁଙ୍କ ବାହାଘର ପାଇଁ ସ୍ୱୀକୃତି ଦେଇଥିଲେ | କିନ୍ତୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପୂର୍ବରୁ ପ୍ରେମିକ ଅମର ପୂଜାକୁ ଦେଖା କରିବା ପାଇଁ ଜବରଦସ୍ତି ନାରୀ ଶକ୍ତି ଗୃହରେ ପଶିବାକୁ ଚେଷ୍ଟା କରିଥିଲେ | ଏବଂ ଘଟଣାରେ ନାରୀ ଶକ୍ତି ଗୃହର ସଭାପତି ପୋଲିସର ସାହାଯ୍ୟ ମାଗିଥିଲେ | ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅମରକୁ ଥାନାକୁ ନେଇଥିଲା | ପୋଲିସର ଅମରକୁ ପଚରା ଉଚୁରା କରିବା ପରେ ଅମର ପୂଜା ର ପାଳିତ ବାପା ମାଙ୍କଠାରୁ କୋଟିଏ ଟଙ୍କା ମାଗିବା କଥା ମଧ୍ୟ ସାମ୍ନାକୁ ଆସିଛି | ତେବେ ପୂଜା କାହିଁକି ନିଜ ପାଳିତ ବାପା ମାଙ୍କୁ ଛାଡି ଆମେରିକାରୁ ଓଡିଶା ଫେରିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ିନାହିଁ | ସେପଟେ ଅମରର ପରିବାର ବାହାଘର ପାଇଁ ସ୍ୱୀକୃତି ଦେଲା ପରେ ତାଙ୍କ ଅଜା ଏତେ ଦୂରରେ ଥାଇ ଦୁହିଁଙ୍କର ପ୍ରେମ କିଭଳି ହେଲା ବୋଲି ଓଲଟା କହିଛନ୍ତି |

ଯେଉଁ ପ୍ରେମ ପାଇଁ ପୂଜା ଆମେରିକା ଛାଡି ଓଡ଼ିଶା ଫେରି ଆସିଥିଲେ | ତାହା କିଛିଦିନ ବି ତିଷ୍ଟିଲା ନାହିଁ | ଅମରଙ୍କ ପ୍ରେମ ଏବେ ସେଜଲଙ୍କ ପାଇଁ ପ୍ରତାରଣା ପାଲଟିଛି ! ଅମର ନାଟକୀୟ ଭାବେ ରଚିଥିବା ଷଡ଼ଯନ୍ତ୍ରରେ ଫସିଥିବା ସେଜଲ୍ ଏବେ ଦ୍ଵନ୍ଦ୍ଵରେ । ଜିଲ୍ଲା ପ୍ରଶାସନ କାଉନସେଲିଂ ଜାରି ରଖିଥିବା ବେଳେ ସେଜଲ୍ ଆଗକୁ କ’ଣ କରିବ ? ଓଡ଼ିଶାରେ ସବୁଦିନ ପାଇଁ ଅମରଙ୍କୁ ବାହା ହୋଇ ରହିବ ନା ପାଳିତ ବାପା ମାଙ୍କ ନାଁରେ ଆଣିଥିବା ମିଛ କଳଙ୍କ ବୋଳି ଆମେରିକା ଫେରିଯିବ?

ଏଭଳି ଅନେକ ପ୍ରଶ୍ନ ଏବେ ସେଜଲଙ୍କ ମନରେ ଉଠିଛି । ସେପଟେ ଅମରକୁ ଶୁକ୍ରବାର ପୋଲିସ ଉଠାଇ ନେଇଥିବା ବେଳେ ଅଣ୍ଡରଟେକିଂ ରଖି ଛାଡ଼଼ି ଦେଇଛି । ସମୟ ସହିତ ଏହି ପ୍ରେମ ଘଟଣାରେ ମୋଡ଼ ମଧ୍ୟ ବଦଳୁଛି । ଆମେରିକାରେ ନିର୍ଯାତନାର ମିଛ, ଓଡ଼ିଶା ପହଞ୍ଚିବା ପରେ ଅମରଙ୍କୁ ପ୍ରେମ କାହାଣୀ ସେଜଲଙ୍କୁ ବଡ ବ୍ୟତିବ୍ୟସ୍ତ କରିଛି । ବିବାହର ସ୍ବପ୍ନ ଆଶା ରଖି ଘର ଛାଡ଼ିଥିବା ସେଜଲ୍‌ ପ୍ରତାରଣାର ଶିକାର ହୋଇଥିବା ବେଳେ କାଉନସେଲିଂ ଜାରି ରଖିଛି ପ୍ରଶାସନ ।

ସେଜଲ୍ ସିନା ଆମେରିକା ଛାଡି ଚାଲି ଆସିଲେ କିନ୍ତୁ ତାଙ୍କ ମାଆଙ୍କ ଏପରି କୋହଭରା ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଃଖର କଥା ହେଉଛି ପୂଜାଙ୍କ ଏପରି ବ୍ୟବହାରରେ ସବୁଠୁ କଷ୍ଟ ପାଇଛନ୍ତି ତାଙ୍କ ପାଳିତ ମା | ଯାହା ପଢିଲେ ଯେ କେହି ବି ବ୍ୟସ୍ତ ହୋଇଯିବ | ଝିଅ ପୂଜାକୁ ଚିଠିଦ୍ୱାରା ତାଙ୍କର ମନର ଭାବନା ଜଣାଇଛନ୍ତି ତାଙ୍କ ମା ଚିଠିରେ ଲେଖିଛନ୍ତି ଯେ , ତୁମର ଏମିତି ଅଚାନକ ଭାବେ ଘରୁ ପଳେଇବା ମତେ ବହୁତ କଷ୍ଟ ଦେଇଛି, ତାଠୁ ଅଧିକ କଷ୍ଟ ଦେଇଛି ତୁମେ ତୁମ ମାଙ୍କ ନାମରେ ମିଛ କହିବା | ମୁଁ ଦୁଃଖିତ ଯେ ତୁମେ, ତୁମ ମାଆଙ୍କ ନାମରେ କଳଙ୍କ ଲଗାଇଦେଲ। ତୁମେ ଜାଣିଛ ମୁଁ ତୁମକୁ କେତେ ସ୍ନେହ ଏବଂ ଆଦର କରେ | ଏବଂ ତୁମର କିଭଳି ଯତ୍ନ ନିଏ। ତୁମେ ତୁମର ଯତ୍ନ ନେବ। ତୁମର ମଙ୍ଗଳ ହେଉ। ତୁମର ସବୁଠାରୁ ଛୋଟ ଖୁସିର ମୁହୂର୍ତ ଏବଂ ସବୁଠାରୁ ବଡ ଦୁଃଖ ସମୟ ରେ ବି ମୁଁ ତୁମ ସାଙ୍ଗରେ ରହିଛି ଏବଂ ଆଗକୁ ରହିବି ମଧ୍ୟ। ମୋ ଝିଅ ପୂଜା ତୁମେ ସବୁଦିନ ମୋ ହୃଦୟରେ ଅଛ ଏବଂ ରହିବ ମଧ୍ୟ। ସ୍ନେହର ସହ ମୁଁ ତୁମକୁ ବିଦାୟ ଦେଉଛି। ଆମେରିକା ଛାଡି ସବୁଦିନ ପାଇଁ ଚାଲି ଆସିଥିବା ପୂଜାଙ୍କୁ ତାଙ୍କ ମା ଏଭଳି ସ୍ନେହର ଆବେଗ ପୂର୍ଣ୍ଣ ଏକ ଚିଠି ଲେଖିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ