ଚିକେନ୍ ‘ନେଉଳ’ ଖାଇବାରୁ ବୃଦ୍ଧଙ୍କୁ ନୃସଂଶ ଭାବେ ଖଣ୍ଡାରେ ହାଣିଲା ପଡୋଶୀ
ବ୍ରହ୍ମପୁର,୬।୧୨: କୁହାଯାଏ ବିପଦ ଆପଦର ବନ୍ଧୁ ହୋଇଥାଏ ପଡୋଶୀ | ଘରେ କୌଣସି ବି ଉତ୍ସବ ହୋଇଥାଉ ପଡୋଶୀଙ୍କୁ ଆଗ ଖୋଜା ଯାଇଥାଏ | ତେବେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଥରାପଲ୍ଲୀରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଯାହା ଆଶ୍ଚର୍ଯ୍ୟ କରିଦେବ | ବୃଦ୍ଧଙ୍କୁ ନୃସଂଶ ଭାବେ ଖଣ୍ଡାରେ ହାଣି ହତ୍ୟା କଲା ପଡୋଶୀ। ମୃତକ ବ୍ୟକ୍ତି ଜଣଙ୍କ ହେଲେ କୃଷ୍ଣଚନ୍ଦ୍ର ମହାନ୍ତି (୬୦ ବର୍ଷ) ସେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀର ଅଧିବାସୀ | ତାଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ନାରାୟଣ ଦାସ ଏବେ ଫେରାର୍ ଅଛନ୍ତି।
ସୂଚନା ଅନୁସାରେ, ଗତ ଶୁକ୍ରବାର କୃଷ୍ଣଚନ୍ଦ୍ର ମହାନ୍ତି ଘର ଭିତରେ ଚିକେନ୍ ରଖିଥିଲେ | ଏବଂ ପଡ଼ୋଶୀ ନାରାୟଣ ଦାସଙ୍କ ପୋଷା ନେଉଳ ସେହି ଚିକେନ୍ କୁ ଖାଇ ଦେଇଥିଲା | ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏପିରିକି ନେଉଳକୁ ବାନ୍ଧି ରଖିବାକୁ କୃଷ୍ଣଚନ୍ଦ୍ର ଚେତାବନୀ ଦେଇଥିଲେ | ଶନିବାର ସକାଳ ପ୍ରାୟ ୮ଟା ପାଖାପାଖି ନେଉଳ ପୁଣିଥରେ କୃଷ୍ଣଚନ୍ଦ୍ରଙ୍କ ଘରେ ପଶିବାରୁ ଉଭୟଙ୍କ ମଧ୍ୟରେ ଜୋର ଝଗଡା ହୋଇଥିଲା। ତେବେ ଘଟଣାରେ ଉତ୍ତେଜିତ ହୋଇ ନାରାୟଣ ଏକ ଖଣ୍ଡାରେ କୃଷ୍ଣଚନ୍ଦ୍ରଙ୍କ ମୁଣ୍ଡକୁ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଅଭିଯୁକ୍ତ ନାରାୟଣ ଦାସ ଫେରାର୍ ଥିଲାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

