ଇଣ୍ଡିଗୋ ତରଫରୁ ମିଳିଲା ଆଶ୍ଵସ୍ତିକର ସୂଚନା ; ଫେରସ୍ତ ପାଇବେ ସମସ୍ତ ଟଙ୍କା
ନୂଆଦିଲ୍ଲୀ ;୬|୧୨: ଇଣ୍ଡିଗୋ ବିମାନ ସେବାକୁ ନେଇ ଆସିଛି ଏକ ବଡ ଖବର | ଏହି ଖବର ନିହାତି ଭାବରେ ସମସ୍ତ ଯାତ୍ରୀଙ୍କୁ ଆଶ୍ଵସ୍ତି ପ୍ରଦାନ କରିବ | ଇଣ୍ଡିଗୋ ବିମାନରେ ଦେଖାଦେଇଥିବା ବିଭ୍ରାଟ ଯୋଗୁଁ ହନ୍ତସନ୍ତ ହୋଇଥିବା ଯାତ୍ରୀଙ୍କୁ ମିଳିଲା ଖୁସି ଖବର। ସେବା ବ୍ୟାହତ ହେବା କାରଣରୁ ଯାତ୍ରୀମାନେ ଯେଉଁ ଯନ୍ତ୍ରଣା ଭୋଗିଛନ୍ତି | ସେଥିପାଇଁ କମ୍ପାନି କ୍ଷମା ମାଗିବା ସହ ଟଙ୍କା ଫେରସ୍ତ ନେଇ ଏକ ବଡ଼ ଘୋଷଣା କରିଛି । ଇଣ୍ଡିଗୋ ପକ୍ଷରୁ ସୋସିଆଲ ମିଡିଆରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଡିସେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ଯେଉଁ ଯାତ୍ରୀମାନଙ୍କର ବିମାନ ବୁକିଂ ବାତିଲ ହୋଇଛି କିମ୍ବା ଯେଉଁମାନେ ନିଜେ ଟିକେଟ ବାତିଲ କରିଛନ୍ତି | ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥିପାଇଁ ଯାତ୍ରୀଙ୍କୁ କୌଣସି ଜଟିଳ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ ନାହିଁ । କମ୍ପାନି ‘ସ୍ୱୟଂଚାଳିତ ପେମେଣ୍ଟ ମୋଡ’ ବ୍ୟବସ୍ଥା ଯାତ୍ରୀଙ୍କ ପାଇଁ ଲାଗୁ କରିଛି । ଅର୍ଥାତ୍, ଯାତ୍ରୀ ଟିକେଟ ବୁକିଂ କରିବା ସମୟରେ ଯେଉଁ ମାଧ୍ୟମରେ ଟଙ୍କା ବ୍ୟୟ କରିଥିଲେ, ସେହି ସମାନ ଆକାଉଣ୍ଟକୁ ଟଙ୍କା ଆପେ ଆପେ ଫେରି ପାଇବେ ।
ସୂଚନା ଅନୁଯାଇ, ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟାନ୍ୟ କାରଣରୁ ବର୍ତ୍ତମାନ ସୁଦ୍ଧା ଇଣ୍ଡିଗୋର ପ୍ରାୟ ୫୭୧ଟି ଉଡାଣ ବନ୍ଦ କରାଯାଇଛି । ଯାହାଦ୍ୱାରା ଯାତ୍ରୀସେବାକୁ ଭୟଙ୍କର ଭାବେ ପ୍ରଭାବିତ କରିଛି । ଇଣ୍ଡିଗୋର ବିମାନ ବାତିଲ ହେବା ଫଳରେ ଅନ୍ୟ ଏୟାରଲାଇନ୍ସଗୁଡିକର ଟିକେଟ ଦରରେ ଅହେତୁକ ବୃଦ୍ଧି ଘଟିଛି, ଯାହା ସାଧାରଣ ଦରଠାରୁ ପ୍ରାୟ ୪ ଗୁଣ ଅଧିକ ହୋଇଛି । ଏହି ସଙ୍କଟ ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଆଗେଇ ଆସିଛି । ବିମାନ ସେବା ବାଧାପ୍ରାପ୍ତ ହୋଇଥିବାରୁ ଯାତ୍ରୀମାନେ ଯେପରି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ, ସେଥିପାଇଁ ରେଲୱେ ପକ୍ଷରୁ ଅତିରିକ୍ତ ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଛି ।

