Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାନସଭାରେ କଂଗ୍ରେସର ସାଙ୍ଘାତିକ ଅଭିଯୋଗ; ଅନ୍ଵେଷା ଯୋଜନାକୁ ବନ୍ଦ କରୁଛନ୍ତି ସରକାର

ଭୁବନେଶ୍ୱର; ୨|୧୨: ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିବା ସମୟରେ ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି | ସରକାର ପିଲାମାନଙ୍କ ପାଇଁ ବହୁ ଯୋଜନା କରୁଥିବା ମଧ୍ୟରେ କେତେ ପିଲା ଏଥିରୁ ବଂଚିତ ମଧ୍ୟ ହେଉଛନ୍ତି | ସରକାରୀ ଯୋଜନା ଅନୁଯାଇ ଅନ୍ଵେଷା ଯୋଜନା ପିଲାମାନଙ୍କ ପାଇଁ କରାଯାଇଛି | କିନ୍ତୁ ଏହି ଯୋଜନାର ଉପଯୁକ୍ତ ସୁବିଧା ନ ପାଇବାରୁ ସେମାନେ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି | ତେବେ ଏହି ଅଭିଯୋଗରେ ଅନ୍ୱେଷା ଯୋଜନାରେ ଛାତ୍ରଛାତ୍ରୀଙ୍କ ଆଡମିସନ ହୋଇନଥିବାରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି | ଏହା ସରକାରଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର ଶୀର୍ଷକ ମୁଲତବୀ ନୋଟିସ୍ କଂଗ୍ରେସ ପକ୍ଷରୁ ବିଧାନସଭାରେ ଆଜି ଦିଆଯାଇଥିଲା । ଯେଉଁଥିରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ଆଲୋଚନାରେ ଭାଗନେଇ କହିଛନ୍ତି, ରାଜ୍ୟରେ ୪୦ ପ୍ରତିଶତ ଏସସି ଏସଟି ବାସ କରୁଛନ୍ତି । ସେମାନଙ୍କ ଉନ୍ନତି ପାଇଁ ଅନ୍ୱେଷା ଯୋଜନା ଆଣିଥିଲେ ସରକାର । ପ୍ରତି ବର୍ଷ ୧୭ଟି ଜିଲ୍ଲାକୁ ଏହି ଯୋଜନାରେ ଫୋକସ କରାଯାଇଥାଏ ।

ଜିଲ୍ଲା ଗୁଡ଼ିକରେ ପାଖାପାଖି ୨୪ ହଜାରରୁ ଅଧିକ ଆଦିବାସୀ ପିଲାଙ୍କ ଉନ୍ନତ ମାନର ପାଠ ପଢା ପାଇଁ ପ୍ରଥମ ଶ୍ରେଣୀରୁ ନାମ ଲେଖାଯାଇଥାଏ । ସେଥିପାଇଁ କୋଟି କୋଟି ଟଙ୍କାର ସ୍ଵତନ୍ତ୍ର ଅର୍ଥ ବ୍ୟୟ ମଧ୍ୟ କରାଯାଏ । କିନ୍ତୁ ୨୦୨୫-୨୬ ଆର୍ଥିକ ବର୍ଷରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଧୋକା ଦିଆଯାଇଛି । ଅନ୍ଵେଷା ପୋର୍ଟାଲ ଖୋଲାଗଲା ନାହିଁ କି ଆଡ଼ମିଶନ କରାଗଲା ନାହିଁ । ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆଦିବାସୀ ଓ ବିଭାଗୀୟ ମନ୍ତ୍ରୀ ମଧ୍ୟ ଆଦିବାସୀ । କିନ୍ତୁ ଆଦିବାସୀଙ୍କ ଦୁଃଖ ବୁଝୁନାହାନ୍ତି । ଆଦିବାସୀଙ୍କ ଦୁଃଖ କେହି ଶୁଣନ୍ତି ନାହିଁ । ଅଫିସର ମଧ୍ୟ ସେମାନଙ୍କ ନିକଟକୁ କେବେ ଯାଆନ୍ତି ନାହିଁ । ଆଦିବାସୀ ପିଲାଙ୍କୁ ସମ୍ବିଧାନ ଅଧିକାର ଦେଇଛି । କେହି ତାଙ୍କ ଉପରେ ଦୟା କରୁନାହାନ୍ତି । କିନ୍ତୁ ସରକାର ରାବଣ ହୋଇ ଆଦିବାସୀଙ୍କ ଉପରେ ଜୁଲମ କରୁଛନ୍ତି । ପିଲାଙ୍କ ଖାଇବା, ରହିବା ଓ ଯାତାୟାତରେ କେବେ ସଠିକ୍ ବ୍ୟବସ୍ଥା କରିନାହାନ୍ତି ସରକାର । ଯାହାଦ୍ବାରା ସରକାର ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି | କଂଗ୍ରେସ ବିଧାୟକଦଳ ନେତା ରାମଚନ୍ଦ୍ର କାଡ଼ାମ ଏହା କହିଛନ୍ତି ।

ସେହିପରି ବିଜେଡି ବିଧାୟକ ଗଣେଶ୍ଵର ବେହେରା କହିଛନ୍ତି ଯେ , ବିଭାଗୀୟ ମନ୍ତ୍ରୀ ନିଜେ ଉତ୍ତର ରଖିଛନ୍ତି ଯେ ଆସନ୍ତା ୫ ବର୍ଷ ଯାଏ ଅନ୍ଵେଷା ଯୋଜନା ଜାରି ରଖିବାକୁ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି । ଏଥିରୁ ସ୍ପଷ୍ଟ ଯେ ସରକାର ଷଡ଼ଯନ୍ତ୍ର କରୁଛନ୍ତି । ବିଭାଗୀୟ ମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର । ଅନ୍ଵେଷା ଯୋଜନା ପାଇଁ ଡ୍ରପ୍ ଆଉଟ ହାର ୩୩ରୁ ୧୮ ପ୍ରତିଶତକୁ ଖସି ଥିଲା। କିନ୍ତୁ ସେ ଯୋଜନାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି । ଏହା ଦୁର୍ଭାଗ୍ୟର କଥା ।

ଏହାର ଉତ୍ତରରେ ଏସଟିଏସସି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖି କହିଛନ୍ତି, ୧୧ ଟା ଜିଲ୍ଲାର ୧୬୩ ଟି ଶିକ୍ଷାନୁଷ୍ଠାନରେ ପ୍ରାୟ ୨୦ ହଜାର ଆଦିବାସୀ ଓ ଦଳିତ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ଅନ୍ଵେଷା ଯୋଜନାରେ । ୨୦୨୫-୨୬ ବର୍ଷ ରେ ୧୫୮ କୋଟି ୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହା ବ୍ୟତୀତ ଜିଲ୍ଲା ପ୍ରଶାସନ କୁ ୧୦୫ କୋଟି ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଗାମୀ ୫ ବର୍ଷ ପାଇଁ ଅନ୍ୱେଷା ଯୋଜନା ଚାଲୁ ରଖିବାକୁ ବିଭାଗ ପାଖରେ ପ୍ରସ୍ତାବ ବିଚାରଧୀନ ରହିଛି ବୋଲି ମନ୍ତ୍ରୀ ଗୃହ ରେ ଉତ୍ତର ରଖିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ