ଇ-ଛାତ୍ରବୃତ୍ତି ପାଇଁ ଓଡ଼ିଶା ସରକାର ଜାରି କଲେ ନୂଆ SOP; ମିଳିବ ହିତାଧିକାରୀଙ୍କୁ ଟଙ୍କା
ଭୁବନେଶ୍ୱର,୩।୧୨: ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ମାନଙ୍କ ପାଇଁ ପ୍ରୋତ୍ସାହନ ଯୋଜନା’ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (SOP) ଜାରି କରିଛନ୍ତି ରାଜ୍ୟ ସରକାର। ଏହି SOP ଅନୁଯାୟୀ, ଛାତ୍ରଛାତ୍ରୀ ମାନଙ୍କୁ DBT ମାଧ୍ୟମରେ ଛାତ୍ରବୃତ୍ତି ରାଶି ପ୍ରଦାନ କରାଯିବ।
ଯଦି କୌଣସି ଛାତ୍ରଛାତ୍ରୀ ଗୋଟିଏ ବର୍ଷ ଏହି ଇ-ସ୍କଲାରସିପ୍ ଯୋଜନାର ଲାଭ ପାଇବା ପରେ ଉକ୍ତ ଶିକ୍ଷାନୁଷ୍ଠାନକୁ ଛାଡି କୌଣସି ନୂତନ କଲେଜରେ ଯୋଗ ଦିଅନ୍ତି ତେବେ ସେ ନୂଆ ଅନୁଷ୍ଠାନରେ ପ୍ରଥମ ବର୍ଷ ପାଇଁ ଛାତ୍ରବୃତ୍ତି ପାଇବାକୁ ଯୋଗ୍ୟ ହେବେ ନାହିଁ। ତେବେ ନୂତନ ଅନୁଷ୍ଠାନରେ ବଳକା କୋଟା ଉପଲବ୍ଧ ଥିଲେ, ସେ ଦ୍ୱିତୀୟ ବର୍ଷରୁ ଏହି ଛାତ୍ରବୃତ୍ତି ପାଇପାରିବେ।
ଛାତ୍ରବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବାକୁ ହେଲେ ହିତାଧିକାରୀମାନଙ୍କୁ ସେମାନଙ୍କର ଶିକ୍ଷାଗତ ରେକର୍ଡର ପ୍ରମାଣପତ୍ର, ପ୍ରବେଶିକା ପରୀକ୍ଷା ମାର୍କସିଟ୍, କିମ୍ବା ଟ୍ରାନ୍ସକ୍ରିପ୍ଟ ଆଦି ଦାଖଲ କରିବାକୁ ପଡିବ |
ଓଡ଼ିଶା ବାହାରର ଛାତ୍ରଛାତ୍ରୀ ମାନେ non-SAMS ଅନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ମାର୍କସିଟ୍କୁ DigiLocker ମାଧ୍ୟମରେ ଅପଲୋଡ୍ କରିବା ବାଧ୍ୟତାମୂଳକ କରାଯାଇଛି। ଏହି SOP ଗାଇଡଲାଇନ ଅନୁଯାୟୀ, ସ୍ନାତକ ପାଠ୍ୟକ୍ରମ ପାଇଁ ୨୫ ବର୍ଷରୁ ଅଧିକ ଏବଂ ସ୍ନାତକୋତ୍ତର, ବୈଷୟିକ, ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ୩୦ ବର୍ଷରୁ ଅଧିକ ବୟସର ଛାତ୍ରଛାତ୍ରୀ ଇ-ସ୍କଲାରସିପ୍ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।
ଜିଲାପାଳଙ୍କ ଦ୍ୱାରା ଗଠିତ ଏକ କମିଟି ଯୋଗ୍ୟ ହିତାଧିକାରୀ ମାନଙ୍କ ଏକ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବ। ତାଲିକା ପ୍ରସ୍ତୁତ କରି ସାରିବା ପରେ,ଏହି କମିଟି ଆବଶ୍ୟକୀୟ ପ୍ରମାଣପତ୍ର ସବୁ ଯାଞ୍ଚ କରିବ ଏବଂ ନିର୍ଦ୍ଧାରିତ ଫର୍ମାଟରେ ସ୍ୱାକ୍ଷରିତ ତାଲିକା ଦାଖଲ କରିବ। ରାଜ୍ୟ ସ୍କଲାରସିପ୍ ପୋର୍ଟାଲରେ ଅନ୍ତର୍ଭୁକ୍ତ ହେବାକୁ ଚାହୁଁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଇ-ମେଲ୍ ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗକୁ ଆନୁଷ୍ଠାନିକ ଭାବେ ଅନୁମୋଦନ ପାଇଁ ଅନୁରୋଧ କରିବେ।

