Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଆ ଖେଳି ଧରା ପଡିଲେ ଆଉ ଯିବେ ନାହିଁ ଜେଲ! କେବଳ ଜୋରିମାନା

ଭୁବନେଶ୍ୱର,୩|୧୨: ଏଣିକି ଆଉ ଜୁଆ ଖେଳରେ ଧରା ପଡିଲେ ଯିବାକୁ ପଡ଼ିବନି ଜେଲ୍ | କେବଳ ଦେବେ ଜୋରିମାନା | କେବଳ ଜୋରିମାନା ଭରି ଜୁଆ ଖେଳିବାଜନିତ ଅପରାଧରୁ ହୋଇ ପାରିବେ ମୁକ୍ତ | ତେବେ ଏଥିପାଇଁ ରାଜ୍ୟ ସରକାର ଆଣିଛନ୍ତି ଓଡ଼ିଶା ଜନବିଶ୍ବାସ ବିଲ୍‌, ୨୦୨୫ | ଏହି ବିଲ୍‌ରେ ୯ଟି ବିଭାଗର ୧୬ଟି ଆଇନ‌ର ସଂଶୋଧନ କରାଯାଇଥିବା ବେଳେ ଓଡ଼ିଶା ଜୁଆ ଖେଳ ପ୍ରତିରୋଧ ଅଧିନିୟମ,୧୯୫୫ରେ ବ୍ୟାପକ ସଂଶୋଧନ କରି ସମସ୍ତ ଜେଲ୍‌ ଦଣ୍ଡକୁ ଉଠାଇ ଜୋରିମାନାରେ ପରିଣତ କରାଯାଇଛି। ଏହି ସଂଶୋଧନ ନିୟମ ଅନୁସାରେ, ମୁଖ୍ୟତଃ ୫ ହଜାରରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେଲେ ଜୁଆ ଖେଳାଳି, ସଂସ୍ଥାଙ୍କ ଅପରାଧ ମାଫ୍ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ପୂର୍ବର ନିୟମ ଅନୁସାରେ କୌଣସି ବ୍ୟକ୍ତି ଜୁଆ ଖେଳରେ ଧରା ପଡୁଥିଲେ ତାଙ୍କୁ ୧ମାସରୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ରହିଥିଲା ଏବେ କିନ୍ତୁ ତାହାକୁ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି ।

ବିଧାନସଭାରେ ଓଡ଼ିଶା ଜନବିଶ୍ବାସ ବିଲ୍‌, ୨୦୨୫‌କୁ ପାରିତ କରିବା ପାଇଁ ଦୀର୍ଘ ୪ଘଣ୍ଟା କାଳ ଆଲୋଚନା ହୋଇଥିବାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ଏହି ନିୟମକୁ କଡା ସମାଲୋଚନା କରିଥିଲେ | ରାତାରାତି ଏହି ବିଲ୍‌କୁ ପ୍ରସ୍ତୁତ କରାଯାଇଛି ବୋଲି ପ୍ରତିବାଦ କରିବା ସହିତ ଏହାକୁ ପାରିତ ନକରି ବିଲ୍‌ଟିକୁ ଯାଞ୍ଚ କମିଟିକୁ ପଠାଇବାକୁ ଦାବି କରିଥିଲେ । କିନ୍ତୁ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଥିଲେ, ଏହି ବିଲ୍‌ ପାସ୍‌ ହେଲେ ରାଜ୍ୟରେ ଇଜ୍‌ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍ ଏବଂ ଇଜ୍ ଅଫ୍ ଲିଭିଂ ଆହୁରି ସହଜ ହେବ । ଓଡ଼ିଶାରେ ନିବେଶ ବଢ଼ିବ, ପୁଞ୍ଜିନିବେଶକାରୀଙ୍କର ସରକାରଙ୍କ ପ୍ରତି ବିଶ୍ବାସ ବଢ଼ିବ । ଏହି ବିଲ୍ ରାତାରାତି ନୁହେଁ, ବରଂ ଏହା ପଛରେ ଦୀର୍ଘ ୬ ମାସ ଧରି ବିଭିନ୍ନ ଆଲୋଚନା ହୋଇଛି ଏବେ ଅଣାଯାଇଛି । ତେଣୁ ଯାଞ୍ଚ କମିଟିକୁ ଯିବାର କୌଣସି ଆବଶ୍ୟକତା ନାହିଁ । ସାରା ଦେଶରେ ୯ଟି ରାଜ୍ୟ ଏହାକୁ ଲାଗୁ କରିସାରିଲେଣି । ଆମେ ଯେଉଁ ୧୬ଟି ଆଇନରେ ସଂଶୋଧନ କରିଛୁ, ତାହା ଲୋକଙ୍କ ହିତକୁ ଦେଖି ଆଣିଛୁ । ତେଣୁ ଏହାକୁ ତୁରନ୍ତ ପାସ୍‌ କରି ଲାଗୁ କରାଯାଉ । ଦୀର୍ଘ ୪ ଘଣ୍ଟାର ଆଲୋଚନା ସମାଲୋଚନା ପରେ ଗୃହରେ ଅଧ୍ୟକ୍ଷତା କରୁଥିବା ସନାତନ ବିଜୁଳି ବିଲ୍‌ଟିକୁ ପାରିତ କରିଥିଲେ ।

ଓଡ଼ିଶା ଜନବିଶ୍ବାସ ବିଲ୍‌କୁ ଆକ୍ଷେପ କରି ବିରୋଧୀ ଦଳର ବିଧା‌ୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ, ଦିଲ୍ଲୀରେ କିଛି ଲୋକ ଆଦାନୀ, ଅମ୍ବାନୀ ପାଖରେ ଦେଶକୁ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର ଜଳ, ଜଙ୍ଗଲ, ଜମିକୁ ଶାଗମାଛ ଦରରେ ବିକିବାକୁ ଯୋଜନା କରୁଛନ୍ତି । ଏହି ବିଲ୍‌ଟି କେବଳ ବହୁରାଷ୍ଟ୍ରୀୟ କମ୍ପାନି, ବଡ଼ ପ୍ରତିଷ୍ଠାନ ପାଇଁ ଜନବିଶ୍ବାସ, ଓଡ଼ିଶାବାସୀଙ୍କ ପାଇଁ ଜନଅବିଶ୍ବାସ ବିଲ୍ । ଏହି ବିଲ୍‌ରେ ଗୁଡ଼ାଏ ତ୍ରୁଟି ରହିଛି । ଲୋକଙ୍କ ତ୍ରୁଟି ସଂଶୋଧନ ପାଇଁ କୌଣସି ସୁଯୋଗ ନଦେଇ ସିଧା ଜୋରିମାନା ଆଦାୟ କରାଯିବ । ପୂର୍ବରୁ ଯେଉଁ ଥିଲା ତାକୁ ୧୦ ଗୁଣା ଜୋରିମାନା ବଢ଼ାଇ ଦେଇଛ । ଏହା କେବଳ ତାନାସାହି ମାନସିକତା । ଜୁଆ ଖେଳ ଦ୍ବାରା କିପରି ଇଜ୍‌ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍ ହେବ?

ଧ୍ରୁବଚରଣ ସାହୁ କହିଥିଲେ, ଯଦି ବିଲ୍ ଲୋକଙ୍କ ସ୍ବାର୍ଥ ପାଇଁ ଆଣୁଛ ବୋଲି କହୁଛ ତେବେ ଏହା ଉପରେ ଜନମତ ସଂଗ୍ରହ କରାଯାଉ । ପୂର୍ବରୁ ଜୁଆ ଖେଳିଲେ ଅତି କମ୍‌ରେ ୧ମାସ ଜେଲ୍ ଥିଲା । ହେଲେ ତୁମେ ୫ ହଜାର ଟଙ୍କା ଜୋରିମାନା କରି ଛାଡ଼ିଦେବ । ଗୌତମବୁଦ୍ଧ ଦାସ କହିଥିଲେ, ଏହି ବିଲ୍‌ ମାଧ୍ୟମରେ ବିଶ୍ବାସଘାତକତା କରିବା ପାଇଁ କେନ୍ଦ୍ର ସରକାର ୨୦୨୩ରୁ ନୀଳନକ୍ସା ପ୍ରସ୍ତୁତ କରିଛନ୍ତି । ଏହା କେବଳ କର୍ପୋରେଟ୍‌ ସଂସ୍ଥାଙ୍କୁ ସୁହାଇଲା ଭଳି ବିଲ୍ । ଏହି ବିଲ୍ ବିଷୟ ଉପରେ ଗଣେଶ୍ବର ବେହେରା କହିଥିଲେ ଯେ, ରାଜ୍ୟ ସରକାର ନଭେମ୍ବର ୩ରେ ଓଡ଼ିଶା ଜନବିଶ୍ବାସ ଅଧ୍ୟାଦେଶ ଆଣିଲେ । ନଭେମ୍ବର ୨୭ରେ ବିଧାନସଭା ଆରମ୍ଭ ହେବାର ଥିଲା । ତେବେ ସରକାରଙ୍କର ଏମିତି କେଉଁ ଜରୁରୀକାଳୀନ ଆବଶ୍ୟକ ପଡ଼ିଲା ଯେ ତରବରିଆ ଭାବେ ଏହି ଆଇନକୁ ଆଣିଲେ ଏବଂ ଏହାକୁ ରାଜ୍ୟପାଳ ଅନୁମୋଦନ ମଧ୍ୟ କଲେ?

ଅନ୍ୟପଟେ କଂଗ୍ରେସ ବିଧାୟକ ସିଏସ୍‌ ରାଜନ ଏକ୍କା କହିଥିଲେ, ଜୁଆ ପାଇଁ ଜୋରିମାନା ଆଦାୟ କରି ସରକାର ଏହାକୁ ପ୍ରୋତ୍ସାହିତ କରୁଛନ୍ତି । ଜୁଆ ପାଇଁ ଗାଁ ଗାଁରେ ଅନେକ ଅସନ୍ତୋଷ ପ୍ରକାଶ ପାଉଛି। ଅଥଚ ସରକାର ଏହାକୁ ପ୍ରଚାର ପ୍ରସାର କରିବାକୁ ଯାଉଛନ୍ତି । ସୋଫିଆ ଫିର୍‌ଦୋସ୍ କହିଥିଲେ, ସରକାର କୌଣସି ବିଲ୍ ପାସ୍ କରିବାବେଳେ ଆମ ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରୁନାହାନ୍ତି, କିନ୍ତୁ ବାରମ୍ବାର ସଂଶୋଧନ ଆଣୁଛନ୍ତି । ନିର୍ବାଚନ ଜିତିଛ ମାନେ ଲୋକଙ୍କ ଆସ୍ଥା ଜିତିଛ, ହେଲେ ଏହି ବିଲ୍ ଆଣି ଲୋକଙ୍କ ସହ ବିଶ୍ବାସଘାତ କରନି ।

ଶାସକ ଦଳ ପକ୍ଷରୁ ଇରାଶିଷ ଆଚାର୍ଯ୍ୟ କହିଥିଲେ, ପୂର୍ବରୁ ଜୁଆ ଖେଳିଲେ ମାସେରୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଥିଲା । ଏଥିରେ ଜେଲ୍ ଯିବା ଦୂର କଥା, ଥାନାକୁ ବି ଯିବାକୁ ପଡ଼ୁନଥିଲା । ସେହିପରି ବହୁ ଆଇନରେ ୧୦ଟଙ୍କା, ୫୦ଟଙ୍କା ଜୋରିମାନା ଥିଲା । ତାହାକୁ ଏବେ ବଢ଼ାଯାଇଛି । ବାବୁ ସିଂହ କହିଥିଲେ, ବିରୋଧୀ ଏବେ ‘ଅ’ ପାର୍ଟି ଭଳି କାମ କରୁଛନ୍ତି । ଯାହା ସରକାର କରୁଛନ୍ତି ତା’ପୂବରୁ ଖାଲି ‘ଅ’ ଲଗାଇ ଏହାକୁ ବିରୋଧ କରୁଛନ୍ତି । ଯେମିତି ଜନବିଶ୍ବାସକୁ ଜନଅବିଶ୍ବାସ କହୁଛନ୍ତି । ବିଧାୟକ ସନ୍ତୋଷ ଖଟୁଆ, ଦୁଷ୍ମନ୍ତ କୁମାର ସ୍ବାଇଁ, ପ୍ରତାପଚନ୍ଦ୍ର ନାୟକ, ଫକୀରମୋହନ ନାଏକ, ଦୁର୍ଗାପ୍ରସନ୍ନ ନାୟକ ଏହି ବିଲ୍ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।

ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଏହି ବିଷୟ ଉପରେ ଉତ୍ତର ରଖି କହିଥିଲେ ଯେ, ଜନବିଶ୍ବାସ, ଜନ ଅଧିକାର ଓ ଜନହିତକୁ ଆଖି ଆଗରେ ରଖି ଏହି ବିଲ୍ ଅଣାଯାଇଛି। ଶିଳ୍ପ ସଂସ୍ଥାଗୁଡ଼ିକ ଉପରେ ମାତ୍ରାଧିକ ନିୟନ୍ତ୍ରଣ ଓ ଅତ୍ୟଧିକ କାର୍ଯ୍ୟାନୁଷ୍ଠାନକୁ ହଟାଇବା ପାଇଁ ଏହି ସଂଶୋଧନ କରାଯାଇଛି । କେନ୍ଦ୍ର ସରକାରଙ୍କ ଆଇନ ସହ ସମନ୍ୱୟ ରକ୍ଷା କରି ଓଡ଼ିଶା ଜନବିଶ୍ୱାସ ବିଲ୍‌ ପ୍ରସ୍ତୁତ କରାଯାଇଛି । ଏହାଦ୍ବାରା ଅନାବଶ୍ୟକ ଅନୁପାଳନ ବୋଝ ହଟିବ । ଏହି ବିଲ୍ ଜନବିଶ୍ବାସ, ଜନ ଅଧିକାର ଓ ଜନହିତରେ ଅଣାଯାଇଛି । ଏହା ଜନ ଅବିଶ୍ବାସ ନୁହେଁ । ଏଥିରେ ଉଦ୍ଦେଶ୍ୟମୂଳକ ଠକେଇ, ସ୍ବାସ୍ଥ୍ୟ, ପରିବେଶ ଓ ସମାଜ ଉପରେ କୁପ୍ରଭାବ ପକାଉଥିବା କାର୍ଯ୍ୟ ଉପରେ ଦଣ୍ଡବିଧାନ ବ୍ୟବସ୍ଥା ଅଛି । ଏଥିରେ ଛୋଟ ଅପରାଧର ଦଣ୍ଡ କୋହଳ କରାଯାଇଛି । ଜୁଆ ଖେଳିଲେ ପୂର୍ବରୁ ଯେଉଁ ଜୋରିମାନା ୧୦୦ ଟଙ୍କା ଥିଲା ତାକୁ ୫ ହଜାର ଟଙ୍କା କରାଯାଇଛି, କାରାଦଣ୍ଡ କ୍ଷେତ୍ରରେ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରଖାଯାଇଛି । ଏହି ଆଇନକୁ ଭାରତୀୟ ନ୍ୟାୟ ସଂହିତା ସହ ଯୋଡ଼ୁଛୁ । ଯେଉଁଠି ଆବଶ୍ୟକ ପଡ଼ିବ ସେଠାରେ ଆଇନ ଅନୁଯାୟୀ ଦଣ୍ଡବିଧାନ ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories