ଲଖନପୁର ସରସ୍ଵତୀ ଶିଶୁ ମନ୍ଦିରରେ ଆଧାର ସ୍ତର ଶିଶୁ ଶିବିର
ଝାରସୁଗଡ଼ା ୭/୧୨ (ଓଡିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସଙ୍କୁଳ ଅଧୀନ ଲଖନପୁର ସରସ୍ଵତୀ ଶିଶୁ ମନ୍ଦିରରେ ଆଧାର ସ୍ତର ଶିଶୁ ବାଟିକା ଭାଗ–୧ ଶିଶୁ ଶିବିର ଉତ୍ସାହ ମୂଳକ ପରିବେଶରେ ଅନୁଷ୍ଠିତ ହୋଇ ଯାଇଛି। ଶିଶୁମାନଙ୍କ ମଧ୍ୟରେ ସାମାଜିକ ଗୁଣ, ସହଯୋଗ ମନୋବୃତ୍ତି, ଶାନ୍ତି-ଶୃଙ୍ଖଳା ଓ ଆତ୍ମ ନିର୍ଭରତା ବିକାଶ ପାଇଁ ଅରୁଣ, ଉଦୟ ଓ ପ୍ରଭାତ ଶ୍ରେଣୀର ୭୮ ଜଣ ଶିଶୁଙ୍କ ସହଭାଗୀତାରେ ଏହି ଶିବିରର ଆୟୋଜନ କରା ଯାଇଥିଲା।
ପ୍ରାରମ୍ଭରେ ଅତିଥି ତ୍ରିଲୋଚନ ଜୟଶ୍ୱାଲ ଓ ମକରଧ୍ବଜ ପଧାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରା ଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ଖମାରୀ ଅତିଥି ପରିଚୟ ଓ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ରାଜକୁମାର ସାହୁ ଓ ଯୁଗ୍ମ ସମ୍ପାଦକ ବେଣୁଧର ପଧାନଙ୍କ ତତ୍ତ୍ୱାବଧାନରେ ଶିଶୁ ମାନଙ୍କୁ ସ୍ଥାନୀୟ ଥାନା ପରିଭ୍ରମଣ କରା ଯାଇଥିଲା। ଥାନା ଅଧିକାରୀ ଶୋଭାରାମ ସେଟ୍ ଶିଶୁ ମାନଙ୍କୁ ଥାନାର ବିଭିନ୍ନ କାର୍ଯ୍ୟ, ଶୃଙ୍ଖଳା, ନାଗରିକ ସୁରକ୍ଷା ଓ ଆଇନ ବ୍ୟବସ୍ଥା ବିଷୟରେ ଅବଗତ କରାଇ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ବିଦ୍ୟାଳୟର ଆଧାର ସ୍ତର ପ୍ରମୁଖ ଗୁରୁମା ଲଲିତା ବିଶ୍ୱାଳଙ୍କ ନେତୃତ୍ୱରେ ଗୁରୁମା ଶାନ୍ତିଲତା ସାହୁ, ହେମନ୍ତି ରଣା, ଉଷାବତୀ ବିଶ୍ୱାଳ, ଶିବାନୀ ରାଉତ, ରାଜେଶ ଗୁରୁଜୀ, ସେବିକା ସରୋଜିନୀ ବିଶ୍ୱାଳ ଓ ମାତୃ ଭାରତୀ କମିଟି ପରିଚାଳନା ସଦସ୍ୟମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ବିଶେଷ କରି ଶିଶୁ ମାନଙ୍କର ସୃଜନଶୀଳତା, ଶିଷ୍ଟାଚାର ଓ ସାମାଜିକ ସଚେତନତା ବିକାଶରେ ଏହି ଶିବିର ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି ବୋଲି ଆଧାର ସ୍ତର ପ୍ରମୁଖ ଶ୍ରୀମତୀ ବିଶ୍ୱାଳ ପ୍ରକାଶ କରିଛନ୍ତି ।

