ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ‘କିଟ୍’କୁ ପକ୍ଷଭୁକ୍ତ କଲେ ଓଡ଼ିଶା ହାଇକୋର୍ଟ #KIITUNIVERSITY
ଭୁବନେଶ୍ୱର,୨|୧୨: ଗତ ଫେବ୍ରୁଆରି ୧୬ ତାରିଖରେ ଘଟିଥିବା ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ‘କିଟ୍’କୁ ପକ୍ଷଭୁକ୍ତ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ‘କିଟ୍’କୁ ଜବାବ ମାଗିଛନ୍ତି | ହାଇକୋର୍ଟର ଏହି ନିଷ୍ପତ୍ତି ପରେ ‘କିଟ୍’ର ଅଡ଼ୁଆ ଆହୁରି ବଢିଯାଇଛି। ତେବେ ଏନେଇ ‘କିଟ୍’ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ।
ତେବେ ଏହି ଘଟଣାରେ, ପୂର୍ବରୁ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି | ଗତ ମାର୍ଚ୍ଚ ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଏହି ଘଟଣାର ସରଜମିନ ତଦନ୍ତ ପରେ ଏନ୍ଏଚ୍ଆର୍ସିର ଦୁଇଜଣିଆ ଟିମ୍ ରିପୋର୍ଟ କରି ଦାଖଲ କରିବା ପରେ କିଟ୍ ବିଶ୍ବବିଦ୍ୟାଳୟର ଆଇଆରଓ, ବିଶ୍ବବିଦ୍ୟାଳୟର ଅଧିକାରୀ/ଶୃଙ୍ଖଳାଗତ କମିଟି ତଥା କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏନ୍ଏଚ୍ଆର୍ସି ଦର୍ଶାଇଛନ୍ତି।
ଏନ୍ଏଚ୍ଆର୍ସିଙ୍କ ରିପୋର୍ଟରେ ଉଲ୍ଲେଖ ରହିଛିଯେ, ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ଫେବ୍ରୁଆରି ୧୭ରେ ୧୦୦୦ ରୁ୧୧୦୦ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିଥିଲେ। ବିଶ୍ବବିଦ୍ୟାଳୟର ଅଧିକାରୀମାନେ ଏହାକୁ ସ୍ବୀକାର କରିଛନ୍ତି। କର୍ତ୍ତୃପକ୍ଷ ଛାତ୍ରୀମାନଙ୍କର ସୁରକ୍ଷାକୁ ନେଇ ଆଦୌଁ ଚିନ୍ତା କରିନଥିଲେ ଏବଂ ସେମାନଙ୍କୁ କ୍ୟାମ୍ପସରୁ ବାହାର କରି ଦିଆଯାଇଥିଲା। ଏହା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନ ମୂଲ୍ୟବୋଧକୁ ଦର୍ଶାଉଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ବିଶ୍ବବିଦ୍ୟାଳୟ ହାଲୁକା ଭାବେ ଗ୍ରହଣ କରିଥିଲେ। ଏହି ଘଟଣାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଠାରୁ ୪ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଏନ୍ଏଚ୍ଆର୍ସି ନିର୍ଦ୍ଦେଶ ଜାରି କରିଛନ୍ତି। ଶିଶୁ କଲ୍ୟାଣ କମିଟି ଦ୍ବାରା ଏକ ରିପୋର୍ଟ ଅନୁଯାୟୀ କିସ୍ ପରିସରରେ ନିମ୍ନ ମାନର ରହଣୀ ସ୍ଥିତି ବାବଦରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କିସ୍ ପରିସରରେ ନିମ୍ନମାନର ରହଣୀ ସ୍ଥିତି ବାବଦରେ ତଦନ୍ତ ପାଇଁ ଶିଶୁ କଲ୍ୟାଣ କମିଟି ଯୁଗ୍ମ ତଦନ୍ତକାରୀ ଦଳ ଗଠନ କରିବାକୁ ସୁପାରିସ କରିଥିଲା। ଏ ନେଇ ସ୍ପଷ୍ଟୀକରଣ ଅଥବା ଅନୁପାଳନ ରିପୋର୍ଟ ଦାଖଲ ପାଇଁ ଏନ୍ଏଚ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଇନଫୋସିଟି ଥାନା ମାମଲା ସଂଖ୍ୟା ୫୪/୨୦୨୫ରେ ତଦନ୍ତ ଅଗ୍ରଗତି ବାବଦରେ ପୁଲିସ କମିସନରଙ୍କୁ ଜଣାଇବା ପାଇଁ ଏନ୍ଏଚ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ମହିଳାଙ୍କ ସୁରକ୍ଷା ତଥା ଛାତ୍ରଛାତ୍ରୀଙ୍କ ପ୍ରତି ଧର୍ମ, ଜାତୀୟତା, ଲିଙ୍ଗ, ବର୍ଣ୍ଣ ଆଦି ପାତରଅନ୍ତର ରୋକିବା ସଂପର୍କିତ କିସ୍ ବିଶ୍ବବିଦ୍ୟାଳୟ ଓ ୟୁଜିସି ଗାଇଡଲାଇନ୍ସ ଗୁଡ଼ିକର ଉଲ୍ଲଂଘନ ନେଇ ୟୁଜିସି ଅଧ୍ୟକ୍ଷ କିସ୍ ଓ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ଦାଖଲ କରିବେ ବୋଲି ଏନ୍ଏଚ୍ଆର୍ସି ନିର୍ଦ୍ଦେଶରେ କହିଛନ୍ତି। ସେହିଭଳି ନ୍ୟାସନାଲ୍ ଆସେସ୍ମେଣ୍ଟ ଆଣ୍ଡ୍ ଆକ୍ରିଡେସନ କାଉନ୍ସିଲ୍ (ଏନ୍ଏସିସି)ର ଗାଇଡଲାଇନ୍ସ ଉଲ୍ଲଂଘନ ବାବଦରେ ଏନ୍ଏସିସି ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାରି ସପ୍ତାହରେ ରିପୋର୍ଟ ଦାଖଲ କରିବେ ବୋଲି ଏନ୍ଏଚ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି।
ଏପଟେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ‘କିଟ୍’ରେ ଆଉ ଏକ ଛାତ୍ରଙ୍କ ଆତ୍ମହତ୍ୟା ‘କିଟ୍’ ବିଶ୍ୱ ବିଦ୍ୟାଳୟକୁ ପୁଣି ଥରେ ସନ୍ଦେହ ଘେରକୁ ଆସିଛି | ବିଶ୍ୱରେ ଏତେ ନାଁ କମେଇଥିବା ବିଶ୍ୱବିଦ୍ୟାଳୟରେ ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ନେଇ ନେଇ ଏବେ ଉଠୁଛି ବିରାଟ ପ୍ରଶ୍ନବାଚୀ ?

