ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା; କେଉଁମାନଙ୍କର କଟିବ କାର୍ଡ, ଜାଣନ୍ତୁ….
ଭୁବନେଶ୍ୱର,୫|୧୨: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା। ଯଦି ଲଗାତାର ୬ ମାସ ଧରି ରାସନ ସାମଗ୍ରୀ ନ ନେଉଥିବେ ତାହାଲେ କଟିଯିବ ଆପଣଙ୍କର ରାସନ କାର୍ଡ। ଓଡ଼ିଶା ଏବଂ ଅନ୍ୟ ରାଜ୍ୟରୁ ନିଜ ଆଧାର କାର୍ଡ଼ ବ୍ୟବହାର କରି ରାସନ କାର୍ଡ ହାତେଇଥିଲେ ଏବଂ ରାସନ ସାମଗ୍ରୀ ନେଉଥିଲେ ମଧ୍ୟ କଟିବ ରାସନ କାର୍ଡ ।
ଆଧାର ସର୍ଭେରେ ମୃତ ବ୍ୟକ୍ତି ଚିହ୍ନଟ ହୋଇଥିଲେ ସେମାନଙ୍କୁ ଚିହ୍ନଟ କରି ତର୍ଜମା କରୁଛନ୍ତି ସରକାର |ଖାଦ୍ୟ ସୁରକ୍ଷା ଆଇନ-୨୦୨୦ଅନୁସାରେ କଡାକଡ଼ି ଯାଞ୍ଚ ହେଉଛି ରାସନ କାର୍ଡ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର।
ସେପଟେ ରାଜ୍ୟର ୯୭ ଲକ୍ଷ ୪୦ ହଜାର ୧୧୪ ପରିବାରର ୩ କୋଟି ୨୫ ଲକ୍ଷ ୮୮ ହଜାର ୮୭୯ ହିତାଧିକାରୀ ସରକାରଙ୍କ ଠାରୁ ରାସନ କାର୍ଡ ଦ୍ୱାରା ଚାଉଳ ପାଉଛନ୍ତି। ଉଭୟ ରାଜ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଛି ମାଗଣା ଚାଉଳ। ତେବେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ସରକାର ରାସନ କାର୍ଡ ଯାଞ୍ଚ କରୁଛନ୍ତି। ଯାଞ୍ଚ ବେଳେ କେଉଁ ସବୁ ଅସୁବିଧା ଦେଖାଦେଲେ ରାସନକାର୍ଡ କଟିବ ସେନେଇ ବିଧାୟକ ଗୌତମ ବୁଦ୍ଧ ଦାସ ଏକ ପ୍ରଶ୍ନ ପଚାରିଥିଲେ | ତେବେ ବିଧାନସଭାରେ ଏହାର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର| ତାଙ୍କ ଅନୁସାରେ ଯେଉଁ ରାସନ କାର୍ଡଧାରୀମାନେ ଗତ ୬ରୁ ୧୨ ମାସ ଧରି ଲଗାତାର ରାସନ ସାମଗ୍ରୀ ଉଠାଣ କରିନାହାନ୍ତି ସେମାନଙ୍କର କାର୍ଡ କଟିବ ।” ସେହିଭଳି ଯେଉଁମାନେ ନିଜ ଆଧାର ନମ୍ବର ବ୍ୟବହାର କରି ଓଡ଼ିଶା ଏବଂ ଅନ୍ୟ କୌଣସି ରାଜ୍ୟରୁ ସମାନ୍ତରାଳ ଭାବେ ରାସନକାର୍ଡ ହାତେଇ ରାସନ ସାମଗ୍ରୀ ଉଠାଣ କରୁଛନ୍ତି। ସେମାନଙ୍କର ରାସନ କାର୍ଡ ମଧ୍ୟ କଟିବ।
ଭାରତ ସରକାରଙ୍କ ଆଧାର ସର୍ଭରରେ ମୃତ ବ୍ୟକ୍ତି ବୋଲି ଚିହ୍ନିତ ହୋଇଥିଲେ ସେମାନଙ୍କର କ୍ଷେତ୍ର ତର୍ଜମା କରାଯାଇ ରାସନକାର୍ଡରୁ ବାଦ୍ ଦିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍-୨୦୨୦ ଆଧାରରେ ନିୟମିତ ବ୍ୟବଧାନରେ ରାସନ କାର୍ଡର ଯାଞ୍ଚ ହୁଏ। ଆଇନରେ ବାଦ ଦେବା ମାନଦଣ୍ଡ ଅଧିନରେ ଆସୁଥିବା ରାସନକାର୍ଡ ଚିହ୍ନଟ କରାଯାଇ ବାଦ୍ ଦିଆଯାଇଥାଏ।
ଅକ୍ଟୋବର ମାସରେ ସରକାର ଦେଇଥିବା ସୂଚନା ଅନୁସାରେ, ରାଜ୍ୟର ୧୫ ଲକ୍ଷ ୬୭ ହଜାର ହିତାଧିକାରୀ ଇ-କେୱାଇସି କରି ନାହାନ୍ତି । ଏବେ ସରକାର ପୁଣି ଥରେ ଇ-କେୱାଇସି ଲାଗି ସୁଯୋଗ ପ୍ରଦାନ କରିଛନ୍ତି । ଯାହାଦ୍ଵାରା କେହି ଯୋଗ୍ୟ ହିତାଧିକାରୀ ରାସନ କାର୍ଡରୁ ବାଦ୍ ପଡ଼ିବେ ନାହିଁ ।
ଏହା ପୂର୍ବରୁ ଗତ ବିଧାନସଭା ମୌସୁମୀ ଅଧିବେଶନରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ୩୦ ହଜାର ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ତାଲିକାରୁ ହଟାଇ ଦିଆଯାଇଛି। ଏହାଦ୍ୱାରା ୧ ଲକ୍ଷ ୯ ହଜାର ୮୫୩ ଜଣ ପ୍ରଭାବିତ ହୋଇଛନ୍ତି। ସେତେବେଳେ ମନ୍ତ୍ରୀ କହିଥିଲେ ଯେ ୯୭.୪୦ ଲକ୍ଷ ପରିବାରର ୩.୨୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ପାଉଛନ୍ତି।

