ଚିନ୍ତାରେ ପଡିଛନ୍ତି ସରକାର ; ନକଲି ଔଷଧ ପାଇଁ କମ୍ପାନୀମାନଙ୍କ ଉପରେ ନିଆଯିବ କଡା ପଦକ୍ଷେପ
ଭୁବନେଶ୍ୱର;୩ା୧୨: ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କଠୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ସମେତ ସମସ୍ତେ ଏଥିପାଇଁ ଅଣ୍ଟା ଭିଡିଛନ୍ତି | ଲୋକେ କିପରି ଭାବରେ ସବୁ ସୁବିଧା ସୁଯୋଗର ଲାଭ ଉଠାଇପାରିବେ ସେଥିପାଇଁ ବିଭିନ୍ନ ଜନମଙ୍ଗଳକାରୀ ଯୋଜନମାନ ମଧ୍ୟ କରିଛନ୍ତି | କିନ୍ତୁ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏ ପରି ପରିସ୍ଥିତି ଦେଖି ଏବେ ସରକାର ମଧ୍ୟ ଚିନ୍ତାରେ ପଡିଛନ୍ତି | ଏହି ଯୋଜନାର ପ୍ରକୃତ ଲାଭ ତ ଔଷଧ ନିର୍ମାତା କମ୍ପାନୀଗୁଡ଼ିକ ଉଠଉଛନ୍ତି | ଯୋଜନାର ଫାଇଦା ନେଇ ଗୁଣବତ୍ତା ମାପଦଣ୍ଡ ନ ଥିବା ଔଷଧ ଲୋକଙ୍କୁ ଦେଇ ସେମାନଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି।
ଏଭଳି ସାଂଘାତିକ ତଥ୍ୟ ମିଳିଛି ସ୍ବାସ୍ଥ୍ୟ ବିଭାଗ ତରଫରୁ। ତେବେ ଗୋଟିଏ କିମ୍ବା ଦୁଇଟି ନୁହେଁ, ଗତ ୪ବର୍ଷରେ ରାଜ୍ୟରେ ୩୮୮ ପ୍ରକାର ନିମ୍ନମାନର ଔଷଧ ତଥା ଏନ୍ଏସ୍କ୍ୟୁ ଔଷଧ ବଜାରରେ ଚିହ୍ନଟ ହେବା ସହିତ କୋଟି କୋଟି ଟଙ୍କାର ଔଷଧ ଜବତ ହୋଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।
ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳବାର ଗୃହକୁ ଜଣାଇଛନ୍ତି, ଗତ ୪ବର୍ଷରେ ୧୬୮ ପ୍ରକାର ବିଷାକ୍ତ ଔଷଧ ଚିହ୍ନଟ ହେବା ସହିତ ଏହାକୁ ଜବତ କରାଯାଇଛି। ସେହିପରି ଏହି ଅବଧି ମଧ୍ୟରେ ସମୁଦାୟ ୩୮୮ଟି ନିମ୍ନ ମାନର ମେଡିସିନ ଚିହ୍ନଟ ହୋଇଛି। ଏ ବାବଦକୁ ରାଜ୍ୟ ସରକାର ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କଲେଣି।
ସ୍ବାସ୍ଥ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ , ୨୦୨୧ରେ ୭୯ଟି ବିଷାକ୍ତ ଔଷଧ ଚିହ୍ନଟ ହୋଇଥିବାବେଳେ ୨୦୨୨ରେ ୬୪, ୨୦୨୩ରେ ୧୪ ଏବଂ ୨୦୨୪ ରେ ୧୧ଟି ଚିହ୍ନଟ ହୋଇଛି। ସେହିପରି ଚିହ୍ନଟ ହୋଇଥିବା ୩୮୮ ନିମ୍ନ ମାନର ମେଡିସିନ ମଧ୍ୟରୁ ୨୦୨୧-୨୨ରେ ୮୩ ପ୍ରକାର, ୨୦୨୨-୨୩ରେ ୧୫୬, ୨୦୨୩-୨୪ରେ ୬୯ ଏବଂ ୨୦୨୪-୨୫ରେ ୮୩ଟି ଆବଶ୍ୟକୀୟ ଗୁଣବତ୍ତା ମାନଦଣ୍ଡ ପୂରଣ କରୁ ନ ଥିବା ଔଷଧ ଜବତ କରାଯାଇଛି।
ଏହାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଗୃହ ବାହାରେ କହିଛନ୍ତି, ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ କରାଯିବା ଦ୍ୱାରା ଏଭଳି ବିଷାକ୍ତ ଔଷଧ ଜବତ କରିବାରେ ସଫଳ ହୋଇଛନ୍ତି । ଆଗାମୀ ଦିନରେ ଏହି ଚଢ଼ାଉ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି କୁହାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ , ବିଷାକ୍ତ ଔଷଧ ବଜାରକୁ ଛାଡ଼ିବା ଏକ ପ୍ରକାର ଷଡ଼ଯନ୍ତ୍ର। ଔଷଧ କମ୍ପାନୀ ନିର୍ମାତାମାନେ ଏହା ଉଦ୍ଦେଶ୍ୟମୂଳକ ଭାବେ କରିଥାନ୍ତି। ଏନେଇ ସରକାର ସଜାଗ ରହିଛନ୍ତି। ସ୍ବାସ୍ଥ୍ୟବିଭାଗ, ଡ୍ରଗ୍ସ ନିୟନ୍ତ୍ରକ ଏବଂ ପୋଲିସ ସମନ୍ବୟରେ ଚଢ଼ାଉ କରାଯାଉଛି। ଆଗାମୀ ଦିନରେ ତୃଣମୂଳସ୍ତରରେ ମଧ୍ୟ ଚଢ଼ାଉକୁ ବ୍ୟାପକ କରାଯିବ। ତେବେ ଚିହ୍ନଟ ହୋଇଥିବା ବିଷାକ୍ତ ଔଷଧ ମଧ୍ୟରେ ଆମୋକ୍ସିଲିନ୍, ରାବିଜେମ୍-ଡିଏସ୍ଆର ଟାବ୍ଲେଟ, ସେଫାଡ୍ରକ୍ସିଲ ଟାବ୍ସ ଆଇପି-୫୦୦ଏମ୍ଜି, ଆମ୍ଲୋ କାଇଣ୍ଡ-୫ ଟାବ୍, ଲେଭ୍ସେଟ୍-ଏମ୍-ସିରପ୍, ପାରାସିଟାମଲ ଟାବ୍ଲେଟ ଆଇପି ୫୦୦ଏମ୍ଜି ପ୍ରଭୃତି ରହିଛି।
ଏନେଇ ଏସ୍ସିବି ମେଡିକାଲ କଲେଜ ମେଡିସିନ ବିଭାଗ ଏଚ୍ଓଡି ତଥା ଇଣ୍ଡିଆନ୍ ମେଡିକାଲ ଆସୋସିଏଶନ ସଭାପତି ପ୍ରଫେସର ଜୟନ୍ତ କୁମାର ପଣ୍ଡା କହିଛନ୍ତି ଯେ , ନକଲି ଔଷଧ ବ୍ୟବସାୟ କିଛି ନୂଆ କଥା ନୁହେଁ। ନକଲି ଔଷଧ ଦ୍ୱାରା ରୋଗୀର ସମସ୍ୟା ଦୁଇଗୁଣ ବଢ଼ିଯାଇଥାଏ। ତେଣୁ ନକଲି ଔଷଧରେ ଔଷଧର ଗୁଣ କିଛି ନ ଥିବାରୁ ରୋଗୀଟିଏ ଯେଉଁ ରୋଗ ପାଇଁ ଔଷଧ ଖାଏ ସେଥିରେ କିଛି ଲାଭ ମିଳେନାହିଁ। ସେହିପରି ଏହାକୁ ଖାଇବା ଦ୍ୱାରା ସେଥିରେ ଥିବା ଖରାପ ଉପାଦାନ ବା କେମିକାଲ ରୋଗୀ ଶରୀରକୁ ଯାଇ ଲିଭର, କିଡ୍ନୀ, ବ୍ରେନ୍, ହାର୍ଟ୍କୁ ସଂକ୍ରମିତ କରିବାର ଅଧିକ ଆଶଙ୍କା ରହିଛି। ତେବେ ଅନ୍ଲାଇନ୍ରେ ମିଳୁଥିବା ଔଷଧ ଠିକ୍ କି ନକଲି ତାହା ଜାଣିବାର କୌଣସି ଉପାୟ ନାହିଁ। ତେଣୁ ସରକାରୀ ଅନୁମୋଦିତ କେନ୍ଦ୍ର ଜନଔଷଧୀ କେନ୍ଦ୍ର, ନିରାମୟ କିମ୍ବା ଦୀର୍ଘବର୍ଷ ଧରି ରହିଥିବା ଔଷଧ ଦୋକାନୀଙ୍କଠାରୁ ଔଷଧ କିଣିବାକୁ ଲୋକଙ୍କୁ ସଚେତନ କରାଯାଉଛି। ଜଣେ ସାଧାରଣ ରୋଗୀ ନକଲି ଔଷଧକୁ ଚିହ୍ନଟ କରିପାରିବ ନାହିଁ। ଏହା କେବଳ ଡ୍ରଗ୍ ଇନ୍ସପେକ୍ଟର ଓ ଡ୍ରଗ୍ କଣ୍ଟ୍ରୋଲଲ ଜାଣି ପାରିବେ। ତେଣୁ ରାଜ୍ୟରେ ନକଲି ଔଷଧ ଚିହ୍ନଟ କରିବା ନେଇ ଆହୁରି ବ୍ୟାପକ ପଦକ୍ଷେପ ନିଆଯିବା ସହିତ ଦଣ୍ଡବିଧାନକୁ କଡାକଡି କରିବା ଆବଶ୍ୟକ ବୋଲି ପ୍ରଫେସର ପଟ୍ଟନାୟକ ମତ ରଖିଛନ୍ତି।

